କିଟ୍‌ କ୍ୟାମ୍ପସ୍‌-୭ରେ ଆରମ୍ଭ ହେଲା ରୋଜ୍ କନ୍‌ଭେନ୍‌ସନ୍‌ : ପ୍ରଦର୍ଶିତ ହେଉଛି ୧୫୦୦ ପ୍ରଜାତିର ଗୋଲାପ

ଭୁବନେଶ୍ୱର : ଆଜି କିଟ୍‌ କ୍ୟାମ୍ପସ୍‌-୭ରେ ୪୦ ତମ ସର୍ବଭାରତୀୟ ରୋଜ୍ କନ୍‌ଭେନ୍‌ସନ୍ ଉଦ୍‍ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ୧୫୦୦ ପ୍ରଜାତିର ଗୋଲାପ ଫୁଲ ସ୍ଥାନ ପାଇଛି। ୬ ଓ ୭ ତାରିଖ ଦୁଇ ଦିନ ପାଇଁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ଏବଂ ୭ ତାରିଖ ସନ୍ଧ୍ୟାରେ ଉଦ୍‌ଯାପନୀ ପର୍ବ ସମାହିତ ହେବ। ଓଡ଼ିଶାରୁ ନାଲ୍‍କୋ, ଟାଟା, ପାୱାର୍‌ ଗ୍ରିଡ଼୍‍, ଜିନ୍ଦଲ, ଆଦାନି, ରିଲାଏନ୍‍ସ ଆଦି କର୍ପୋରେଟ୍‌ ହାଉସ୍‍ ସମେତ ସମଗ୍ର ଦେଶରୁ କୃଷି ବୈଜ୍ଞାନିକ, ନର୍ସରିମ୍ୟାନ୍‌, କୃଷକ ଓ ଉଦ୍ୟୋଗୀଙ୍କୁ ନେଇ ୨୫୦ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ଆଜି ଉଦ୍‌ଘାଟନୀ ପର୍ବ ଅବସରରେ ଲର୍ଡ ଜଗନ୍ନାଥ, ଲର୍ଡ ଲିଙ୍ଗରାଜ, ଶେଫାଳି ଓ ରାଧା ନାମରେ ନାମିତ ୪ଟି ନୂତନ ପ୍ରଜାତିର ଗୋଲାପକୁ ମୁଖ୍ୟ ଅତିଥି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଲୋକାର୍ପଣ କରିଥିଲେ।

କିଟ୍‍ ଗୋଲାପ ସୋସାଇଟି, ଓଡ଼ିଶା ଗୋଲାପ ସୋସାଇଟି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଉଦ୍ୟାନ କୃଷି ସୋସାଇଟି, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମିଳିତ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଓ ସର୍ବଭାରତୀୟ ମେଗା ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଛି। ୧୮ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ହେଉଛି। କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଆୟୋଜନ କମିଟିର କାର୍ଯ୍ୟକାରୀ ସଭାପତି ଡ. ସୁଦର୍ଶନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଭାରତୀୟ ରୋଜ୍‌ ଫେଡେରେସନ୍‍ର ସଭାପତି ସଂଯୋଗିତା ଧନ୍‌ୱାତେ, ଉପସଭାପତି ଏନ୍‌କେ ଡଡ୍‍ଲାନି, ଆୟୋଜନ କମିଟି ସମ୍ପାଦକ ହେମନ୍ତ କୁମାର ପଲ୍‌, ଉପସଭାପତି ବିଏନ୍‍ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *