ଅଯୋଧ୍ୟାରୁ ଅକ୍ଷତ କଳସ ଆସି ପହଞ୍ଚିଲା ଓଡ଼ିଶାରେ

ଭୁବନେଶ୍ୱର : ବହୁ ପ୍ରତିକ୍ଷୀତ ଜାନୁଆରୀ ମାସ ୨୨ ତାରିଖ ୨୦୨୪ ରେ ହେବାକୁ ଯାଉଥିବା ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୂ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ସମସ୍ତଙ୍କ ସହଭାଗୀତାପୂର୍ଣ୍ଣ ସହଯୋଗ ନିମନ୍ତେ ଅଯୋଧ୍ୟାରୁ ଅଭିମନ୍ତ୍ରିତ ଅକ୍ଷତ କଳସ ଓଡ଼ିଶାକୁ ଆସି ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛି । ଆଜି ପ୍ରାତଃ କାଳରେ କଟକ ସ୍ଥିତ କାର୍ଯ୍ୟାଳୟରେ ପୂଜା ଅର୍ଚ୍ଚନା ଯଜ୍ଞାଦି ପରେ ବିଭିନ୍ନ ଜିଲ୍ଳାମାନଙ୍କୁ ଏହି କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ଅପରାହ୍ନରେ ଭୁବନେଶ୍ବରରେ ଅକ୍ଷତ କଳସ ଆସି ପହଞ୍ଚିଲା ପରେ ସ୍ଥାନୀୟ ଜନସାଧାରଣ ଏହାର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରିଥିଲେ । ଏକ ଭବ୍ୟ ସମାରୋହରେ ଏହି ଅକ୍ଷତ କଳସକୁ ପାଛୋଟି ଆଣି ୟୁନିଟ୍ ୩ ସ୍ଥିତ ରାମ ମନ୍ଦିର ସମ୍ମୁଖରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଆବାହକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ ଏହି ସ୍ୱାଗତ ସମାରୋହକୁ ସମ୍ବୋଧିତ କରି ଏ ଐତିହାସିକ ମୁହୂର୍ତ୍ତର ମହତ୍ତ୍ଵ ଉପରେ ଅବଗତ କରାଇଥିଲେ । ଦୀର୍ଘ ପାଞ୍ଚ ଶତାବ୍ଦୀର ପ୍ରତୀକ୍ଷା ପରେ ଆମେ ସମସ୍ତେ ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ପାଇଛେ ଏବଂ ମହାପ୍ରଭୂ ଶ୍ରୀରାମଙ୍କ ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଦେଖିବାକୁ ସମର୍ଥ ହେଉଛେ ଓ ସେଥିପାଇଁ ସେ ଗୌରବାନ୍ୱିତ ବୋଲି କହିଥିଲେ ।

ଏହି ପୁଣ୍ୟକାର୍ଯ୍ୟରେ ଲାଗି ପଡ଼ିଥିବା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇବା ସହ ଏହି ପବିତ୍ର ଅକ୍ଷତ କିପରି ସମସ୍ତଙ୍କ ପରିବାରରେ ପହଞ୍ଚି ପାରିବ ସେ ନେଇ ଦାୟିତ୍ୱ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଆଗାମୀ ମାସ ଅର୍ଥାତ୍ ଜାନୁଆରୀ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ପନ୍ଦର ଦିନ ମଧ୍ୟରେ ଏହି ଅକ୍ଷତ ପ୍ରତ୍ୟେକ ପରିବାରରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିରେ ସ୍ଥାନୀୟ ଜନସାଧାରଣ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହା ଆମ ସମସ୍ତଙ୍କର କାମ ଏବଂ ଏଥିରେ ଅଧିକରୁ ଅଧିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସ୍ଵୟଂସେବକ ବନ୍ଧୁମାନେ ସ୍ଵତଃସ୍ପୁର୍ତ୍ତ ଭାବରେ ଯୋଗଦେଇ ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *