ଝାଡଖଣ୍ଡରେ ଓଡିଆ ଭାଷାକୁ ଉପେକ୍ଷା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ପ୍ରତିବାଦ ସଭା

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀର ପ୍ରଚେଷ୍ଟାରେ ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ ଝାଡଖଣ୍ଡ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ଦ୍ଵିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ । ୨୦୨୧ ମସିହାରେ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ଵିତୀୟ ରାଜ୍ୟଭାଷା ଓଡିଆକୁ ଉଚ୍ଛେଦ କରିବା ପାଇଁ ନିଷ୍ପତି ନେବା ପରେ ଓଡିଆ ଭାଷାଭାଷୀ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ହେବା ସହିତ ଷଢେଇକଳା ଓ ଖରସୁଆଁରେ ଓଡିଆ ସମାବେଶ, ଗଣ ଧାରଣା ଓ ପ୍ରତିବାଦ ହେବା ସହିତ ଉତ୍କଳ ସମ୍ମିଳନୀ ପକ୍ଷରୁ ମଧ୍ୟ ଓଡିଶାରେ ପ୍ରତିବାଦ କରାଯାଇଥିଲା । ଭାଷା ପାଇଁ ସ୍ୱର ଉଠିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖିଥିବା ବେଳେ ରାଜ୍ୟ ସରକାରଙ୍କ ତତ୍‌କାଳିନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋଙ୍କୁ ପତ୍ର ଦେଇଥିଲେ । ସେହିପରି ବିଧାନସଭାର ତତ୍‌କାଳିନ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଓଡିଶା କଂଗ୍ରେସ କମିଟିର ତତ୍‌କାଳିନ ସଭାପତି ନିରଞ୍ଜନ ପଟ୍ଟନାୟକ ଝାଡଖଣ୍ଡର କଂଗ୍ରେସ ବିଧାୟକ ଦଳର ନେତା ତଥା ମନ୍ତ୍ରୀ ଆଲାମଗିର ଆଲାମଙ୍କ ସହିତ ଆଲୋଚନା କରିଥିଲେ । ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟ ମାନେ ମଧ୍ୟ ୨୦୨୧ରେ ରାଜ ଭବନ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରତିବାଦ କରିଥିଲୁ । ଏ ସମସ୍ତ ପ୍ରତିବାଦ ସତ୍ତ୍ଵେ ମଧ୍ୟ ନିକଟରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଝାଡଖଣ୍ଡ ପ୍ରଥମିକ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା ତାଲିକାରେ ଓଡିଆ ଭାଷାର ସ୍ଥାନ ନାହିଁ । ଫଳରେ ଝାଡଖଣ୍ଡରେ ଥିବା ଲକ୍ଷଲକ୍ଷ ଓଡିଆ ବୈମାତୃକ ମନୋଭାବର ଶିକାର ହୋଇଛନ୍ତି । ଉତ୍କଳ ସମ୍ମିଳନୀ ଝାଡ଼ଖଣ୍ଡ ସରକାରଙ୍କ ଏଭଳି ନିଷ୍ପତିକୁ ନିନ୍ଦା କରିବା ସହିତ ଏହା ଦୁର୍ଭାଗ୍ୟ ଜନକ ବୋଲି କହି ଆଜି ରାଜ ଭବନ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରତିବାଦ କରିଛି । ଏଥିରେ ହସ୍ତକ୍ଷେପ କରିବା ପାଇଁ ସମ୍ମିଳନୀ ପକ୍ଷରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ଆଜିର ଏହି ପ୍ରତିବାଦ ସଭାରେ ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *