ଗଭୀର ଅବପାତର ରୂପ ନେଲା ଲଘୁଚାପ, ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା

ଗଭୀର ଅବପାତର ରୂପ ନେଇଛି ଲଘୁଚାପ। ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମବଙ୍ଗର ଖେପୂପରା ନିକଟରେ ଉପକୂଳ ଅତିକ୍ରମ କରିବ। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

୫ ଜିଲ୍ଲାକୁ ରେଡ୍‌, ୧୩କୁ ଅରେଞ୍ଜ ଆଲର୍ଟ

ଲଘୁଚାପ କାରଣରୁ ରାଜ୍ୟର ୫ ଜିଲ୍ଲାଙ୍କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ (Red Alert)ଜାରି କରାଯାଇଛି । ରେଡ୍ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିଭଳି ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ (Orange Warning) ଜାରି କରାଯାଇଛି । ସେଗୁଡିକ ହେଉଛି ଯାଜପୁର, ଭଦ୍ରକ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ସୁନ୍ଦରଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ । କେବଳ ସେତିକି ନୁହେଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଏବଂ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ସହ କୃତ୍ରିମ ବନ୍ୟା ସମ୍ଭାବନା ରହିଛି । ସେହିଭଳି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମସ୍ୟା ଉପୁଜିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଚଳିତ ମୌସୁମୀର ପ୍ରଥମ ଅବପାତ ଭଲ ବର୍ଷା କରିଥିବା ବେଳେ ଭୁବନେଶ୍ୱରରେ ରେକର୍ଡ ବର୍ଷା ହୋଇଛି ।

ସୋମବାର ଟ୍ବିନ୍ ସିଟିରେ ପ୍ରବଳ ବର୍ଷା ହୋଇଥିଲା । ଭୁବନେଶ୍ବରର ପ୍ରମୁଖ ସ୍ଥାନଗୁଡିକରେ ଦେଖିବାକୁ ମିଳିଥିଲା ଜଳବନ୍ଦୀ ସମସ୍ୟା । ଏପରିକି ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଡ୍ରେନେଜ୍ ସମସ୍ୟା କାରଣରୁ ନାହିଁନଥିବା ଅସୁବିଧାର ସାମ୍ନା ହୋଇଥିଲେ ସ୍ମାର୍ଟସିଟି ବାସିନ୍ଦା । କେବଳ ଭୁବେନେଶ୍ବର ନୁହେଁ କଟକର ବିଭିନ୍ନ ସ୍ଥାନରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଥିଲା । ତେବେ ଲଘୁଚାପ ଅଧିକ ଘନିଭୂତ ହୋଇ ଏବେ ଅତି ଭୀଷଣ ଅବପାତରେ ପରିଣତ ହେବା ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *