ନିର୍ବାଚନୀ ଇସ୍ତାହାରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ରଖିବାକୁ ଦାବି କଲେ ପରିବେଶବିତ୍

ବିଜେପି ଇସ୍ତହାରରେ ରଖିବାକୁ ଦେଲେ ଦାବିପତ୍ର, ନୂଆ ଦିଲ୍ଲୀରେ ଆଲୋଚନାଚକ୍ର

ନୂଆଦିଲ୍ଲୀ: ୧୭୩ ବର୍ଷ ଭିତରେ ୨୦୨୩ ମସିହା ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ। ଏଥିସହ ଏହି ବର୍ଷ ହିଁ ବିଶ୍ବର ହାରାହାରି ତାପମାତ୍ରା ପ୍ରଥମ ଥର ପାଇଁ ୧.୫ ଡିଗ୍ରି ପାର୍ କରିଥିଲା। ଏଥିରୁ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନର ଭୟାବହତା ସ୍ପଷ୍ଟ ହେଉଛି। ଏଭଳି ସ୍ଥଳେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଦିଗରେ ତ୍ବରିତ ପଦକ୍ଷେପ ନ ନେଲେ, ଆମେ ଯେ ଏକ ଭୀଷଣ ବିନାଶର ସାକ୍ଷୀ ହେବା ସେଥିରେ ସନ୍ଦେହ ନାହିଁ। ଗରିବ କଲ୍ୟାଣ ଯୋଜନା, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ସହ ବିକଶିତ ଭାରତର ସ୍ବପ୍ନ ଦେଖିଲା ବେଳେ ଆମକୁ ପରିବେଶ ଓ ଜଳବାୟୁ ନୀତି ଉପରେ ବି ଗୁରୁତ୍ବ ଦେବାକୁ ହେବ। ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡ଼ିରେ ପୀଡ଼ିତ ଓଡ଼ିଶା ପାଇଁ ତ ଏହି ପ୍ରସଙ୍ଗ ଅଧିକ ଗୁରୁତ୍ବପୂର୍ଣ୍ଣ। ଆଉ ସପ୍ତାହକ ଭିତରେ ବିଭିନ୍ନ ଦଳର ନିର୍ବାଚନୀ ଇସ୍ତାହାର ସାମ୍ନାକୁ ଆସିବ। ଜଳବାୟୁ ଓ ପରିବେଶକୁ ସୁରକ୍ଷା ପ୍ରସଙ୍ଗ ନିର୍ବାଚନ ଇସ୍ତହାରରେ ରଖିବାକୁ ଦାବି କରିଛନ୍ତି ପରିବେଶ ବିତ୍। ନିର୍ବାଚନ ଇସ୍ତହାରରେ ରଖିବାକୁ ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ନେତାଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଆଲୋଚନା କରାଯାଇଥିଲା। ପରିବେଶବିତ୍ ଡ଼ ବିପିନ ବିହାରୀ ମିଶ୍ର ଓ ଯୁବ ପରିବେଶବିତ୍ ଡ଼ ଲିଙ୍ଗରାଜ ସାହୁ ଏସମ୍ପର୍କରେ ବିଜେପି ନେତାଙ୍କ ସହ ଆଲୋଚନା କରିଥିଲେ। ବିଜେପି ସରକାର ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଉଦ୍ୟମ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ଏନେଇ ନୂଆ ଦିଲ୍ଲୀଠାରେ ଏକ ଆଲୋଚନାଚକ୍ରରେ ଡ଼ ବିପିନ ବିହାରୀ ମିଶ୍ର କହିଥିଲେ ଯେ ପରିବେଶ ଓ ଜଳବାୟୁ ପ୍ରସଙ୍ଗ କେବଳ ଏକ ସମ୍ବେଦନଶୀଳ ପ୍ରସଙ୍ଗ ନୁହେଁ, ଆଜି ସାରା ପୃଥିବୀର ଏହା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ। ଅତୀତର ପୁନରାବୃତ୍ତି ନ କରି ପରିବେଶ ସ୍ବଚ୍ଛ ରଖିବା, ପ୍ରଦୂଷଣ ରୋକିବା ତଥା ବିଶ୍ବ ତାପମାନର ସନ୍ତୁଳନ ରକ୍ଷା ପାଇଁ ଆଜି ସାରା ପୃଥିବୀରେ ମୁଖ୍ୟତଃ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନେ ଯତ୍ନବାନ୍ ହେଲେଣି। ଶିଳ୍ପ ସ୍ଥାପନ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରଖିବା ଆଜିକା ସମୟରେ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ଜଳ ଓ ବାୟୁ ପ୍ରଦୂଷଣଜନିତ ସମସ୍ୟା ଏବଂ ଉତ୍ତାପ ବୃଦ୍ଧି ମାନବ ସମାଜକୁ ବିପଦ ଆଡ଼କୁ ଟାଣି ନେଉଛି। ତେଣୁ ସମସ୍ତ ରାଜନୈତିକ ଦଳ ଅନ୍ୟ ପ୍ରସଙ୍ଗ ସହ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପ୍ରସଙ୍ଗକୁ ମଧ୍ୟ ନିର୍ବାଚନ ଇସ୍ତହାରରେ ସ୍ଥାନ ଦେବାର ଆବଶ୍ୟକତା ରହିଛି। ଏହାକୁ ସଂଯୋଜନା କରି ଡ଼ ଲିଙ୍ଗରାଜ ସାହୁ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସନ୍ତୁଳନ ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଛି, ଏହା ଅତ୍ୟନ୍ତ ଉଦ୍ବେଗର ବିଷୟ। ସାରା ବିଶ୍ବରେ ମଧ୍ୟ ଏହା ମୁଣ୍ଡବିନ୍ଧାର କାରଣ ହୋଇଛି। ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଏ ନେଇ ସଜାଗ ଅଛନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କିନ୍ତୁ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରତିଟି ରାଜନୈତିକ ଦଳର ମଧ୍ୟ ଦାୟିତ୍ବ ରହିଛି। ଆମେ ବିଭିନ୍ନ ମାଧ୍ୟମରେ ବିଭିନ୍ନ ସମୟରେ ଆମେ ଲୋକପ୍ରତିନିଧିଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରୁ। ପରିବେଶ କିଭଳି ସୁରକ୍ଷିତ ହେବ, ଅଙ୍ଗାରକାମ୍ଳ ନିର୍ଗମନ କମିବ, ବୈଦ୍ୟୁତିକ ସରଞ୍ଜାମ ଅପବ୍ୟବହାର ନିୟନ୍ତ୍ରଣ କରିବା ଓ ସର୍ବୋପରି ସଚେତନତା ସୃଷ୍ଟି ଦିଗରେ ଆମେ କାର୍ଯ୍ୟରତ। ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ବ ଦେଇ ଏହା ନିର୍ବାଚନ ଇସ୍ତହାରେ ରହିବା ଉଚିତ୍। ଉଦୟ ଇଣ୍ଡିଆର ମୁଖ୍ୟ ଦିପକ କୁମାରଙ୍କ ସଂଚାଳନା କରି ଏଥିରେ କହିଥିଲେ ଯେ ନିଶ୍ଚିତ ଭାବେ ଜଳବାୟୁ ପରିବତ୍ତର୍ନ ଓ ବିଶ୍ବ ତାପନ ଏବେ ସାରା ବିଶ୍ବ ପାଇଁ ସତର୍କ ଘଣ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ ଏହି ବିପଦ ଆଗକୁ ଆଗୁ ଯାଉଛି। ଏଣୁ ପ୍ରତ୍ୟେକ ରାଜନୈତିକ ଦଳ ଏ ପ୍ରସଙ୍ଗରେ ଅଧିକ ସଚେତନ ଓ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ଜଳବାୟୁକୁ ନିର୍ବାଚନ ପ୍ରସଙ୍ଗ କରି ଏବଂ ଏ ନେଇ ଏକ ସୁଚିନ୍ତିତ ଯୋଜନା କରିବା ଜରୁରି। ‘ଜଙ୍ଗଲ ଓ ପରିବେଶ ବିଭାଗ’କୁ ଅଧିକ ଚଳଚଞ୍ଚଳ କରି ବିକାଶ କାର୍ଯ୍ୟରେ କିଭଳି ପ୍ରାକୃତିକ ସମ୍ବଳ ଅଧିକ କ୍ଷତିଗସ୍ତ ନ ହୁଏ, ଜଙ୍ଗଲ ନଷ୍ଟ ନ ହୁଏ; ସେ ଦିଗରେ କଡ଼ା ଆଇନ ପ୍ରଣୟନ କରି କାର୍ଯ୍ୟ କରିବାକୁ ପଡ଼ିବ। ତେବେ ଏସବୁ ସମ୍ଭବ ଯଦି ନିର୍ବାଚନ ଇସ୍ତାହାରରେ ପରିବେଶ ଓ ଜଳବାୟୁ ପ୍ରସଙ୍ଗ ସ୍ଥାନ ପାଇବ। ସମସ୍ତ ରାଜାନୈତିକ ଦଳ ଏନେଇ ମାନସମନ୍ଥନ କରନ୍ତୁ।ଜଳବାୟୁ ପରିବର୍ତ୍ତନକୁ ନେଇ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସମସ୍ତ ରାଜନୈତିକ ଦଳ ଏନେଇ ସତର୍କ ହେବା ଉଚିତ। ପାଣିପାଗର ଯେଉଁ ଚରମ ସ୍ଥିତି ସୃଷ୍ଟି ହୋଇଛି, ସେଥିରୁ ବିଶ୍ବକୁ ବଞ୍ଚାଇବା ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହ ପରିବେଶର ସୁରକ୍ଷାକୁ ଗୁରୁତ୍ବ ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *