ପାଇଲଟ ସେଲବୀଙ୍କର ଶିଳ୍ପୋଦ୍ୟୋଗୀ ସୌମ୍ୟଙ୍କ ସହିତ ବିବାହ

ଭୁବନେଶ୍ୱର : କଥାରେ ଅଛି ବିଭାଘର ସ୍ଵର୍ଗରେ ଘଟିଥାଏ। ନିକଟରେ ଭୁବନେଶ୍ୱର ପାର୍ଶ୍ଵବର୍ତ୍ତୀ କୁରଙ୍ଗଠାରେ ଥିବା ମିରାଜ୍ କୋଟୟାର୍ଡ ଏକ ଭୂସ୍ବର୍ଗରେ ପରିଣତ ହୋଇଥିଲା। ଘଟଣାଟି ଥିଲା ମହିଳା ପାଇଲଟ କ୍ୟାପଟେନ ସେଲବୀ ମିଶ୍ରଙ୍କର ସୁପ୍ରସିଦ୍ଧ ଶିଳ୍ପୋଦ୍ୟୋଗୀ ସୌମ୍ୟ ମହାପାତ୍ରଙ୍କ ସହିତ ଶୁଭ ବିବାହ ଉତ୍ସବ। ମହାସମାରୋହରେ ଅନୁଷ୍ଠିତ ଏହି ବହୁ ଚର୍ଚ୍ଚିତ ଓ ଦୀର୍ଘ ପ୍ରତୀକ୍ଷିତ ପରିଣୟ ପର୍ବରେ ଭାରତ ବର୍ଷର କୋଣ ଅନୁକୋଣରୁ ଆସି ବହୁ ସୁନାମଧନ୍ୟ ବ୍ୟକ୍ତି ଯୋଗଦେଇଥିବା ଦେଖାଯାଇଥିଲା। ଏ ମଧ୍ୟରେ କଳା, ସଂସ୍କୃତି, ଶିକ୍ଷା, ସାହିତ୍ୟ, ସାମାଜିକ, ରାଜନୈତିକ, ପ୍ରଶାସନିକ, ମନୋରଞ୍ଜନ ଏବଂ ବ୍ୟବସାୟ ଜଗତର ମହାମନିଷି ମାନେ ଅନ୍ତର୍ଭୂକ୍ତ ଥିଲେ। ଉତ୍ସବର ମୁଖ୍ୟ ଉଦ୍ୟୋକ୍ତା ସେଲବୀଙ୍କର ପିତା ଡଃ ବିପିନ ବିହାରୀ ମିଶ୍ର ଏବଂ ମାତା ଡଃ ସୁକାନ୍ତି ମିଶ୍ର ବାହାରୁ ଆସିଥିବା ପ୍ରାୟ ସହସ୍ରାଧିକ ଅତିଥିଙ୍କର ଖୁବ ଭବ୍ୟ ଢଙ୍ଗରେ ସେବା ଓ ସତ୍କାର କରିଥିଲେ। ଆଗନ୍ତୁକ ମାନଙ୍କର ଉପସ୍ଥିତି ଓ ରହଣିକୁ ଆରାମଦାୟକ ଓ ଉପଭୋଗ୍ୟ କରିବା ପାଇଁ ସ୍ବାଗତକର୍ତ୍ତାଙ୍କ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବର ସୌମ୍ୟଙ୍କର ମାତା ପିତା ସୁଲୋଚନା ମହାପାତ୍ର ଏବଂ ମନୋରଞ୍ଜନ ମହାପାତ୍ର ମଧ୍ୟ ଭିଭିଆଇପି ମାନଙ୍କୁ ଶଙ୍ଖୁଳି ନେବା ନେଇ ବେଶ ଉତ୍ସାହିତ ଓ ସମର୍ପିତ ଥିବା ପରିଲକ୍ଷିତ କରାଯାଇଥିଲା। ଏହି ବିବାହକୁ କେନ୍ଦ୍ର କରି ବର କନ୍ୟା ଉଭୟଙ୍କର ପରିବାରବର୍ଗ, ବନ୍ଧୁ ବାନ୍ଧବ ଏବଂ ପ୍ରିୟ ପରିଜନମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ ଓ ଅଫୁରନ୍ତ ଉଦ୍ଦୀପନା ପ୍ରକାଶ ପାଇବାର ଅନୁଭୂତି ନିଆରା ଥିଲା। ବାରିପଦାରେ ଜନ୍ମିତ ଅନନ୍ୟ ପ୍ରତିଭା ସମ୍ପନ୍ନ ବର ସୌମ୍ୟ ରଞ୍ଜନ ମହାପାତ୍ର ଏବେ ବେଙ୍ଗାଲୁରୁସ୍ଥିତ ମଡର୍ଣ୍ଣ ଡାଇମେନସନ୍ କମ୍ପାନୀରେ ନିର୍ଦ୍ଦେଶକ ପଦବୀରେ ଅଧିଷ୍ଠିତ ହୋଇ ପ୍ରଶାନ୍ତ ମହାସାଗରୀୟ ଓ ମଧ୍ୟ ପ୍ରାଚ୍ୟ ଇଲାକାର ବ୍ୟବସାୟ ମୁଖ୍ୟ ଅଛନ୍ତି। କେଉଁଝର ଠାରେ ଜନ୍ମଲାଭ କରି ମୁମ୍ବାଇରେ ବଢ଼ି ଥିବା ଅସାଧାରଣ ପାରଦର୍ଶିତା ଭରା କନ୍ୟା ସେଲବୀ ଗତ ସାତ ବର୍ଷ ହେଲା ଏୟାର ଏସିଆ ବିମାନ ବାହିନୀରେ ପାଇଲଟ ଭାବରେ କାର୍ଯ୍ୟରତ ଅଛନ୍ତି। ମୁମ୍ବାଇରେ ବସବାସ କରୁଥିବା ଡଃ ବିପିନ ବିହାରୀ ମିଶ୍ର ଏବଂ ଡଃ ସୁକାନ୍ତି ମିଶ୍ର ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଯୁଗ୍ମ ପ୍ରତିଷ୍ଠାତା ଅଟନ୍ତି। ଏହି ସଂସ୍ଥା ଦେଶ ମଧ୍ୟରେ ସମାଜସେବା, ସ୍ବାସ୍ଥ୍ୟଯତ୍ନ, ପରିବେଶ ସୁରକ୍ଷା ଏବଂ ଗରିବୀ ନିରାକରଣ ନେଇ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛି। ଡଃ ବିପିନ ବିହାରୀ ମିଶ୍ର ଓଡ଼ିଆ ସମାଜର ସମ୍ପାଦକ, ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି, ଦୁର୍ନୀତି ନିବାରଣ କମିଟିର ଜାତୀୟ ସମ୍ପାଦକ, ସର୍ବଭାରତୀୟ ବ୍ରାହ୍ମଣ ମହାସଭାର ସଭାପତି ଏବଂ ୱାର୍ଲଡ ଓଡ଼ିଶା ସୋସାଇଟିର ଭାରତୀୟ ଅଧ୍ୟାୟର ସଭାପତି ଆଦି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ଅଛନ୍ତି। ଉଭୟ ପୁର୍ବ ଦିନର ସଙ୍ଗୀତ ସନ୍ଧ୍ୟା ଓ ବିବାହ ଉତ୍ସବ ଖୁବ ଆଡ଼ମ୍ବର ପୂର୍ଣ୍ଣ ଓ ଆଭିଜାତ୍ୟ ସଂପନ୍ନ ଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଚନ୍ଦ୍ରଶେଖର ସାହୁ, ପୂର୍ବତନ ରାଜ୍ୟମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ବେହେରା, ପ୍ରତାପ ଜେନା, ଦେବାଶିଷ ନାୟକ, ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋପାଳ ତ୍ରିପାଠୀ, ବିଓଡବ୍ଲୁଏର ସଭାପତି ଡଃ କାନନିକା ତ୍ରିପାଠୀ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ ଜେନା, ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରାୟ, ସାମ୍ବାଦିକ ରୀତା ପାତ୍ର, ଭୁବନେଶ୍ୱର ରୋଟାରୀ କ୍ଳବ ଇକୋର ପ୍ରତିଷ୍ଠାତା ରାମକୃଷ୍ଣ ଦାଶ, ପୂର୍ବତନ ଏଆରସି କୃପାନିଧି ବିଶ୍ଵାଳ, ବିଜେପି ନେତା ଭୃଗୁ ବକ୍ସିପାତ୍ର, ଲାୟନ୍ସ କ୍ଳବର ପ୍ରାକ୍ତନ ସଭାପତି ଇଂ ବିପିନ ନାୟକ ଏବଂ ଅସୀମ ଓଡ଼ିଶାର ସଂସ୍ଥାପକ ସଦସ୍ୟ ପିଙ୍କିସ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ବିଶିଷ୍ଟ ଗାୟିକା ଅନିନ୍ଦିତା ଦାସ ଏବଂ ଗାୟକ ସୁଜିତ କୁମାର ପରିଡ଼ା ସୁମଧୁର ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସୁଦକ୍ଷ ଉପସ୍ଥାପକ ଶୋଭନା ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁସଂଯୋଜନା କରିଥିଲେ। ବିବାହ ସମାରୋହରେ ପ୍ରାୟ ତିନି ହଜାର ଅତିଥି ଯୋଗ ଦେଇଥିଲେ। ଦିନ ୧୧ଟା ବେଳେ ବର ସୌମ୍ୟ ଏକ ସୁନ୍ଦର ସୁସଜ୍ଜିତ ଧଳା କାର ଚଢ଼ି ଆସି ମିରାଜ କୋର୍ଟୟାର୍ଡରେ ଆବିର୍ଭାବ ହୋଇଥିଲେ। ବରଙ୍କର ରାଜକୀୟ ଆଗମନ ଖୁବ ଜାକଜମକ ଓ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଘଟିଥିଲା।ଧୋବ ଫରଫର ରୋପ୍ୟ ଖଚିତ ସେରୱାନିରେ ସେ ବେଶ ଆକର୍ଷଣୀୟ ଓ ଗମ୍ଭୀର୍ଯ୍ୟମୟ ଲାଗୁଥିଲେ। ବ୍ୟାଣ୍ଡ ବାଜା ଓ ଲୋକପ୍ରିୟ ସଙ୍ଗୀତର ଗହଗହ ନାଦରେ ସମଗ୍ର କୋଟୟାର୍ଡର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ବର ଓ ବରଯାତ୍ରୀଙ୍କୁ ଡଃ ମିଶ୍ରଙ୍କ ପରିବାର ଓ ପରିଜନଙ୍କ ତରଫରୁ ନାଲି ଗାଲିଚା ବିଛାଇ ହାର୍ଦ୍ଧିକ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ପରେ ସୌମ୍ୟଙ୍କୁ ଖୁବ ସୁନ୍ଦର ଓ ସୁରମ୍ୟ ଢଙ୍ଗରେ ସଜ୍ଜିତ ବିବାହ ବେଦୀକୁ ପାଛୋଟି ନିଆଯାଇଥିଲା। ପୂଜକ ରତିକାନ୍ତ ମିଶ୍ର ଧାର୍ମିକ ବିଧି ମୁତାବକ ବିବାହ କାର୍ଯ୍ୟ ଆରମ୍ଭ କରିଥିଲେ। ବିବାହ ବେଦୀ ନିକଟରେ ଡଃ ବିପିନ ମିଶ୍ରଙ୍କର ପିତାମାତା କ୍ଷେତ୍ରବାସୀ ମିଶ୍ର ଓ ସୂର୍ଯ୍ୟମଣି ମିଶ୍ର ଉପସ୍ଥିତ ରହି ବର କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ। ଶୁଭ ସମୟ ଉପସ୍ଥିତ ହେବା କ୍ଷଣି କନ୍ୟା ସେଲବୀଙ୍କୁ ବିବାହ ବେଦୀକୁ ଅଣା ଯାଇଥିଲା। ମୁଗ୍ଧା ସିଲ୍କ ଦ୍ଵାରା ପ୍ରସ୍ତୁତ ନାରଙ୍ଗୀ ସ୍ଵର୍ଣ୍ଣ ରଙ୍ଗରେ ଜାଜ୍ଵଲ୍ୟମାନ କାଞ୍ଜିବରମ୍ ଶାଢ଼ୀ ପିନ୍ଧି ସେ ଅପସରା ଭଳି ଲାଗୁଥିଲେ। ବିବାହ ଦିନ ବେଳା ସମ୍ପନ୍ନ ହୋଇଥିବା ବେଳେ ବନ୍ଧୁମିଳନ ଓ ଭୋଜିଭାତ ଡଃ ମିଶ୍ରଙ୍କ ପରିବାର ତରଫରୁ ସଂଧ୍ୟାରେ ଆୟୋଜନ କରାଯାଇଥିଲା। ରଙ୍ଗ ବେରଙ୍ଗର ଫୁଲରେ ସୁସଜ୍ଜିତ ମଞ୍ଚରେ ଆସୀନ ନବଦମ୍ପତି ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ଏକ ଘନ ନୀଳ ରଙ୍ଗର ଚକମକ୍ କରୁଥିବା ଲେହେଙ୍ଗା ପିନ୍ଧି ସେଲବୀ ଏବଂ ନୀଳ ରଙ୍ଗର କୁର୍ତ୍ତା ପାଇଜାମା ଓ ସମାନ ରଙ୍ଗର କୋର୍ଟ ପରିଧାନ କରି ସୌମ୍ୟ ବେଶ୍ ମର୍ମସ୍ପର୍ଶୀ ଲାଗୁଥିଲେ। ବରକନ୍ୟାଙ୍କ ଯୋଡ଼ି ଖୁବ୍ ଶୁଭପ୍ରଦ ଓ ସୋନ୍ଦର୍ଯ୍ୟମୟ ଥିଲା। ଚତୁର୍ପାଶ୍ଵରୁ ସେମାନଙ୍କ ଉପରେ ଆଶୀର୍ବାଦର ବର୍ଷଣ ଚାଲିଥିଲା। ଅତିଥି ମାନଙ୍କୁ ଦେଶୀୟ, ଆନ୍ତର୍ଦେଶୀୟ ଓ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ୭୨ କିସମର ସ୍ଵାଦିଷ୍ଟ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *