ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ୧୧ତମ ସ୍ଥାପନା ଦିବସ ଅବସରରେ ହିନ୍ଦୁ ସମ୍ମେଳନ ଆୟୋଜିତ

ଭୁବନେଶ୍ୱର : ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଦାବି ନେଇ ବିଭିନ୍ନ ସମୟରେ ଦାବି କରି ଆସୁଥିବା ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ଆଜି ୧୧ତମ ସ୍ଥାପନା ଦିବସ ଅବସରରେ ଏକ ହିନ୍ଦୁ ସମ୍ମେଳନ ଆୟୋଜିତ ହୋଇଯାଇଛି । ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟ ସନାତନୀ ହିନ୍ଦୁ ସଙ୍ଗଠନ ପ୍ରତିନିଧିମାନଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ବିଶେଷ ଭାବରେ ସନାତନୀ ହିନ୍ଦୁମାନଙ୍କ ଏକତା ଓ ଭାରତର ଅଖଣ୍ଡତା ଉପରେ ଜୋର୍ ଦିଆଯାଇଥିଲା । ସମାରୋହର ଉଦଘାଟନ କରି ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁ କହିଲେ ଯେ ଆମର ସତ୍ୟ ସନାତନ ହିନ୍ଦୁ ଧର୍ମ ପୃଥିବୀର ସର୍ବ ପ୍ରାଚୀନ ତଥା ନିତ୍ୟ ନୂତନ ଚିରନ୍ତନ ଶାଶ୍ଵତ ଧର୍ମ । ଏହା ଅନାଦି କାଳରୁ ଏକ ଚିର ସ୍ରୋତସ୍ଵିନୀ ଗଙ୍ଗା ନଦୀ ଭଳି ଧାବମାନ। ଏକ ସହଜ ମାନବୀୟ ଜୀବନଶୈଳୀରେ ରୁଦ୍ଧିମନ୍ତ । କିନ୍ତୁ ସୁରକ୍ଷା ଓ ସଚେତନତା ଅଭାବରୁ ଯେମିତି ଗଙ୍ଗା ନଦୀରେ ମଢ଼ା ପକେଇ ଲୋକେ ଦୂଷିତ କରୁଛନ୍ତି ସେହିଭଳି ବିଦେଶୀ ତତ୍ତ୍ଵମାନଙ୍କ ସହ ମିଶି କିଛି ଦେଶ ବିରୋଧୀ ଏହି ଧର୍ମର ନିନ୍ଦା କରିବା ସହ ହିନ୍ଦୁମାନଙ୍କୁ ଅପମାନିତ କରୁଛନ୍ତି । ଏହାକୁ ସରକାରଙ୍କ ପକ୍ଷରୁ ପ୍ରତିରୋଧ କରିବା ଉଚିତ୍। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଭାରତ ଏକ ବିଚିତ୍ର ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ଥିବାରୁ ସରକାରଙ୍କ ପକ୍ଷରୁ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଣୁ ଆମ ସନାତନ ଧର୍ମକୁ କେହି ଅଲଗା ଧର୍ମର ରାଜନେତା ଡେଙ୍ଗୁ ମେଲେରିଆ ସହ ତୁଳନା କରି ଏହାର ଉଚ୍ଛେଦ ପାଇଁ ଆହ୍ଵାନ ଦେଲେ ବି ତାଙ୍କୁ ଦଣ୍ଡବିଧାନ କରାଯାଇ ପାରୁନାହିଁ । ଅଥଚ ସଂଖ୍ୟାଲଘୁ ନାମରେ ଏକ ଅଲଗା ମନ୍ତ୍ରାଳୟ ଗଠନ କରାଯାଇ ଯେଉଁମାନେ ବିଦେଶୀ ଧର୍ମ ଆପଣେଇ ନେଇଛନ୍ତି ସେମାନଙ୍କୁ ଆର୍ଥିକ ସାହାଯ୍ୟ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଏବଂ ହଜ୍ ସବସିଡିଠାରୁ ମୌଲାନାଙ୍କ ଦରମା ପର୍ଯ୍ୟନ୍ତ ରାଜକୋଷରୁ ଖର୍ଚ୍ଚ ହେଉଛି । ଏଣୁ ଏହା ଏକ ବିଚିତ୍ର ଧର୍ମନିରପେକ୍ଷତାର ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ସେ କହିଛନ୍ତି । ଅନ୍ୟତମ ବକ୍ତା ଭାବେ ଯୋଗଦେଇ ସଂଗଠନର କର୍ଣ୍ଣାଟକ ପ୍ରଭାରୀ ଦୀନବନ୍ଧୁ ଷଡ଼ଙ୍ଗୀ କହିଲେ ଯେ ଗୋଟିଏ ସାଧାରଣ ହିନ୍ଦୁବ୍ୟକ୍ତି ଧର୍ମର ରକ୍ଷା ପାଇଁ କେଉଁ କେଉଁ ସ୍ଥାନରେ ଲଢ଼େଇ କରିବ । ଗୋଟିଏ ଦିଗରେ ଜୀବନଜୀବିକା ପାଇଁ ନିଜର ଏକ ବ୍ୟକ୍ତିଗତ ଲଢ଼େଇ ଚାଲିଥିବା ବେଳେ ସେପଟେ ବିଦେଶୀ ପଇସାରେ ତା’ର ଝିଅବୋହୂଙ୍କୁ ହରଣ କରିବା ପାଇଁ ଲଭ୍ ଜିହାଦ୍ ଚାଲିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଗୋରୁ ଚାଲାଣ କରି କଲିକତା ପଠାଯାଉଛି । ରାଜନୈତିକ ଭୋଟବ୍ୟାଙ୍କ୍ ପାଇଁ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଧାର, ଭୋଟର୍ କାର୍ଡ ଆଦି ବଣ୍ଟାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଣେ ଅବୈଧ ବାଂଲାଦେଶୀ ଥରେ ଭୋଟର୍ କାର୍ଡ ପାଇଲା ପରେ ସେ ଗରିବ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ଲାଭ ନିଏ । ଏଣୁ ଓଡ଼ିଆଙ୍କ ରାଜକୋଷରୁ ଅର୍ଥ କେଉଁ ମାର୍ଗରେ ଖର୍ଚ୍ଚ ହେଉଛି ଏଥିରୁ ସ୍ପଷ୍ଟ ଅନୁମେୟ । ପୁନଶ୍ଚ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଭୂମିହୀନ ହୋଇଥିବାରୁ ସେମାନେ ମାଗଣା ଜମି ସହ ଇନ୍ଦିରା ଆବାସ ଗୃହ ପାଇଁ ମଧ୍ଯ ଆବେଦନ କରିଥାଆନ୍ତି। ଏଭଳି ଅବସ୍ଥାରେ ଆଗାମୀ ଦିନରେ ସନାତନୀ ହିନ୍ଦୁଙ୍କ ସାମାଜିକ ସ୍ଥିତି ଓ ଭବିଷ୍ୟତ କଣ ହେବ ତାହା ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ହିନ୍ଦୁ ଏକତା ମଞ୍ଚ ସମ୍ପାଦକ ସୁରେନ୍ଦ୍ରନାଥ ମହାନ୍ତି ଓଡ଼ିଶା ତଥା ଭାରତରେ ସମସ୍ତ ସନାତନୀ ହିନ୍ଦୁ ନିଜ ନିଜର ପୂର୍ବଗ୍ରହ ତ୍ୟାଗ କରି ଏକାଠି ହେବା ପାଇଁ ଆହ୍ଵାନ ଦେଇଥିଲେ । ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ ସନାତନ ଧର୍ମ ଉପରେ ହେଉଥିବା କୁଠାରାଘାତକୁ ପ୍ରତିହତ କରିବା ନିମିତ୍ତ ସମସ୍ତ ହିନ୍ଦୁ ସଙ୍ଗଠନ ଏକାଠି ହେବା ପାଇଁ ଜୋର୍ ଦେବା ସହ ଆଗାମୀ ଅକ୍ଟୋବର ୮ ତାରିଖ ରବିବାର ଦିନ ଭୁବନେଶ୍ଵରରେ ଆୟୋଜିତ ହେବାକୁ ଯାଉଥିବା ଶୌର୍ଯ୍ୟ ପରାକ୍ରମ ଯାତ୍ରାର ଉଦଯାପନୀ ଉତ୍ସବରେ ଯୋଗଦେଇ ଓଡ଼ିଶାର ବରପୁତ୍ର ବୀର ଶହୀଦ ମାନଙ୍କୁ ସମ୍ମାନ ଜଣାଇ ସନାତନୀ ହିନ୍ଦୁ ଓଡ଼ିଆ ଏକତାର ପରିଚୟ ଦେବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ଭୁବନେଶ୍ଵର ଜିଲ୍ଲାମୁଖ୍ୟ ବିବେକ ନାୟକ, ଅମୂଲ୍ୟ ଚନ୍ଦ୍ର ସାହୁ, ଭାଗିରଥୀ ନାୟକ, ରଞ୍ଜନ କର, ଜଳନ୍ଧର ପ୍ରଧାନ ରାଜେଶ୍ ସାମଲ, ଶ୍ରୀତେଜ୍ କଳସ, ନିରଞ୍ଜନ ନାୟକ, ମନୋରଞ୍ଜନ ମହାରଣା, ନୀଳମାଧବ ଦାଶ, ଉଜ୍ଜଳ ପଣ୍ଡା , ବଳଭଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *