ସମସ୍ତ ସରକାରୀ ସ୍ତରରେ ଜାତି ସମ୍ପ୍ରଦାୟର ଉଲ୍ଲେଖ ବନ୍ଦ ଦାବିରେ ବିକ୍ଷୋଭ

ଭୁବନେଶ୍ୱର : ପବିତ୍ର ଉତ୍କଳୀୟ ନବବର୍ଷ ମହାବିଷୁବ ସଂକ୍ରାନ୍ତି ପର୍ବ ତଥା ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ଡ଼ଃ ଆମ୍ବେଦକରଙ୍କ ଜନ୍ମଦିବସ ଅବସରରେ ଆଜି ୟୁଥ ଫର ଇକ୍ୱାଲିଟି, ଇଣ୍ଡିଆ ଏଗେନଷ୍ଟ ରିଜର୍ଭେସନ, ଅଖିଳ ଭାରତୀୟ ସମାନତା ମଞ୍ଚ ଭଳି ସମମନୋଭାବାପନ୍ନ ସଙ୍ଗଠନମାନଙ୍କ ପକ୍ଷରୁ ସମସ୍ତ ସରକାରୀ ସ୍ତରରେ ଏବଂ ନଥିପତ୍ରରେ ଭାରତୀୟ ନାଗରିକଙ୍କ ଜାତି, ବର୍ଗ ଓ ସମ୍ପ୍ରଦାୟର ଉଲ୍ଲେଖକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାମାଜିକ ସ୍ତରରେ ଜାତିବାଦୀ ମାନସିକତାକୁ ପ୍ରତିହତ କରିବାକୁ ହେଲେ ପ୍ରଥମେ ସରକାରୀ ସ୍ତରରେ ଏହାର ପରିବର୍ତ୍ତନ ଆଣିବାକୁ ହେବ ବୋଲି କହିଥିଲେ ଇଣ୍ଡିଆ ଏଗେନଷ୍ଟ ରିଜର୍ଭେସନ ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ । ସହରାଞ୍ଚଳରେ କେହି କାହାର ଜାତି କିମ୍ବା ସମ୍ପ୍ରଦାୟ ନେଇ ସମ୍ବେଦନଶୀଳ ନଥିଲା ବେଳେ ସରକାରୀ ସ୍ତରରେ ଜାତିବାଦୀ ବ୍ୟବସ୍ଥା ଲୋକମାନଙ୍କୁ ବାଧ୍ୟ କରୁଛି ସେଭଳି ଚିନ୍ତାଧାରା ମନରେ ଆଣିବାକୁ ବୋଲି ସେ କହିଛନ୍ତି । ଜାତିଭିତ୍ତିକ ଯୋଜନାଗୁଡ଼ିଏ କାର୍ଯ୍ୟକାରୀ କରିବା ସହ ଜାତିଭିତ୍ତିକ ସଂରକ୍ଷଣ ଦେଇ ଦେଇ ସରକାର ସମାଜ ଭିତରେ ଜାତିବାଦର ଜହର ବ୍ୟାପକ କରାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏଣୁ କୌଣସି ପ୍ରକାର ଆବେଦନ ପତ୍ର କିମ୍ବା ସରକାରୀ ଦଲିଲରେ କାହାର ଜାତି , ବର୍ଗ କି ସମ୍ପ୍ରଦାୟର ଉଲ୍ଲେଖ କରିବା ପାଇଁ ସ୍ଥାନ ରଖିବା ଅଭ୍ୟାସ ସରକାର ପରିତ୍ୟାଗ କରନ୍ତୁ ବୋଲି ସେ ନିବେଦନ କରିଥିଲେ । ଆଜି ଭଳି ଏକ ପବିତ୍ର ଦିନରେ ଭାରତର ବିଭିନ୍ନ ସ୍ଥାନରେ ଗୋଟିଏ ସମୟରେ ଏଭଳି ଦାବି ଉପସ୍ଥାପନ କରାଯାଉଛି ବୋଲି ସୂଚନା ଦେଇ ଆଗାମୀ ଦିନରେ ଏ ଆନ୍ଦୋଳନକୁ ସମାଜର ସମସ୍ତ ବର୍ଗ ସହିତ ଯୋଡ଼ାଯିବ ବୋଲି ସେ ସୂଚନା ଦେଇଥିଲେ । ୟୁଥ ଫର ଇକ୍ୱାଲିଟି ସଂଯୋଜକ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ ସହଯୋଗୀ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ନାୟକ, ଜ୍ଞାନରଞ୍ଜନ ଦାଶ, ଶୁଭ୍ରାଂଶୁ ଶେଖର ଶତପଥୀ, ଗଦାଧର ପାଣିଗ୍ରାହୀ, ସୌଭାଗ୍ୟ କୁମାର ଦାସ, ପ୍ରଶାନ୍ତ ମହାପାତ୍ର, ରବିରଞ୍ଜନ ରାଉତରାୟ, ଶୁଭ୍ରଜିତ ସାହୁଙ୍କ ସମେତ ମହିଳା ସାମାଜିକ କର୍ମୀ ସିପ୍ରା ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>