ଐତିହାସିକ ଉତ୍କଳ ସମ୍ମିଳନୀର ୧୨୦ ତମ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଓଡ଼ିଆ ଅସ୍ମିତା ସମ୍ମିଳନୀ

ଭୁବନେଶ୍ୱର : ଐତିହାସିକ ଉତ୍କଳ ସମ୍ମିଳନୀର ୧୨୦ ତମ ବର୍ଷ ପୂର୍ତ୍ତି ଅବସରରେ କଟକ ସହରରେ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଆୟୋଜିତ ହେଉଛି ଓଡ଼ିଆ ଅସ୍ମିତା ସମ୍ମିଳନୀ। ଏହି ଐତିହାସିକ ମୁହୂର୍ତ୍ତରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଭଗୀରଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅନନ୍ୟ ସମର୍ପଣ, ମାଟି ମନସ୍କତା, ଦୁରଦୃଷ୍ଟି ଓ ଅତୁଳନୀୟ ନେତୃତ୍ୱ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳ ଓ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସମର୍ପିତ ଭାଇ ଭଉଣୀମାନେ ଏକତ୍ରିତ ହେବେ | ସମ୍ମାନନୀୟ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ କର କମଳରେ ଏହି ସମ୍ମିଳନୀ ଶନିବାର ପୂର୍ବାହ୍ନରେ ଉଦ୍ଘାଟିତ ହେବ। ଏଥି ସହିତ ମଧୁବାବୁ ଓ ଅନ୍ୟ ମହାନ୍ ବ୍ୟକ୍ତିତ୍ୱଙ୍କର ପରିକଳ୍ପନାକୁ କେତେ ପରିମାଣରେ ଆମେମାନେ ବାସ୍ତବତାରେ ରୂପାୟନ କରିଛେ ସେ ବିଷୟରେ ଆଲୋଚନା ପାଇଁ ବିଶିଷ୍ଟ ଯୁବ ଓ ବରିଷ୍ଠ ବ୍ୟକ୍ତିତ୍ଵ ମାନେ ଯୋଗଦେବେ । ସ୍ୱାଭିମାନରୁ ସ୍ୱାବଲମ୍ବନର ସୁଦୂର ଯାତ୍ରାରେ ସଫଳତା ବିଫଳତା ସହ ଅନୁଭୁତିର ବ୍ୟାଖ୍ୟା କରିବେ ନିମନ୍ତ୍ରିତ ମହାମନିଷୀ ମାନେ | ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଅନନ୍ୟ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଆୟୋଜନ ହେବ ବିବିଧ କାର୍ଯ୍ୟକ୍ରମ |

ଅତୀତରେ ୧୯୦୩ ରୁ ୧୯୩୬ ମସିହା ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ସମସ୍ତ ସ୍ଥାନରୁ ସଂଗୃହୀତ ହୋଇଥିବା ପବିତ୍ର ମାଟିକୁ ଉତ୍କଳ ସମ୍ମିଳନୀର ଅନ୍ତୁଡିଶାଳ ଇଦଗା ପଡିଆରେ ଏକତ୍ରୀ କରଣ ଓ ସମ୍ମାନ ପ୍ରଦର୍ଶନ ସହ ପୂର୍ବାହ୍ନରେ ଇଦଗା ପଡ଼ିଆରେ ଜ୍ୟୋତି ପ୍ରଜ୍ବଳନ ପୂର୍ବକ ଅସ୍ମିତା ସମ୍ମିଳନୀ ଶୋଭାଯାତ୍ରା ଆରମ୍ଭ କରାଯିବ |
ପରେ ମଧୁବାବୁଙ୍କ ସମାଧି ସ୍ଥଳ ଗୋରା କବର ଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ ଏବଂ ମଧୁବାବୁଙ୍କ କର୍ମଭୂମି ଶୈଳବାଳା ମହାବିଦ୍ୟାଳୟରେ ଜ୍ୟୋତିକୁ ସ୍ବାଗତ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ |

ପରେ ପରେ ସମ୍ମାନନୀୟ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ଓଡିଆ ଅସ୍ମିତା ସମ୍ମିଳନୀ ଓ ମଧୁବାବୁଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ କରାଯିବ | ଓଡ଼ିଆ ଭାଷା ସାହିତ୍ୟର ଧାରାରେ ପରିବର୍ତ୍ତନର ଉପାଦାନ ସହ ସାମାଜିକ ଜୀବନ ଜୀବିକାରେ ସ୍ୱାଭିମାନର ମୂଲ୍ୟବୋଧ କିଭଳି ବଜାୟ ରହିଛି ସେବିଷୟରେ ଆଲୋଚନାଚକ୍ର ଏବଂ ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ କିଭଳି ଜନଜୀବନରେ ଓଡିଆତ୍ୱ କୁ ଧରି ରଖି ପାରିଛନ୍ତି ସେନେଇ ବ୍ୟାପକ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ହେବ |

ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବା ସହ ବହୁ ସଂଖ୍ୟାରେ ଏହି ଓଡ଼ିଆ ସ୍ୱାଭିମାନର ଜାଗରଣ ମହୋତ୍ସବ ଓଡ଼ିଆ ଅସ୍ମିତା ସମ୍ମିଳନୀରେ ଯୋଗ ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି | ସାମ୍ବାଦିକ ସମ୍ମିଳନୀରେ ଆବାହକ ଦେବେନ୍ଦ୍ର ନାଥ ରାଉତ, ଶିକ୍ଷାବିତ୍ ତଥା ସମ୍ମିଳନୀର ଅଧ୍ୟକ୍ଷ ଡଃ ଭଗବାନ ପ୍ରକାଶ , ଲଣ୍ଡନ ଓଡ଼ିଆ ଆସୋସିଏସନର ସମ୍ପାଦକ ସୁକାନ୍ତ ସାହୁ, ଓଡ଼ିଆ ସୋସାଇଟି ଅଫ୍ ଆମେରିକାର ପୂର୍ବତନ ସଭାପତି କୁକୁ ଦାସ, ପୂର୍ବତନ ମହିଳା କମିସନର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଅଧ୍ୟାପିକା ଶୁଭାସିନୀ ବାରିକ, ଶିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ ନାୟକ ପ୍ରମୁଖ ଯୋଗଦେଇଥିଲେ।