କେନ୍ଦୁଝର ଜିଲ୍ଲାରେ ଏକାଦଶ କୃଷି ଗଣନା : ଜାନୁଆରୀରୁ ଆରମ୍ଭ ହେବ ସର୍ଭେ

କେନ୍ଦୁଝର, ୨୭.୧୨.୨୦୨୨: ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓ ଓଡି଼ଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେଏବଂ ଜିଲ୍ଲା ପ୍ରଶାସନ ତରଫରୁ ହେବାକୁ ଥିବା ଏକାଦଶ କୃଷି ଗଣନା ପାଇଁ କେନ୍ଦୁଝର ଜିଲ୍ଲାର ପ୍ରଥମ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା କୃଷି ଗଣନା ଅଧିକାରୀ ଶ୍ରୀ ଆଶିଷ୍ ଠାକରେଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି । ପାରମ୍ଭିକ ସୂଚନାରେ ଜିଲ୍ଲାପାଳ ଚଳିତ ଏକାଦଶ କୃଷି ଗଣନାର ଆଭିମୁଖ୍ୟ ସହିତ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମାବଳୀକୁ ପାଳନ କରି ସର୍ଭେ କାମ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ । ଉପନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ଶ୍ରୀ ଗଜେନ୍ଦ୍ର କୁମାର ବେହେରା ଏହି କୃଷି ଗଣନାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତ ସଦସ୍ୟଙ୍କୁ ଅବଗତ କରିବା ସହିତ ଏହି ସର୍ଭେର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୁର୍ଣ୍ଣ ହେବାକୁ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ବିଷୟରେ ଆଲୋକପାତ କରିଥିଲେ । ଚଳିତ ଡିସେମ୍ବର ମଧ୍ୟରେ ସର୍ଭେପାଇଁ ଆବଶ୍ୟକ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ସହ ସମସ୍ତ ଗଣନାକାରୀ ଓ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଇ ଜାନୁଆରୀରୁ କ୍ଷେତ୍ରୀୟ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହେବା ସହ ସୂଚନା ପ୍ରଦାନ କରାଯାଇଛି । ଏହି ଗଣନା କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ସୁପରିଚାଳିତ କରିବା ପାଇଁ ଜିଲ୍ଲା ପରିସଂଖ୍ୟାନ ଭିଭାଗର କ୍ଷେତ୍ର ସର୍ଭେୟର ଓ ନିରୀକ୍ଷକ,କୃଷି ବିଭାଗର ଗ୍ରାମ କୃଷି କର୍ମଚାରୀ ଓ ପରିଦର୍ଶକ ଏବଂ ରାଜସ୍ୱ ବିଭାଗର ଅମିନ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଆଦି କର୍ମଚାରୀ ସାମିଲ ହେବେ । ସମସ୍ତ ଗଣନାକାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ପରିସଂଖ୍ୟାନ ବିଭାଗର ଅଧିକାରୀ ଏବଂ ରାଜସ୍ୱ ନିରୀକ୍ଷକ ସୁପରଭାଇଜର ଭାବେ କାମ କରିବେ । ଜିଲ୍ଲାର ସମସ୍ତ ୨୧୩୨ ରାଜସ୍ୱ ଗ୍ରାମ ଓ ସହରାଞ୍ଚଳରେ ଏହି ସର୍ଭେ କାମ ଅନୁଷ୍ଠିତ ହେବ । ଏଥି ନିମନ୍ତେ ୧୪୬ ଜଣ ଗଣନାକାରୀ ଓ ୪୯ ଜଣ ସୁପରଭାଇଜର ଉପରୋକ୍ତ ତିନି ଭିଭାଗରୁ ନିଯୁକ୍ତି ହେବେ । ଗଣନା କାର୍ଯ୍ୟ ତଦାରଖ ଓ ଧାର୍ଯ୍ୟ ସମୟରେ ସରିବା ନିମନ୍ତେ ସମସ୍ତ ଉପଜିଲ୍ଲାପାଳ ଉପଖଣ୍ଡ ସ୍ତରୀୟ ନୋଡାଲ ଅଧିକାରୀ ଏବଂ ସମସ୍ତ ତହସିଲଦାର ତହସିଲ ସ୍ତରୀୟ ନୋଡାଲ ଅଧିକାରୀ ରୁପେ କାର୍ଯ୍ୟ କରିବେ ।

ପ୍ରକାଶ ଥାଉକି ଉଦାହରଣ ଭାବେ ୨୦ ପ୍ରତିଶତ ଗ୍ରାମକୁ ସର୍ଭେ କରାଯାଇ ଗତ ଦଶମ କୃଷି ଗଣନା କରାଯାଇଥିଲା ବେଳେ ଚଳିତ ଏକାଦଶ କୃଷି ଗଣନାରେ ଜିଲ୍ଲାର ଶତପ୍ରତିଶତ ଗ୍ରାମ ଅର୍ଥାତ ସମସ୍ତ ୨୧୩୨ ଗ୍ରାମରେ ଡିଜିଟାଲ ଭାବେ ମୋବାଇଲ୍ ଆପ୍ ମାଧ୍ୟମରେ ସମସ୍ତ ସର୍ଭେ କରାଯାଇ ତିନୋଟି ପର୍ଯ୍ୟାୟରେ ଡାଟାବେସ୍ ପ୍ରସ୍ତୁତି କରାଯିବ । ଏହି ଗଣନା କାର୍ଯ୍ୟରେ ଜମିର ମାଲିକାନା, ଜମିର ଆକାର ପ୍ରକାର, କ୍ଷୁଦ୍ର ନାମମାତ୍ର ଚାଷୀ, ବୃହତ୍ତ ଚାଷୀ, ବ୍ୟକ୍ତିଗତ ଜୋତ ,ଯୁଗ୍ମ ଜୋତ , ଆନୁଷ୍ଠାନିକ ଜୋତ, କୃଷି ଯନ୍ତ୍ରପାତି ଉପଯୋଗ, ଜୈବିକ ଓ ରାସାୟନିକ ସାର, ଔଷଧ ଆଦିର ବ୍ୟବହାର , ବ୍ୟବହୃତ ଚାଷଜମି ତଥା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବ୍ୟବହାର, ଫସଲ ପ୍ରଣାଳୀ ଆଦି ଉପରେ ତଥ୍ୟ ସଂଗ୍ରହ କରାଯିବ । ଡିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡକୁ ଏଥିପାଇଁ ବ୍ୟବହାର କରାଯିବ । ଏହି ଗଣନା କାର୍ଯ୍ୟର ପରିଚାଳନା ଓ ଅଗ୍ରଗତି ବିଭାଗ ୱେବ ପୋର୍ଟାଲରେ ମଧ୍ୟ ଅପଲୋଡ କରାଯିବ । ଆଜିର ଏହି ସମନ୍ୱୟ କମିଟି ବୈଠକ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଶ୍ରୀ ଗଜେନ୍ଦ୍ର କୁମାର ବେହେରାଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଥିବା ବେଳେ କମିଟିର ସଦସ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯଦୁମଣି ମହଲା, ଭାରପ୍ରାପ୍ତ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦିନବନ୍ଧୁ ସାହୁ, , ମୂଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ସାହୁ, ଉପନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଡା. ଜୟନ୍ତ କୁମାର ନାୟକ, ଉପନିବନ୍ଧକ, ସମବାୟ ସମିତି ଶ୍ରୀ ଶୁଭ୍ରକାନ୍ତି ତୁଙ୍ଗ, ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ଶ୍ରୀ ସଞ୍ଜିବ କୁମାର ବାରିକ, ଜିଲ୍ଲା ସୂଚନାବିଜ୍ଞାନ ଅଧିକାରୀ ଶ୍ରୀ ଅଜୟ କୁମାର ମହାପାତ୍ର, ସହକାରୀ ନିର୍ଦ୍ଦେଶକ ଶ୍ରୀ ଜୟରାମ ଟୁଡୁ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଜାତୀୟ କୃଷି ଗଣନା କାର୍ଯ୍ୟକ୍ରମକୁ ଜିଲ୍ଲାରେ ସୁଚାରୁ ରୁପେ ସମ୍ପାଦାନ ପାଇଁ ଜିଲ୍ଲାବାସୀ ଗଣନାକାରୀଙ୍କୁ ସହଯୋଗ କରିବା ସହ ଆଗାମି ଦିନରେ ହେବାକୁ ଥିବା
ଜାତୀୟ ତଥା ରାଜ୍ୟସ୍ତରୀୟ ନୂଆ କୃଷି ଉନ୍ନୟନ ଯୋଜନା କାର୍ଯ୍ୟକାରି କରିବାରେ ସହାୟକ ହେବାକୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *