ଆନ୍ନା ହଜାରେଙ୍କ ଆମରଣ ଅନଶନ ସପ୍ତମ ଦିନରେ : ଓଜନ ୫.୫କିଲୋ ହ୍ରାସ
ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ଆମରଣ ଅନଶନ ସପ୍ତମ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବେ ବିଗିଡ଼ି ଯିବା ପରେ ସେ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ୭ ଦିନ ଧରି ଅଖିଆ ଅପିଆ ରହିବା ପରେ ଆନ୍ନାଙ୍କ ଓଜନ ୫.୫ କିଲୋ ହ୍ରାସ ଘଟିଛି।
ଆନ୍ନାଙ୍କ ଚିକିତ୍ସା କରୁଥିବା ଡକ୍ଟର ଧନଞ୍ଜୟ ପୋଟେ କହନ୍ତି, ‘ଇତି ମଧ୍ୟରେ ଆନ୍ନାଜୀଙ୍କର ଓଜନ ୫.୫କିଲୋ ହ୍ରାସ ଘଟିଛି। ସେ ଏବେ ଗୁରୁତର ଅବସ୍ଥାରେ ଅଛନ୍ତି। ଆମେ ଏକଥା ତାଙ୍କୁ ଜଣାଇଛୁ। ତାଙ୍କ ରକ୍ତରେ ଶର୍କରା ପରିମାଣ ମଧ୍ୟ କମ୍ ହୋଇଛି। ତୁରନ୍ତ ଅନଶନରୁ ଓହରି ଯିବା ପାଇଁ ଆମେ ତାଙ୍କୁ ପରାମର୍ଶ ଦେଇଛୁ।’
ଉଲ୍ଳେଖଯୋଗ୍ୟ, କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବା ହେତୁ ଏହାକୁ ତୀବ୍ର ବିରୋଧ କରି ଜାନୁଆରି ୩୦ ତାରିଖରୁ ଅନଶନରେ ବସିଛନ୍ତି ଆନ୍ନା ହଜାରେ।
୮୧ ବର୍ଷ ବୟସ୍କ ଏହି ସମାଜସେବୀ ଅନଶନରେ ବସିଥିବା ସମୟରେ ସାଲଇନ୍ ଓ ଓଆର୍ଏସ୍ ନେବାକୁ ମଧ୍ୟ ମନା କରି ଦେଇଛନ୍ତି। ଆନାଙ୍କର ଏପରି ଖାଡ଼ା ଉପବାସ ତାଙ୍କ କିଡ୍ନି ଓ ମସ୍ତିଷ୍କକୁ ପ୍ରଭାବିତ କରିପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି।