ଅପହରଣ ହୋଇଥିବା ନାବାଳିକା ଝିଅକୁ ଫେରିପାଇବାକୁ ନେହୁରା ହେଉଛନ୍ତି ବାପା

ଭୁବନେଶ୍ୱର : ”ମୋର ନାବାଳିକା ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ନନ୍ଦ କୁ ଦୁଇ ବର୍ଷ ହେବ ଅପହରଣ କରି ନିଆଯାଇଛି | ପୋଲିସରେ ଏତଲା ଦେବା ପରେ ମଧ୍ୟ ଥାନାରେ ପ୍ରାଥମିକ ତଦନ୍ତ ନକରି ଓଲଟା ମୋତେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଫେରାଇ ଦିଆଗଲା | କୋର୍ଟରେ ମାମଲା ରୁଜୁ ପରେ ମୋ ନାବାଳିକା ଝିଅକୁ ସାବାଳିକା ଦର୍ଶାଇ ମିଥ୍ୟା ରିପୋର୍ଟ ପ୍ରଦାନ କରାଯାଇଅଛି | ଯେଉଁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ମୋ ଝିଅକୁ ଅପହରଣ କରିନେଇଛି ତାଙ୍କ ଘର ପାଖରୁ ଝିଅର ସାଇକେଲ ମିଳିବା ପରେ ମଧ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ନାବାଳିକା ହୋଇଥିଲେ ମଧ୍ୟ ପସ୍କୋ ଏବଂ ଅନ୍ୟାନ ଧର୍ତ୍ତବ୍ୟ ଅପରାଧ ପରି ଦଫା ନଲଗେଇ ଅପହରଣକାରୀଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିଛି | ମାମଲା ଉଠାଇ ଦେବାକୁ ମୋତେ ବାରମ୍ବାର ଧମକ ଦେଉଛନ୍ତି | ମୋ ଝିଅକୁ ଅପହରଣ କରିଥିବା ଲକ୍ଷ୍ମୀଧର ଦଳାଇ ନାମକ ଅସାମାଜିକ ବ୍ୟକ୍ତି ସହ ସ୍ଥାନୀୟ ବୈଦେଶ୍ଵର ପୋଲିସ ହାତ ମିଳାଇ ମୋତେ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଇଆସୁଛି | ଗାଁ ରେ ସ୍ଥାନୀୟ ଲୋକଙ୍କୁ ମତାଇ ମୋତେ ଗାଁ ଭିତରକୁ ପୁରାଇ ଦେଉନାହାନ୍ତି | ମୁଁ ଦୀର୍ଘ ଦିନ ହେବ ଗାଁ ଛାଡି ବାହାରେ ରହୁଛି | ପୋଲିସ ପ୍ରଶାସନ ଓ ସରକାରଙ୍କୁ ନିବେଦନ ମୋ ଝିଅକୁ ଫେରେଇ ଦିଅନ୍ତୁ” | ଏଭଳି ଦାବି ସହ ବିଧାନସଭା ସମ୍ମୁଖରେ ଆଜି ଜଣେ ବ୍ୟକ୍ତି ଧାରଣାରେ ବସିଛନ୍ତି | ସେ ହେଉଛନ୍ତି ବାଙ୍କୀ କଳାପଥର ଅଞ୍ଚଳର ଚନ୍ଦ୍ରକାନ୍ତ ନନ୍ଦ | ତାଙ୍କ ପ୍ରତି ସ୍ଥାନୀୟ ବୈଦେଶ୍ଵର ଥାନା ପୋଲିସ କରିଥିବା ଅବିଚାର ବିରୁଦ୍ଧରେ ଧାରଣା ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି | ଯଦି ସରକାର ତାଙ୍କ କଥା ନଶୁଣି ନ୍ୟାୟ ପ୍ରଦାନ ନକରନ୍ତି ତେବେ ଆଗାମୀ ଦିନରେ ସେ ବିଧାନସଭା ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *