ସଂକ୍ରାନ୍ତି ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ପବିତ୍ର ମକର ସଂକ୍ରାନ୍ତି. ପୁର ପଲ୍ଲୀ, ମଠ, ମନ୍ଦିର ସବୁଠି ମକର ଚାଉଳ ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଇଷ୍ଟ ଦେବୀ, ଦେବତାଙ୍କୁ ଲାଗି କରାଯାଏ | ଏଭଳି ଏକ ପବିତ୍ର ଦିନ 1843ମସିହାଜାନୁଆରୀ ମାସ 17 ତାରିଖରେ ବାଲେଶ୍ୱର ଜିଲ୍ଲା ମଲିକାଶ ପୁରରେ ଭୂମିଷ୍ଠ ହୋଇଥିଲେ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ତଥା ଓଡ଼ିଆ ଜାତୀୟ ସ୍ୱାଭିମାନର ଦିଗଦର୍ଶକ ବ୍ୟାସ କବି ଫକୀର ମୋହନ ସେନାପତି | ତାଙ୍କ ପିତା ଥିଲେ ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେଈ | ବାଲ୍ୟକାଳରୁ ସେ ପିତୃ, ମାତୃ ସୁଖରୁ ବଞ୍ଚିତ ହୋଇ ଠାକୁର ମା’କୁଚିଳା ଦେଈଙ୍କ କୋଳରେ ବଢିଥିଲେ |ତାଙ୍କର ଆଦ୍ୟ ନାମ ଥିଲା ବ୍ରଜ ମୋହନ | କିନ୍ତୁ ଶୈଶବରେ ରୋଗାକ୍ରାନ୍ତ ହୋଇ ମରଣ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ଠାକୁର ମା’ନେଇ ବାଲେଶ୍ୱର ସହରର ପୀଠ ଠାକୁରଙ୍କୁ ସମର୍ପି ଦେଇଥିଲେ | ଠାକୁରଙ୍କ ଆଶୀର୍ବାଦରୁ ସେ ସୁସ୍ଥ ହେଲାପରେ ଠାକୁର ମା’ତାଙ୍କୁ “ଫକୀରମୋହନ’ ନାମରେ ନାମିତ କରିଥିଲେ |ସେହି ସଂକ୍ରାନ୍ତି ପୁରୁଷ ଯଥାର୍ଥରେ ସେ ଥିଲେ ଓଡ଼ିଆଙ୍କର ସେନାପତି |ଯେତେବେଳେ ଏ ଜାତି ରାଜକୁମାର ଓ ରାଜକୁମାରୀ ମାନଙ୍କ ଶୃଙ୍ଗାର ତଥା ମିଳନ ବିଷୟ ଚର୍ଚ୍ଚା କରିବାରେ ମଗ୍ନ ଥିଲା, ସେହି ସମୟରେ ଫକୀର ମୋହନଙ୍କ ଭଳି ମହାନ ସମାଜ ସଚେତନ ସାରସ୍ୱତ ସାଧକ ସମାଜର ଅତି ସାଧାରଣ ତଥା ଅତ୍ୟାଚାରିତ “ସାରିଆ’ଓ “ଭଗିଆ”ପରି ଚରିତ୍ରଙ୍କୁ ସାହିତ୍ୟ ମାଧ୍ୟମରେ ଆଣି ଜନ ସମାଜ ସମ୍ମୁଖରେ ଉପସ୍ଥାପନ କଲେ | ଯେତେବେଳେ ଓଡ଼ିଆ ଜାତି ପଦ୍ୟ ସାହିତ୍ୟରେ ଉତ୍କର୍ଷ ଲାଭ କରିଥିଲା, କିନ୍ତୁ ଗଦ୍ୟ ସାହିତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଦରିଦ୍ର ଥିଲା ସେତେବେଳେ ଫକୀରମୋହନ କ୍ଷୁଦ୍ର ଗଳ୍ପ ଓ ଉପନ୍ୟାସ ରଚନା କରି ଓଡ଼ିଆ ଗଦ୍ୟ ସାହିତ୍ୟକୁ ନୂତନ ଦିଗଦର୍ଶନ ଦେଇଥିଲେ | ଏହି ଦୃଷ୍ଟିରୁ ତାଙ୍କୁ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କହିଲେ ଅତ୍ୟୁକ୍ତି ହେବନାହିଁ,|
ତାଙ୍କ ରଚିତ କ୍ଷୁଦ୍ର ଗଳ୍ପ ‘ରେବତୀ ‘ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ | ତାଙ୍କ ଲିଖିତ ମାମୁଁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ଲଛମା, ଏବେବି ପାଠକ ମାନଙ୍କୁ ଆକର୍ଷିତ କରେ.| ତାଙ୍କ ଆତ୍ମ ଜୀବନୀ ‘ଆତ୍ମ ଜୀବନ ଚରିତ’ଓଡ଼ିଆ ସାହିତ୍ୟର ଅମୁଲ୍ୟ ଗ୍ରନ୍ଥ.| ‘ହାଟ ବାହୁଡା଼’କବିତାର ଶାଣିତ ବ୍ୟଙ୍ଗ ଏବେବି ପାଠକ ମାନଙ୍କୁ ଅମୋଦିତ କରେ | ତାଙ୍କ ବିଷୟରେ ପ୍ରେମ ପ୍ରଣୟର କବି ମାୟାଧର ମାନସିଂ ଯଥାର୍ଥରେ କହିଥିଲେ ‘ସେ ହେଉଛନ୍ତି ଓଡ଼ିଆ ସାହିତ୍ୟର Thomas Hardy.’ ବ୍ୟାସ କବି, ଦାର୍ଶନିକ, ସମାଲୋଚକ, ଔପନ୍ୟାସିକ,ଗାଳ୍ପିକ, ପ୍ରଜ୍ଞା ପୁରୁଷ ଫକୀର ମୋହନଙ୍କ ତିରୋଧାନ ଘଟିଥିଲା 1918ମସିହା ଜୁନ 14ତାରିଖରେ |ଏହି ଯୁଗ ପୁରୁଷଙ୍କ ଉଦ୍ଦେଶ୍ୟରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |


ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ,
ଓଡ଼ିଆ ଜାତୀୟ ସମ୍ମିଳନୀ |ଦୂରଭାଷ 9238304919

Leave a Reply

Your email address will not be published. Required fields are marked *