ସୁପର କପ୍‌ ଫୁଟବଲ : ଚେନ୍ନାଇନ୍‌ ଏଫସିକୁ ୨-୧ ଗୋଲରେ ହରାଇ ଏଫ୍‌ସି ଗୋଆ ନୂଆ ଚାମ୍ପିୟନ

ଭୁବନେଶ୍ୱର-ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ ଶନିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି । ଫାଇନାଲରେ ଚେନ୍ନାଇନ୍‌ ଏଫସିକୁ ୨-୧ ଗୋଲରେ ହରାଇ ଏଫସି ଗୋଆ ହୋଇଛି ନୂଆ ଚାମ୍ପିୟନ। ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ) ଫାଇନାଲରେ ବେଙ୍ଗାଲୁରୁ ଏଫସି ନିକଟରୁ ଏକମାତ୍ର ଗୋଲରେ ପରାଜିତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିବା ଗୋଆ ଏଠାରେ କିନ୍ତୁ ପିନ୍ଧିଛି ବିଜୟ ମୁକୁଟ । ଜାତୀୟ ଫୁଟବଲରେ ଏଫସି ଗୋଆର ଏହାଥିଲା ପ୍ରଥମ ଟାଇଟଲ । ଚାମ୍ପିୟନ ଗୋଆକୁ ଟ୍ରଫି ସହ ୨୫ ଲକ୍ଷ ଏବଂ ରନର୍ସଅପ୍‌ ଚେନ୍ନାଇନ୍‌ ଏଫସିକୁ ୧୫ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲିକ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫଏଫ) ବରିଷ୍ଠ ଉପସଭାପତି ସୁବ୍ରତ ଦତ୍ତ  ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଚେନ୍ନାଇନ୍‌ ଏଫସି ସହ ମାଲିକ ତଥା ବଲିଉଡ ଅଭିନେତା ଅଭିଷେକ ବଚନ ଚେନ୍ନାଇନ୍‌ ଡଗ୍‌ଆଉଟ ନିକଟରେ ଉପସ୍ଥିତ ରହି ଖେଳାଳି ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଗୋଆ ଗୋଲକିପର ମହମଦ ନୱାଜ ହିରୋ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ହିରୋ ଅଫ ଦି ସିରିଜ ପୁରସ୍କାର ପାଇଥିଲେ ଏଫସି ଗୋଆ ଫରୱାର୍ଡ ଫେରାନ କୋରୋମିନାସ ।

ବାସନ୍ଦ ଯୋଗୁ ସେମିଫାଇନାଲ ଖେଳିପାରି ନ ଥିବା ମିଡ୍‌ଫିଲ୍ଡର ଏଡୁଆର୍ଡୋ ବେଡିଆ ପେଲେଜ ଫାଇନାଲରେ ଗୋଆ ଦଳର ନେତୃତ୍ୱ ନେଇଥିଲେ। ସେ ଜାଇଦ୍‌ କ୍ରୋଚ୍‌ଙ୍କ ସ୍ଥାନରେ ଷ୍ଟାର୍ଟିଂ ଇଲେଭେନରେ ସ୍ଥାନ ପାଇଥିଲେ। ଦୁଇ ହେଭିୱେଟ ଦଳ ମଧ୍ୟରେ ଲଢ଼େଇ ଆରମ୍ଭରୁ ବେଶ୍‌ ରୋମାଞ୍ଚକ ହୋଇଥିଲା । ଅଗ୍ରଣୀ ନେବା ପାଇଁ ଉଭୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲେ । ଉଭୟ ଦଳ ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରିଥିଲେ। ମାତ୍ର ପ୍ରଥମାର୍ଦ୍ଧର ନିର୍ଦ୍ଧାରିତ ସମୟ ଓ ୨ ମିନିଟର ଇଞ୍ଜୁରି ଟାଇମ୍‌ରେ ଗୋଲ ହୋଇପାରି ନ ଥିଲା।

ଦ୍ୱିତୀୟାର୍ଦ୍ଧ ସ୍ବାଭାବିକଭାବେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଗୋଆ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଇଥିଲା। ୫୦ତମ ମିନିଟରେ ବେଡିଆ ମାରିଥିବା ଶଟ୍‌ ଚେନ୍ନାଇନ୍‌ ଗୋଲପୋଷ୍ଟରେ ବାଜି ଫେରି ଆସିଥିଲା। ମାତ୍ର ଏହି ସୁଯୋଗକୁ ହାତଛଡ଼ା କରି ନ ଥିଲେ ଟୁର୍ନାମେଣ୍ଟର ଅନ୍ୟତମ ଅଗ୍ରଣୀ ସ୍କୋରର ଫେରାନ କୋରୋମିନାସ । ଚେନ୍ନାଇନ୍‌ର ଅନିରୁଦ୍ଧ ଥାପା ବଲ୍‌କୁ କ୍ଲିୟର କରିଦେବାକୁ ଉଦ୍ୟମ କରିଥିବାବେଳେ ଦୁର୍ବଳ ଶଟ୍‌କୁ କୋରୋମିନାସ ରୋକିବା ସହ ବାମପାଦରେ ବଲ୍‌କୁ ଚେନ୍ନାଇନ୍‌ ଗୋଲପୋଷ୍ଟ ମଧ୍ୟକୁ ଠେଲିଦେଇଥିଲେ। ୫୧ତମ ମିନିଟରେ କୋରୋ ଏହି ଗୋଲଟି ଦେଇଥିଲେ । ମାତ୍ର ଗୋଆର ଏହି ଖୁସି ବେଶି ସମୟ ତିଷ୍ଠି ନ ଥିଲା । ଗୋଆ ଗୋଲପୋଷ୍ଟରେ ବଡ଼ ଗ୍ୟାପ୍‌ର ସୁଯୋଗ ନେଇ ଚେନ୍ନାଇନ୍‌ର ରାଫାଲ ଅଗଷ୍ଟୋ ୫୪ତମ ମିନିଟରେ ଗୋଲଟିକୁ ପରିଶୋଧ କରି ଦେଇଥିଲେ । ଫଳରେ ମ୍ୟାଚରେ ଉଷ୍ମତା ଭରିଥିଲା । ଗୋଆ କିନ୍ତୁ ସହଜରେ ଛାଡ଼ିବାର ନ ଥିଲା । ୬୪ତମ ମିନିଟରେ ଇଡୁ ବେଡିଆ ବଲ୍‌କୁ ନିୟନ୍ତ୍ରଣକୁ ଆଣି ବ୍ରେଣ୍ଡନ ଫର୍ନାଣ୍ଡିଜ୍‌ ଦ୍ରୁତ ବେଗରେ ଚେନ୍ନାଇନ୍‌ ବକ୍ସ ଏରିଆକୁ ଯାଉଥିବାର ଦେଖିଥିଲେ। ତେଣୁ ସେ ଫର୍ନାଣ୍ଡିଜ୍‌ଙ୍କୁ ପାସ୍‌ ଦେଇଥିଲେ ଏବଂ ସେ ଏହାକୁ ଗୋଲରେ ପରିଣତ କରିଥିଲେ। ୭୫ତମ ମିନିଟରେ ବେଡିଆ ଓ କୋରୋମିନାସ ମିଳିତଭାବେ ବଲ୍‌ ନେଇ ଚେନ୍ନାଇନ୍‌ ଗୋଲପୋଷ୍ଟରେ ପହଞ୍ଚତ୍ଥିଲେ । ବେଡିଆ ବାମ ପାଦରେ ବଲ୍‌କୁ ଗୋଲପୋଷ୍ଟକୁ ଠେଲିି ଥିଲେ ହେଁ ଚେନ୍ନାଇନ୍‌ ଗୋଲକିପର କରନଜିତ ସିଂ ଚମତ୍କାରଭାବେ ଏହାକୁ ସେଭ୍‌ କରିଥିଲେ । ୮୧ତମ ମିନିଟରେ ଜ୍ୟାକିଚାନ୍ଦ ସିଂ ଗୋଲପୋଷ୍ଟ ନିକଟରୁ ମାରିଥିବା ଶଟ୍‌କୁ ଗୋଲକିପର କରନଜିତ ଅଟକାଇ ଦେଇଥିଲେ । ବଲ ଫେରି ଆସୁଥିବାବେଳେ କୋରୋମିନାସ ତାହାକୁ ଗୋଲରେ ପରିଣତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଶୋଇପଡ଼ି ବଲ୍‌କୁ ଧରିବା ଉଦ୍ୟମରେ ଗୋଲକିପର କରନଜିତଙ୍କ ହାତ କୋରୋମିନାସଙ୍କ ଗୋଡ଼ରେ ବାଜିଥିଲା। ଫଳରେ କୋରୋମିନାସ ତଳେ ପଡ଼ି ଯାଇଥିଲେ। ୬ ମିନିଟ ଇଞ୍ଜୁରି ଟାଇମ୍‌ ଆରମ୍ଭରେ ଚେନ୍ନାଇନ୍‌କୁ ଏକ କର୍ନର ମିଳିଥିଲା । ମାତ୍ର ଗୋଆ ଡିଫେଣ୍ଡର ସରିଗ୍ନେ ମୋର୍ତାଦା ଫଲ୍‌ ବଲ୍‌କୁ ବାହାରକୁ ପଠାଇ ଦେଇଥିଲେ । ଶେଷ ମିନିଟରେ ଚେନ୍ନାଇନ୍‌ ପକ୍ଷରୁ ମରାଯାଇଥିବା ଏକ ଶଟ୍‌ ଗୋଆ ଗୋଲପୋଷ୍ଟ ବାର୍‌ରେ ବାଜି ଫେରି ଆସିଥିଲା । ପରେ ରେଫରିଙ୍କ ମ୍ୟାଚ ଶେଷ ହ୍ବିସିଲ ବାଜିଥିଲା ଏବଂ ଗୋଆ ଖେଳାଳି ଓ ଟିମ୍‌ ମ୍ୟାନେଜମେଣ୍ଟ ସଦସ୍ୟମାନେ ନାଚି ଖୁସି ମନାଇଥିଲେ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>