ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂପୁର ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂପୁର ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭିଜିଲାନ୍ସର ୨ ଜଣ ଡି.ଏସ୍‌.ପିଙ୍କ ନେତୃତ୍ବରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ଅଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରେସରିଲିଜ ସୂଚନା ଅନୁସାରେ ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନଙ୍କ ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁର ଘର,ଅଫିସ , ସମ୍ପର୍କୀୟଙ୍କ ଘର ସମେତ ମୋଟ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ରେଡ଼ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଙ୍ଗକୁ ବ୍ୟାଙ୍କ ଆକାଉଣ୍ଟ, ଜମି ବାଡ଼ି ସମ୍ପର୍କିତ କାଗଜପତ୍ର ଠାବ କରାଯାଇଛି। ଯାହାକୁ ନେଇ ଏବେ ଛାନଭିନ କରାଯାଉଛି ।

ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଛାନଭିନ୍ ଚଳାଇଛନ୍ତି। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହରପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗ ମାଟିଆ ହରପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନହଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘରେ ଏକକାଳୀନ ଚଢାଉ ଚାଲିଛି ।

Leave a Reply

Your email address will not be published. Required fields are marked *