ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଭଙ୍ଗ ମାମଲା: ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପଞ୍ଜାବ ଗସ୍ତ କାଳରେ ଜାନୁଆରୀ ୫ ତାରିଖରେ ତାଙ୍କର ସୁରକ୍ଷା ଭଙ୍ଗ ମାମଲାରେ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ପୀଠ ଯଥାଶୀଘ୍ର ସମ୍ଭବ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ଅନୁରୋଧ କରିଛନ୍ତି । ତଦନ୍ତ କମିଟିରେ ଅନ୍ୟ ସଦସ୍ୟ ଭାବରେ ଏନଆଇଏର ମହାନିର୍ଦ୍ଦେଶକ ଅଥବା ଅନ୍ୟୂନ ଆଇଜି ପାହ୍ୟାର ଅଧିକାରୀ ହୋଇଥିବା ତାଙ୍କର ଜଣେ ମନୋନୀତ ବ୍ୟକ୍ତି, ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ, ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ ଏବଂ ପଞ୍ଜାବ ଓ ହରିଆଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ରହିଛନ୍ତି । ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ସଂଗ୍ରହ କରିଥିବା ସମସ୍ୟ ତଥ୍ୟ ଓ କାଗଜପତ୍ରକୁ ତଦନ୍ତକାରୀ କମିଟି ନିକଟରେଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗର କାରଣ, ଏଥିପାଇଁ ଦାୟୀ ବ୍ୟକ୍ତି ଏବଂ ଭବିଷ୍ୟତରେ ଅତି ବିଶିଷ୍ଟ ବ୍ୟକ୍ତିଙ୍କର ନିରାପତ୍ତାରେ ଏଭଳି ତ୍ରୁଟି ନଘଟିବାକୁ ନିଆଯିବାକୁ ଥିବା ପଦକ୍ଷେପ ଆଦି ସମ୍ପର୍କରେ ଏହି କମିଟି ତଦନ୍ତ କରିବ ।

Leave a Reply

Your email address will not be published. Required fields are marked *