ଆପୋଲୋ ହସ୍ପିଟାଲ ଦ୍ବାରା ସରକାରଙ୍କ ଶ୍ରମବିଭାଗକୁ ଉପହାସ : ପ୍ରତିବାଦରେ ଧାରଣା ଦେବ ଭାରତୀୟ ମଜଦୂର ସଂଘ

ଭୁବନେଶ୍ୱର: ରାଜ୍ୟରେ ଗରିବ ଜନସାଧାରଣଙ୍କୁ ଜରୁରୀ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଓ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଇତ୍ୟାଦି ସର୍ତ୍ତରେ ଜମି ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଆପୋଲୋ ହସ୍ପିଟାଲ ଆଜି ନିଜର ଲାଭାଂଶ ବୃଦ୍ଧି କରିବା ସହିତ ଗରିବ ଜନସାଧାରଣ ତଥା ନିଯୁକ୍ତି ହୋଇଥିବା କର୍ମଚାରୀଙ୍କୁ ଶୋଷଣ କରିବା କାମ କରୁଛି | ଶ୍ରମ ବିଭାଗର ନିର୍ଦେଶ କୁ ପାଳନ କରୁନାହିଁ | ନିକଟ ଅତୀତରେ ଭାରତୀୟ ମଜଦୁର ସଂଘ ଶ୍ରମିକ ନିର୍ଯାତନା ବନ୍ଦ କରିବା , ଜନସାଧାରଣଙ୍କୁ ସରକାରୀ ନିୟମ ଅନୁସାରେ ସ୍ବାସ୍ଥ୍ୟ ସୁବିଧା ଯୋଗେଇଦେବା ଆଦି ଦାବିନେଇ ଧାରଣା ପ୍ରଦର୍ଶନ କରିବା ପାଇଁ ସୂଚନା ଦେଇଥିଲେ | ଶ୍ରମ ବିଭାଗର ହସ୍ତକ୍ଷେପ ଫଳରେ ତାହା ତ୍ରିପାକ୍ଷୀୟ ବୁଝାମଣା ସହ ଧାରଣା ପ୍ରଦର୍ଶନ ପ୍ରତ୍ୟାହୃତ ହୋଇଥିଲା | ବୁଝାମଣା ମୁତାବକ 29 ତାରିଖ ସୁଦ୍ଧା ସଂଘର ଦାବି ପୂରଣ ହେବା କଥା କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ ତାହା ଆପୋଲୋ କର୍ତ୍ତୃପକ୍ଷ ପାଳନ କରିନାହାନ୍ତି | ଯାହା ଶ୍ରମିକ ତଥା ଗରିବ ଜନସାଧାରଣ ମାନଙ୍କ ପାଇଁ ଉପହାସ ସଦୃଶ୍ୟ | କିଛି ଅସାଧୁ ଶ୍ରମିକ ନେତା ଓ ରାଜନେତା ଙ୍କ ଅନୈତିକ ଅନୁକମ୍ପା ଆପୋଲୋ ହସ୍ପିଟାଲ ପ୍ରତି ଥିବାରୁ ଏହା ସମ୍ଭବ ହେଉଛି ବୋଲି ସଂଘର ରାଜ୍ୟ ସଭାପତି ଶ୍ରୀ ପୃଥ୍ୱୀରାଜ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଜଣେଇଛନ୍ତି | ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ହେରଫେର ସହିତ ଉପଯୁକ୍ତ ଚିକିତ୍ସା ମଧ୍ୟ ଦେଉନଥିବାରୁ ସରକାର ବଦନାମ ହେଉଛନ୍ତି | ହସ୍ପିଟାଲ ପ୍ରତିଷ୍ଠା ପାଇଁ ଥିବା ସ୍ବାସ୍ଥ୍ୟ ବିଭାଗର ନିର୍ଦେଶନାମାକୁ ପାଳନ କରାଯାଉନାହିଁ ତେଣୁ ଏହାର ପ୍ରତିବାଦ ରେ ଆସନ୍ତା ତା 07/07/2023 ରିଖ ଶୁକ୍ରବାର ଦିନ ଠାରୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ସଂଘ ଗଣଧାରଣା ଜାରି ରଖୁବ ବୋଲି ଭାରତୀୟ ମଜଦୁର ସଂଘର ଉପ ସାଧାରଣ ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ଆଜିର ଏହି ସମ୍ମିଳନୀରେ ପ୍ରକାଶ କରିବା ସହିତ ଆପୋଲୋ ହସ୍ପିଟାଲ ର ଏହି ଶୋଷଣ ବୃତିକୁ ଜନସାଧାରଣଙ୍କୁ ଅବଗତ କରାଇବାପାଇଁ ଅନୁରୋଧ କରିଛନ୍ତି |

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଗିରିଶ ଚନ୍ଦ୍ର ମହନ୍ତ, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ପାର୍ଥସାରଥୀ ମହାନ୍ତି .ସମ୍ପାଦକ ଶ୍ରୀ ଅକ୍ଷୟ ରାଉତରାୟ,ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଲକ୍ଷ୍ମଣ ଦାସ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *