ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଯୋଗୁଁ ମଦ ବିକ୍ରି ୨୦ ପ୍ରତିଶତ ବୃଦ୍ଧି ; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦିଲ୍ଲୀରେ ମଦ ବିକ୍ରି ହଠାତ୍ ବଢିଯାଇଛି । ଏକ ପ୍ରକାରରେ କହିଲେ ଲୋକମାନେ ଆତଙ୍କିତ ହୋଇ ମଦ କିଣି ଘରେ ଗଚ୍ଛିତ ରଖୁଛନ୍ତି। ଗତ ପ୍ରାୟ ଏକ ସପ୍ତାହ ହେବ ମଦ ଦୋକାନରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଗ୍ରାହକମାନେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଆସୁଛନ୍ତି ଏବଂ ସେମାନେ ସ୍ୱାଭାବିକ ଠାରୁ ଅଧିକ ମଦ କିଣୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଦ ବିକ୍ରି ୨୦ ପ୍ରତିଶତ ବୃଦ୍ଧି ପାଇଛି। ଅଗଷ୍ଟ ୨୨ ପରେ ମଦ ଦୋକାନକୁ ଅଧିକ ଗ୍ରାହକ ଆସୁଛନ୍ତି। ଦିଲ୍ଲୀରେ ମଦ କିଣିବା ପାଇଁ ଏହି ଗହଳି ପଛରେ ଜି-୨୦ ଶିଖର ସମ୍ମିଳନୀକୁ ଦାୟୀ କରାଯାଉଛି।

ଦିଲ୍ଲୀର ପ୍ରଗତି ମଇଦାନରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ନେତାମାନେ ଦିଲ୍ଲୀରେ ଏକାଠି ହେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଆମେରିକା, ଚୀନ, ରୁଷିଆ, ବ୍ରିଟେନ, ଜାପାନ, ଜର୍ମାନୀ ସମେତ ସମସ୍ତ ଦେଶର ନେତା ଯୋଗଦେବେ । ଏଥିପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି କାରଣରୁ ଦିଲ୍ଲୀର କେତେକ ସ୍ଥାନରେ ମିନି ଲକଡାଉନ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି ।

କରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ଲକଡାଉନର ସ୍ମୃତି ଏବେ ବି ଲୋକଙ୍କ ମନରେ ତାଜା ରହିଛି । ସେହି ସମୟରେ ମାସ ମାସ ଧରି ମଦ ଦୋକାନ ବନ୍ଦ ରହିଥିଲା। ଏହି କାରଣରୁ ଲୋକମାନେ ମଦ କିଣିବା ଓ ମହଜୁଦ ରଖିଥିଲେ । ଏବେ ପୁଣିଥରେ ଦିଲ୍ଲୀରେ ଲକଡାଉନ ଗୁଜବ ଏତେ ବ୍ୟାପିଛି ଯେ ଲୋକମାନେ ଆଗୁଆ ମଦ କିଣି ମହଜୁଦ ରଖୁଛନ୍ତି ।

Leave a Reply

Your email address will not be published. Required fields are marked *