ପରିବାର ଲୋକେ କଲେ ପର, କୁଷ୍ଠାଶ୍ରମରେ ମିଳିଲା ଜୀବନସାଥି : ୬୩ ବର୍ଷର ବରକୁ ୬୫ ବର୍ଷର କନ୍ୟା

ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠ ବାମପଦାସ୍ଥିତ କୁଷ୍ଠାଶ୍ରମରେ ଗତକାଲି ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ପରିଣତ ବୟସରେ କୁଷ୍ଠାଶ୍ରମର ୨ ଜଣ ଅନ୍ତେବାସୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କୁଷ୍ଠାଶ୍ରମର ଡାକ୍ତର ଓ ଅନ୍ତେବାସୀଙ୍କ ସହଯୋଗରେ ଆଶ୍ରମ ପରିସରରେ ନିରାଡ଼ମ୍ବର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ବର ଦାସ ମାରାଣ୍ଡିଙ୍କ ବୟସ ୬୩ ବର୍ଷ ହୋଇଥିବା ବେଳେ କନ୍ୟା ପଦ୍ମାବତୀ ଦାସଙ୍କୁ ୬୫ ବର୍ଷ। ପଦ୍ମାବତୀଙ୍କ ଘର ଔପଦା ବ୍ଲକ୍‌ ଜୁଡ଼ା ଅଞ୍ଚଳରେ। ଆଜିକୁ ୧୦ ବର୍ଷ ତଳେ ସେ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଘୃଣାଚକ୍ଷୁରେ ଦେଖିଲେ। ଶେଷରେ ପଦ୍ମାବତୀ ଘର ଛାଡ଼ି ବାମପଦାରେ ଥିବା କୁଷ୍ଠାଶ୍ରମରେ ରହି ଚିକିତ୍ସିତ ହେଉଥିଲେ। ଏବେ ପଦ୍ମାବତୀ କୁଷ୍ଠରୋଗରୁ ମୁକ୍ତ ହୋଇଛନ୍ତି। ମାତ୍ର ସେ ଆଉ ଘରକୁ ନ ଫେରି ସେହି ଆଶ୍ରମରେ ରହୁଛନ୍ତି। ଅନ୍ୟପଟେ ବାଲେଶ୍ବର ସଦର ବ୍ଲକ୍‌ ସାର୍ଥା ଗ୍ରାମର ଦାସ ମାରାଣ୍ଡି କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଆଜିକୁ ୩ ବର୍ଷ ତଳେ ଆସି ଏହି କୁଷ୍ଠାଶ୍ରମରେ ରହିବା ପରେ ସେ ଆରୋଗ୍ୟ ହୋଇଛନ୍ତି। ସେ ମଧ୍ୟ ଘରକୁ ଆଉ ଫେରି ନଥିଲେ। ଏହା ଭିତରେ ଉଭୟଙ୍କ ମଧ୍ୟ‌ରେ ବନ୍ଧୁତା ଗଢ଼ି ଉଠିଥିଲା। ସାତଜନ୍ମର ସାଥୀ ହେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ୨ ମାସ ତଳେ ବିବାହ କରିବାକୁ ପଦ୍ମାବତୀଙ୍କୁ ଦାସ ମାରାଣ୍ଡି ପ୍ରସ୍ତାବ ଦେଇଥିଲେ। ମାତ୍ର ପଦ୍ମାବତୀ ଏଥିରେ ରାଜି ହୋଇ ନଥିଲେ। ଏହା ଜାଣିବା ପରେ ଆଶ୍ରମର ଅନ୍ତେବାସୀ ଉଭୟଙ୍କୁ ରାଜି କରାଇଥି‌ଲେ।

କୁଷ୍ଠାଶ୍ରମର ଡାକ୍ତର ସୁମିତ୍ରା ଦେ ସେମାନଙ୍କ ବିବାହ ନିଜସ୍ବ ଖର୍ଚ୍ଚରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, କୁଷ୍ଠାଶ୍ରମ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା। ବିବାହ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କର ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ।

Leave a Reply

Your email address will not be published. Required fields are marked *