ରୋଗଗ୍ରସ୍ତ ସ୍ବାମୀ ହସ୍ପିଟାଲ୍‌ରେ ପଡିଥିବା ବେଳେ ଅନ୍ୟ ଜଣଙ୍କୁ ବିବାହ କଲେ ସ୍ତ୍ରୀ

ଜଳେଶ୍ୱର: ରୋଗଗ୍ରସ୍ତ ସ୍ବାମୀ ହସ୍ପିଟାଲ୍‌ର ବେଡ୍‌ ଉପରେ ପଡ଼ି ମରଣ ସହ ଲଢ଼େଇ କରୁଛନ୍ତି। ଆଉ କିଛି ଘଣ୍ଟା ପରେ ତାଙ୍କର ଅସ୍ତ୍ରୋପଚାର ହେବାର ଥିଲା‌। ଏପରି ସମୟରେ ପତ୍ନୀ ସ୍ବାମୀଙ୍କ ସହ ରହିବା କଥା। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଦେବାଦେବୀଙ୍କୁ ପୂଜିବା କଥା। ହେଲେ ଜଳେଶ୍ୱର ଅଞ୍ଚଳର ଜଣେ ମହିଳା ଅନ୍ୟଜଣେ ପୁରୁଷଙ୍କୁ ବିବାହ କରିବା ଭଳି ଅଭାବନୀୟ ଘଟଣା ଘଟିଛି।

ଜଳେଶ୍ବର ବ୍ଲକ୍‌ ଗୋପୀମୋହନପୁର ଅଞ୍ଚଳର ମାନସ (ଛଦ୍ମନାମ) ୨୦୨୦ ମସିହାରେ ବାଲିଆପାଳ ଥାନା କଟିସାହି, ସୁନାରୁଇ ଅଞ୍ଚଳର ମାମା (ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଜଣେ ୧୩ ମାସର ଝିଅ ଅଛନ୍ତି। ତେବେ ଗତ ସପ୍ତାହ ତଳେ ମାନସଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ନେଇଯାଇଥିଲେ। ଆଜି ସନ୍ଧ୍ୟାରେ ମାନସଙ୍କ ଅସ୍ତ୍ରୋପଚାର ହେବା କଥା। ତେବେ ମାମା ଗତକାଲି ସକାଳେ ଶାଶୂଘରୁ ନିଜର ସମସ୍ତ ସୁନାଗହଣା, ବିଭିନ୍ନ ପରିଚୟ ପ୍ରମାଣପତ୍ର, ୧୩ ମାସର ଝିଅକୁ ଧରି ମାନସ କିଣିଦେଇଥିବା ସ୍କୁଟିରେ କେଉଁଆଡ଼େ ପଳାଇଥିଲେ। ରାତିରେ ଘରକୁ ନଫେରିବାରୁ ଶାଶୂଘର ଲୋକ ଖୋଜାଖୋଜି କରିଥିଲେ।

ପରେ ଜାଣିବାକୁ ପାଇଲେ ଯେ ଖଏର୍ଦ୍ଦା ଅଞ୍ଚଳର ଜଣେ ଯୁବକଙ୍କ ସହ ମାମା ଜଳେଶ୍ୱର ଚନ୍ଦନା ନିକଟରେ ଅଛନ୍ତି। ଆଜି ଅପରାହ୍ନରେ ମାମାଙ୍କ ଦେଡ଼ଶୁର ଓ ନଣଦେଇ ତାଙ୍କ ପାଖକୁ ଯାଇ କଥା ହୋଇଥିଲେ। ମାମା ଯେଉଁ ଯୁବକଙ୍କ ସହ ରାତିରେ ଥିଲେ, ତାଙ୍କୁ ଭଲପାଉଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଫଳରେ ଆଇନଜୀବୀଙ୍କ ଉପସ୍ଥିତିରେ ଉକ୍ତ ଯୁବକ ସହ ମାମାଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ମାମା ସାଙ୍ଗରେ ନେଇଯାଇଥିବା ସ୍କୁଟି ଓ ମାନସ କିଣି ଦେଇଥିବା ସୁନାଗହଣା ଶାଶୂଘର ଲୋକଙ୍କୁ ଦେଇଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *