ଦେଶର ୧୧ ରାଜ୍ୟରେ ବେକାରୀ ସ୍ଥିତି ଜଟିଳ : ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନର ଲିକ୍ ରିପୋର୍ଟ ଦ୍ବିତୀୟ ଭାଗ

ନୂଆଦିଲ୍ଲୀ: ଦେଶର ୧୧ଟି ରାଜ୍ୟରେ ବେକାରୀ ସ୍ଥିତି ଜାତୀୟ ହାର ଠାରୁ ଅଧିକ ରହିଛି। ନିଯୁକ୍ତି ନେଇ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ)ର ଲିକ୍ ହୋଇଯାଇଥିବା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏକ ଜାତୀୟ ସ୍ତରର ସମ୍ବାଦପତ୍ରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, କେରଳ, ଆସାମ ଏବଂ ହରିୟାନା ଭଳି ରାଜ୍ୟରେ ୨୦୧୧-୧୨ ବେଳକୁ ବେକାରୀ ହାର ଉତ୍କଟ ଥିଲା। ସେହି ବର୍ଷ ଶେଷ ଥର ପାଇଁ ନିଯୁକ୍ତି ସର୍ଭେ କରାଯାଇଥିଲା। ଏହା ପରେ ୨୦୧୭-୧୮ର ଚାର୍ଟରେ ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ ଏବଂ ତାମିଲନାଡ଼ୁକୁ ସାମିଲ କରାଯାଇଥିଲା। ୨୦୧୭-୧୮ରେ ଦେଶର‌ ବେକାରୀ ହାର ୬.୧% ଥିଲା ଯାହା ୨୦୧୧-୧୨ର ହାର ତୁଳନାରେ ୨.୨% ଅଧିକ। ନିଯୁକ୍ତି ସମ୍ପର୍କିତ ଏହି ରିପୋର୍ଟକୁ ସରକାର ଚାପି ଦେଇଥିବା ବାରମ୍ବାର ଅଭିଯୋଗ ହେଉଛି। ଦେଶର ବେକାରୀ ହାର ୪୫ ବର୍ଷରେ ସବୁଠୁ ଅଧିକ ହୋଇଥିବା ଏହି ରିପୋର୍ଟରେ ଦାବି କରାଯାଇଛି। କେରଳରେ ବେକାରୀ ହାର ସର୍ବାଧିକ ୧୧.୪% ରହିଛି। ଏହା ପଛକୁ ରହିଛି ହରିୟାନା (୮.୬%), ଆସାମ (୮.୧%) ଓ ପଞ୍ଜାବ (୭.୮%)। ଛତିଶଗଡ଼ରେ ବେକାରୀ ହାର ସବୁଠୁ କମ୍ ୩.୩% ଥିବା ବେଳେ ମଧ୍ୟ ପ୍ରଦେଶରେ ତାହା ୪.୫%, ଓ ପଶ୍ଚିମବଙ୍ଗରେ ୪.୬% ରହିଛି। ୨୦୧୧-୧୨ରୁ ୨୦୧୭-୧୮ ଭିତରେ ଗୁଜରାଟରେ ବେକାରୀ ହାର ସବୁଠୁ ଦ୍ରୁତ ଗତି (୪.୮%) ହାରରେ ବଢ଼ିଛି। ସେଠାରେ ଗ୍ରାମାଞ୍ଚଳରେ ୧୪.୯% ଲୋକ ବେକାର ଥିବା ବେଳେ ସହରାଞ୍ଚଳରେ ୧୦.୭% ଲୋକ ‌ବେକାର ରହିଛନ୍ତି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବେକାରୀ ସ୍ଥିତି ଜଟିଳ ରହିଛି।

ସରକାରୀ ତଥ୍ୟରେ ବାରମ୍ବାର ହେରଫେର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏନ୍‌ଏସ୍‌ଏସ୍‌ଓର ରିପୋର୍ଟକୁ ସରକାର ଚାପି ଦେବା ପରେ ନିଯୁକ୍ତିର ବାସ୍ତବ ଚିତ୍ର ସାମ୍ନାକୁ ଆସିପାରୁନାହିଁ। ଏନ୍‌ଏସ୍‌ଏସ୍‌ଓ ତରଫରୁ ୨୦୧୭ ଜୁଲାଇରୁ ୨୦୧୮ ଜୁନ୍‌ ଭିତରେ ନିଯୁକ୍ତି ସର୍ଭେ କରାଯାଇଥିଲା। ଏହାର ରିପୋର୍ଟରେ କୁହାଯାଇଛି ଯେ, ଦେଶ‌ର ବେକାରୀ ହାର ୬.୧%କୁ ବୃଦ୍ଧି ପାଇଛି। ‌ଶେଷ ଥର ପାଇଁ ୧୯୭୨-୭୩ରେ ବେକାରୀ ହାର ଏଭଳି ଉଚ୍ଚ ସ୍ତରରେ ଥିଲା। ଏହି ରିପୋର୍ଟ ଗଣମାଧ୍ୟମରେ ଲିକ୍ ହୋଇଯାଇଛି। ବିଜନେସ୍‌ ଷ୍ଟାଣ୍ଡାର୍ଡ ନାମକ ସମ୍ବାଦପତ୍ରରେ ଏହାକୁ ନେଇ ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଦାବି କରାଯାଇଥିଲା ଯେ ୧୫ ବର୍ଷରୁ ଅଧିକ ବୟସର ଦେଶର ଅଧା ଯୁବ ଶକ୍ତି କୌଣସି ପ୍ରକାରରେ ଅର୍ଥନୈତିକ ସହଯୋଗ ପ୍ରଦାନ କରିପାରୁନାହାନ୍ତି। ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ତରଫରୁ କିଛି ଦିନ ତଳେ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଗତବର୍ଷ ଦେଶର ୧୧ ନିୟୁତ ଲୋକ ଚାକିରି ହରାଇଛନ୍ତି। ଜାତୀୟ ପରିସଂଖ୍ୟାନ କମିସନ (ଏନ୍‌ଏସ୍‌ସି)ର ଅଧ୍ୟକ୍ଷ ପି ସି ମୋହନନ ଏବଂ ଅନ୍ୟ ଜଣେ ସଦସ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ତଥ୍ୟରେ ହେଉଥିବା ହେରଫେରକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। ଏହା ପରେ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଥିଲେ ଯେ, ଗଣମାଧ୍ୟମରେ ଲିକ୍ ହୋଇଥିବା ତଥ୍ୟ ଅସମ୍ପୂର୍ଣ୍ଣ ଏବଂ ତାହା ଏକ ଚିଠା ରିପୋର୍ଟ ମାତ୍ର।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>