ମଣ୍ଡପରେ ଗାନ୍ଧିଙ୍କ ମହିଷାସୁର ରୂପକୁ ନେଇ ବିବାଦରେ ଦୁର୍ଗାପୂଜା ଆୟୋଜକ

କୋଲକାତା: ଚର୍ଚ୍ଚାରେ ପୂଜା ମଣ୍ଡପ। ବିବାଦ ଘେରରେ ଆୟୋଜକ। ସମଗ୍ର ଦେଶରେ ଦୁର୍ଗାପୂଜାକୁ ନେଇ ଆଧ୍ୟାତ୍ମିକ ପରିବେଶରେ ମହକୁଥିବା ବେଳେ କୋଲକାତାରେ ଏକ ପୂଜାମଣ୍ଡପରୁ ଆସିଛି ଏକ ବ୍ୟତିକ୍ରମ। ଏଠାରେ ଏକ ପୂଜାମଣ୍ଡପରେ ଶାନ୍ତିର ଦୂତ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମହିଷାଶୁର ରୂପରେ ମୂର୍ତ୍ତି ନିର୍ମାଣ କରାଯାଇଛି। ଗାନ୍ଧିଙ୍କୁ ଏଭଳି ଚରମ ଅପମାନ ନେଇ ତୀବ୍ର ନିନ୍ଦା କରାଯାଇଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ଆୟୋଜକ। କୋଲକାତାର ଏକ ପୂଜା ପେଣ୍ଡାଲରେ ସର୍ବ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏଭଳି ବିକୃତ ଢଙ୍ଗରେ ଗାନ୍ଧିଙ୍କୁ ମହିଷାସୁର ରୂପରେ ଅଭିହିତ କରାଯାଇଛି। ଏହାକୁ ନେଇ ତେଜିଛି ବିରୋଧ ଓ ପ୍ରତିବାଦର ସ୍ୱର। ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ପକ୍ଷରୁ ତାଗିଦ ପରେ ମହିଷାସୁର ମୂର୍ତ୍ତିରୁ ଗାନ୍ଧିଙ୍କ ମୁହଁକୁ ହଟାଇ ଦିଆଯାଇଛି। ଆୟୋଜକଙ୍କ କହିବା ଅନୁଯାୟୀ ବିବାଦୀୟ ଆକୃତିକୁ ହଟାଇ ଦିଆଯାଇଛି।

ଏହି ମୂର୍ତ୍ତିର ମୁଖାକୃତିକୁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ପରିବର୍ତ୍ତନ କରାଯାଇଥିବ ସଫେଇ ଦିଆଯାଇଛି। ଯାହା ଗାନ୍ଧିଙ୍କ ଭଳି ଦୃଶ୍ୟମାନ ହେଉଥିଲା। ଗାନ୍ଧିଙ୍କୁ ଏଭଳି ଘୋର ଅପମାନ ନେଇ ପୁଲିସରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସର୍ବଭାରତୀୟ ହିନ୍ଦୁ ମହାସଭା ପଶ୍ଚିମବଙ୍ଗ ଶାଖାର ସଭାପତି ଚନ୍ଦ୍ରଚୂଡ଼ ଗୋସ୍ୱମାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ, ଆମେ ଗାନ୍ଧିଙ୍କୁ ଜଣେ ପ୍ରକୃତ ଅସୁର ରୂପରେ ଦେଖୁ। ସେ ହେଉଛନ୍ତି ପ୍ରକୃତ ଅସୁର। ତେଣୁ ଆମେ ସେହିଭଳି ଆକୃତିର ମୂର୍ତ୍ତି ତିଆରି କରିଥିଲୁ । ହେଲେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧିଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଚାପରେ ଆମେ ମୂର୍ତ୍ତି ହଟାଇ ଦେଇଥିବା ବିନା ସଙ୍କୋଚରେ କହିଛନ୍ତି। ସେ କହିଛନ୍ତି ଯେ, ଆମ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚାପ ପକାଯାଇଥିଲା । ଆମେ ଗାନ୍ଧିଙ୍କୁ ସବୁଠି ହଟାଇ ଦେବାକୁ ଚାହୁଁଛୁ।

ତାଙ୍କ ସ୍ଥାନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତି ସ୍ଥାପନ ପାଇଁ ଆମର ଇଚ୍ଛା ବୋଲି ଗୋସ୍ୱାମୀ କହିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମହିଷାସୁର ସହ ତୁଳନା କରିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତ୍ରୀବ ନିନ୍ଦା କରାଯାଇଛି। ତ୍ରୁଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ଯଦି ଏଭଳି ଘଟଣା ଘଟିଥାଏ ତେବେ ଏହାଠାରୁ ଅପବିତ୍ର ଆଉ କିଛି ନାହିଁ। ଏହା ହେଉଛି ଜାତିର ପିତା ଅତ୍ୟନ୍ତ ଅପାମାନ। ଦେଶର ସବୁ ନାଗରିକଙ୍କ ପ୍ରତି ଅପମାନ। ବିଜେପି ଏ ବାବଦରେ କିଛି ଉତ୍ତର ରଖିବକି ସେ ପ୍ରଶ୍ନ କରିଛନ୍ତି। ଗାନ୍ଧିଜୀଙ୍କୁ କେଉଁ ଆଦର୍ଶର ଲୋକେ ହତ୍ୟା କରିଛନ୍ତି ଆମେ ଜାଣିଛୁ। ତେବେ ରାଜ୍ୟ ବିଜେପି ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜମୁଦାର କହିଛନ୍ତି ଯେ, ଯଦି ଏଭଳି ଘଟଣା ଘଟିଥାଏ ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Leave a Reply

Your email address will not be published. Required fields are marked *