ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଟ୍ରକ୍‌କୁ ପଛରୁ ପିଟିଲା ମିନି ବସ୍‌, ୧୨ ମୃତ, ୨୩ ଆହତ

ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେର ବୈଜାପୁର ଅଞ୍ଚଳରେ। ଗତକାଲି ରାତି ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା |

ବସ୍‌ଟିରେ ମୋଟ ୩୫ ଜଣ ତୀର୍ଥଯାତ୍ରୀ ଥିଲେ। ସେମାନେ ବୁଲଢାଣା ସୈଲାନୀ ବାବା ଦରଗାହରୁ ଫେରି ନାଶିକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମିନି ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେଥିପାଇଁ ଏହି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହାରାଷ୍ଟ୍ରର ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ଏହି ଦୁର୍ଘଟଣା ଦୁର୍ଭାଗ୍ୟଜନକ। ସମୃଦ୍ଧି ଏକ୍ସପ୍ରେସୱେରେ ବାରମ୍ବାର ଦୁର୍ଘଟଣା ଘଟୁଛି। ସରକାର ଏହାର ଅନୁସନ୍ଧାନ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍।

Leave a Reply

Your email address will not be published. Required fields are marked *