ଜୋର ଧରିଲା ଉଦୟନିଧିକୁ ଗିରଫ ସହ ଦଣ୍ଡ ଦାବି : ରାଜଧାନୀରେ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ତାତି

ଭୁବନେଶ୍ବର : ସାରା ଦେଶର ଜନ ମାନସରେ ଘୃଣା ସୃଷ୍ଟିକାରୀ ବୟାନ ଦେଇ ସନାତନ ଧର୍ମକୁ ଅପମାନିତ କରିଥିବା ଉଦୟାନିଧିଙ୍କ ଗିରଫ ସମେତ ସନାତନ ଧର୍ମ ଉଚ୍ଛେଦ ସମ୍ମିଳନୀ ଆୟୋଜନ କରିଥିବା ସଙ୍ଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ଦାବି ନେଇ ଭୁବନେଶ୍ୱରରେ ବିଭିନ୍ନ ହିନ୍ଦୁ ସନାତନୀ ସଙ୍ଗଠନମାନଙ୍କ ପକ୍ଷରୁ ଏକ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜନ୍ମାଷ୍ଟମୀ ଭଳି ହିନ୍ଦୁ ଧର୍ମର ଏକ ଗଣ ପର୍ବ ଅବସରରେ ଜନସାଧାରଣଙ୍କ ସାମାଜିକ ଉତ୍ସବକୁ କୌଣସି ପ୍ରତିବନ୍ଧକ ନପହଞ୍ଚାଇ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ମାଧ୍ୟମରେ ସରକାର୍, ପ୍ରଶାସନ ଓ ସନାତନ ସଂସ୍କୃତିର ବିରୋଧୀ ତତ୍ତ୍ଵମାନଙ୍କୁ ସଚେତନ କରାଇବା ପାଇଁ ସାଧାରଣ ହିନ୍ଦୁମାନେ ଏକତ୍ରିତ ହୋଇଥିଲେ । ଭାରତର ମାଟି, ପାଣି , ପବନ, ନଦନଦୀ, ପର୍ବତ ଆଦି ସର୍ବତ୍ର ସନାତନ ସଂସ୍କୃତି ବିଦ୍ୟମାନ ଥିଲା ବେଳେ ଏହାର ଉଚ୍ଛେଦ ପାଇଁ ସମ୍ମିଳନୀ ଆୟୋଜନ କରିଥିବା ସଙ୍ଗଠନ ନିଶ୍ଚିତ ଭାବରେ ଦେଶ ବିରୋଧୀ ବିଦେଶୀ ଶକ୍ତି ସହିତ ସମ୍ପର୍କିତ ବୋଲି ଅଭିଯୋଗ କରିଥିଲେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ରାଜ୍ୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ଷଡ଼ଙ୍ଗୀ । କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଲେ ଯେ ଭାରତ ସମସ୍ତ ହିନ୍ଦୁ ମାନଙ୍କର ମାତୃଭୂମି, ପିତୃଭୂମି ଓ ପୁଣ୍ୟଭୂମି ମଧ୍ଯ । ପୂଣ୍ୟତୋୟା ଗଙ୍ଗାଠାରୁ ଗୋଦାବରୀ, ନର୍ମଦା, କୃଷ୍ଣା, କାବେରୀ ଆଦି ସମସ୍ତ ନଦୀ ସନାତନ ସଂସ୍କୃତିର ଅବଧାରକ । ଦେବାତ୍ମା ହିମାଳୟ ଠାରୁ ଆରମ୍ଭ କରି କପିଳାସ, ଗନ୍ଧମାର୍ଦ୍ଦନ, ମଣିନାଗ, ମହେନ୍ଦ୍ରଗିରି ପର୍ବତ ଆଦି ସନାତନୀ ନାମରେ ନାମିତ । ଆମର ସାହିତ୍ୟ, ସଙ୍ଗୀତ, ନାଟକ, ଗୀତିନାଟ୍ୟ, ସୁଆଙ୍ଗ, ପାଲା, ଦାସକାଠିଆ, ଭଜନ, କୀର୍ତ୍ତନ, ଜଣାଣ, ସଂକୀର୍ତ୍ତନ ଆଦି ସବୁ କିଛି ସନାତନ । ଆମର ଶରୀରରୁ ପ୍ରାଣ ପର୍ଯ୍ୟନ୍ତ ସବୁ କିଛି ସନାତନ ଥିଲା ବେଳେ ଏ ସନାତନ ବିରୋଧୀମାନେ କାହାକୁ କାହାକୁ ଉଚ୍ଛେଦ କରିବା ପାଇଁ ସମ୍ମିଳନୀ ଆୟୋଜନ କରିଥିଲେ ତାହା ତଦନ୍ତ ପରିସରକୁ ଅଣାଯାଇ ସର୍ବ ସମ୍ମୁଖରେ ଉପସ୍ଥାପନ କରାଯାଉ ବୋଲି ସେ ଦାବି କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଜନଜାଗରଣ ମହାସଂଘ ସହପ୍ରତିଷ୍ଠାତା ଶ୍ରୀଯୁକ୍ତ କୃତିବାସ ରଥ ସନାତନ ବିରୋଧୀମାନଙ୍କୁ ଦେଶ ବିରୋଧୀ ବୋଲି ଅଭିଯୋଗ କରି ସେମାନଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ସହ ସରକାର ଏ ପ୍ରସଙ୍ଗକୁ ଗମ୍ଭୀର ଭାବରେ ଦାୟିତ୍ୱ ନିଅନ୍ତୁ ବୋଲି କହିଥିଲେ । ଆଜି ପବିତ୍ର ଜନ୍ମାଷ୍ଟମୀ ତିଥିରେ ୧୫ ପନ୍ଦର ବର୍ଷ ତଳେ ମିଶନାରୀ ମାନେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା କରାଇଥିଲେ । ଆଜି ସେହି ମିଶନାରୀମାନେ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରି ପୁଣି ହିନ୍ଦୁ ସମାଜର ଶାନ୍ତି ଭଙ୍ଗ କରୁଛନ୍ତି ବୋଲି ଶ୍ରୀଯୁକ୍ତ ଉଜ୍ଜଳ ପଣ୍ଡା ଅଭିଯୋଗ କରିଥିଲେ । ଭାରତ ରକ୍ଷା ମଞ୍ଚ ମହିଳା ପ୍ରକୋଷ୍ଠ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମଜା ଦେବତା ଏକତ୍ରିତ ହିନ୍ଦୁ ସଙ୍ଗଠନ ପ୍ରତିନିଧିମାନଙ୍କୁ ପରସ୍ପର ମଧ୍ୟରେ ଏକତା ରଖି ଏହି ଆସୁରୀ ଶକ୍ତିମାନଙ୍କୁ ପ୍ରତିହତ କରିବା ପାଇଁ ଆହ୍ଵାନ ଦେଇଥିଲେ । ବସୁନ୍ଧରା ପରିବାର ପକ୍ଷରୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ସମସ୍ତ ହିନ୍ଦୁ ସଙ୍ଗଠନମାନଙ୍କୁ ଏକ ହେବା ପାଇଁ ଆହ୍ଵାନ ଦେଇଥିଲେ। ଜନମଙ୍ଗଳ ପରିଷଦ ପକ୍ଷରୁ ଅଲେଖ ଜେନା, ଲକ୍ଷ୍ମଣ ଦାଶ, ରଞ୍ଜନ କର, ପ୍ରଶାନ୍ତ ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ, ରାଜୁ ପ୍ରଧାନ, ଉମେଶ ଚନ୍ଦ୍ର ଚଇନି ପ୍ରମୁଖ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *