କେନ୍ଦୁପତ୍ର ହିତାଧିକାରୀଙ୍କୁ ୨ୟ ପର୍ଯ୍ୟାୟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ମିଳିବ ୧୧୧ କୋଟି ଟଙ୍କା ସହାୟତା

କେନ୍ଦୁପତ୍ର ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି । ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦୁପତ୍ର ହିତାଧିକାରୀଙ୍କୁ ୧୧୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ । ଗୋଟିଏ ଫସଲ ବର୍ଷରେ ଏପରି ସହାୟତା ଏକ ସର୍ବକାଳୀନ ରେକର୍ଡ ।

ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣି ବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ। ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ।

କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ।

Leave a Reply

Your email address will not be published. Required fields are marked *