ଗଛରେ ହାତ ତିଆରି ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇଅଛି | ମାନବ ସମାଜକୁ ଅମ୍ଳଜାନ ପ୍ରଦାନ କରି ଜୀବନ ରକ୍ଷାକରୁଥିବା ବୃକ୍ଷମାନଙ୍କ ସଠିକ ଭାବେ ଯତ୍ନ ନେବା ତଥା ଅଧିକରୁ ଅଧିକ ବୃକ୍ଷ ରୋପଣ ଲାଗି ଜନ ସଚେତନତା ସୃଷ୍ଟି କରିବା ଲାଗି ବୃକ୍ଷ ମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା | ପରିଷଦର ସଦସ୍ୟ ମାନେ କାଗଜ, ଅଠା, କାଠ, ଡୋର ଇତ୍ୟାଦି ସାମଗ୍ରୀ ବ୍ୟବହାର କରି ରାକ୍ଷୀଗୁଡିକୁ ନିଜ ହାତରେ ତିଆରି କରିଥିଲେ ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା | ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ଜନମଙ୍ଗଳ ପରିଷଦ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରାଯାଇଥାଏ | ଆଜି ଏହି କାର୍ଯ୍ୟକ୍ରମରେ ବୃକ୍ଷ ଗୁଡିକର ସଠିକ ଯତ୍ନ ତଥା ସୁରକ୍ଷା ନିଶ୍ଚିତ କରିବା ନେଇ ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ସଙ୍କଳ୍ପ ନେଇଥିଲେ | ମହାତ୍ମାଗାନ୍ଧୀ ମାର୍ଗରେ ଲାଗିଥିବା ଶତାଧିକ ଗଛରେ ସଦସ୍ୟ ମାନେ ରାକ୍ଷୀ ବାନ୍ଧି, ପରସ୍ପରକୁ ମିଠା ଖୁଆଇ ପବିତ୍ର ରାକ୍ଷୀ ପୂର୍ଣ୍ଣମୀର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ |

ଗଛ ସବୁ ହେଉଛନ୍ତି ମାନବ ସମାଜର ପ୍ରକୃତ ରକ୍ଷାକର୍ତ୍ତା | ଗଛ ନରହିଲେ ମାନବ ସଭ୍ୟତା ତିଷ୍ଠି ରହିବା ଅସମ୍ଭବ | ତେଣୁ ବ୍ୟାପକ ଗଛ ଲଗାଇବା ସହ ଏହାର ସୁରକ୍ଷା ଜରୁରୀ | ତେଣୁ ଆମେ ରାକ୍ଷୀ ବାନ୍ଧି ଏଭଳି ଏକ ନିଆରା ଢଙ୍ଗରେ ବୃକ୍ଷ ସୁରକ୍ଷାର ସାମାଜିକ ବାର୍ତ୍ତା ଦେଉଛୁ ବୋଲି କହିଛନ୍ତି ଜନମଙ୍ଗଳ ପରିଷଦର କର୍ମକର୍ତ୍ତା ମାନେ |

ପରିଷଦର ସଦସ୍ୟ ଅଲେଖ ଚନ୍ଦ୍ର ଜେନା, ଲକ୍ଷ୍ମଣ ଦାଶ, ଲିଙ୍କନ ସାହାଣୀ, ମିଲନ ପ୍ରଧାନ, ସ୍ଥାନୀୟ ସମାଜସେବୀ ମାନି ପଣ୍ଡା ଓ ଶାନ୍ତି ଫାଉଣ୍ଡେସନର ସଞ୍ଜୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *