ସୃଜନୀ (ଚେନ୍ନାଇ) ଅନୁକୁଲ୍ୟରେ କଥା ସମ୍ରାଟ ସୁରେନ୍ଦ୍ର ସାହିତ୍ୟ ଆଲୋଚନାଚକ୍ର

ଭୁବନେଶ୍ୱର : ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କିମ୍ବଦନ୍ତୀ ପୁରୁଷ , କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ଙ୍କୁ ସମର୍ପିତ ସ୍ମୃତି-ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସହ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I

ପ୍ରାକ୍ତନ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ , କେନ୍ଦ୍ର ସାହିତ୍ୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ , ସ୍ତମ୍ଭକାର ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର (ୟୁନେସ୍କୋ) ପ୍ରାପ୍ତ ତଥା ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷକ ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କିମ୍ବଦନ୍ତୀ ପୁରୁଷ ,ବିଶିଷ୍ଟ ସାମ୍ବାଦିକ, ରାଜନୀତିଜ୍ଞ ଓ ସ୍ତମ୍ଭକାର ତଥା କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନରେ ତ୍ରିବେଣୀ ଧାରା କୁ ଆଲୋଚନା କରିଥିଲେ I

ବରେଣ୍ୟା ସମାଜସେବୀ ,ସୁସାହିତ୍ୟିକା,ପ୍ରାକ୍ତନ ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ଓ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ସୁପୁତ୍ରୀ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଏବଂ ବରଣ୍ୟ ବକ୍ତା ପ୍ରାଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ମଲ୍ଲିକ (ଭାଷା ବିଜ୍ଞାନୀ ଓ ଗବେଷକ) ଯୋଗ ଦେଇ ଓଡ଼ିଆ ସାହିତ୍ୟର ବିକାଶରେ କଥା ସମ୍ରାଟ ସୁରେନ୍ଦ୍ର ସାହିତ୍ୟର ଧାରା କୁ ଆଲୋଚନା କରିଥିଲେ I ଆଭାସୀ ଆଲୋଚନାଚକ୍ରରେ ସାରସ୍ୱତ ସାଧିକା ତଥା ଶିକ୍ଷାବିତ୍ ଡକ୍ଟର ବାସନ୍ତୀ ମହାନ୍ତି ଓ ସାହିତ୍ୟିକ ତଥା ଗବେଷକ ଡ଼ଃ କମଳାକୃଷ୍ଣ ତ୍ରିପାଠୀ ସଭାରେ ଉପସ୍ଥିତ ରହି ” କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ରେ ଜୀବନର ମନ୍ତ୍ର ” ଆଲୋଚନାର ପ୍ରସଙ୍ଗ କରି ବରେଣ୍ୟ ଆଲୋଚକବୃନ୍ଦ ନିଜ ନିଜର ଅଭିବ୍ୟକ୍ତି ପ୍ରକାଶ କରିବା ସହ ଏକ ବଳିଷ୍ଠ ଆଲୋଚନାର ପୃଷ୍ଠଭୂମି ସୃଷ୍ଟି କରିଥିଲେ I

ସୃଜନୀ ପରିବାରର ଉପଦେଷ୍ଟା ମଣ୍ଡଳୀ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର (ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ), ଏବଂ ପ୍ରଫେସର୍ ଗୋଦାବରୀଶ ମିଶ୍ର,ଦର୍ଶନ ଶାସ୍ତ୍ର ବିଶାରଦ ତଥା ଶିକ୍ଷାବିତ୍ ନିଜସ୍ୱ ଅଭିଭାଷଣ ସଭାରେ ରଖିବା ସହ ସୃଜନୀ ପରିବାରର ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉପସ୍ଥାପିକା ତଥା ସଂଯୋଜିକା କବୀ ଶ୍ରୀମତୀ ସୁମତି ମୁଣ୍ଡଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଗତିଶୀଳ ହୋଇଥିଲା । ଏହି ଅବସରରେ ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ , ଶ୍ରୀମତୀ ମହାଶ୍ୱେତା ପଟ୍ଟନାୟକ ସଭାରେ ସଙ୍ଗୀତ ପରିବେଷଣ କରିଥିବା ସହ ସୃଜନୀପରିବାରର ମୁଖ୍ୟ ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ମେମୋରିଆଲ ଟ୍ରଷ୍ଟ୍ ର ସାଧାରଣ ସଂପାଦକ
ଶ୍ରୀଯୁକ୍ତ ରବି ନାରାୟଣ ମହାନ୍ତି ଓ ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା । ସଭା ଶେଷରେ ସଂଚାଳକ ଙ୍କ ଦ୍ୱାରା ଧନ୍ୟବାଦାର୍ପଣ ଓ ଶାନ୍ତିପାଠରେ ସଭା ସାଙ୍ଗ ହୋଇଥିଲା ।

Leave a Reply

Your email address will not be published. Required fields are marked *