କଳାଧନ ଲୁଚାଇ ରଖିଥିବା ଭାରତୀୟଙ୍କୁ ସ୍ବିସ୍ ବ୍ୟାଙ୍କ ପକ୍ଷରୁ ନୋଟିସ

ନୂଆଦିଲ୍ଲୀ: ସ୍ବିସ୍‌ ବ୍ୟାଙ୍କରେ ଅଘୋଷିତ ଅର୍ଥ(କଳାଧନ) ଲୁଚାଇ ରଖିଥିବା ଭାରତୀୟଙ୍କ ବିରୋଧରେ ଉଭୟ ସ୍ବିଜରଲାଣ୍ଡ ଏବଂ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସ୍ବିଜରଲାଣ୍ଡ ଅଧିକାରୀ ଏ ସମ୍ପର୍କରେ ଅତିକମ୍‌ରେ ୫୦ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ଭାରତୀୟ ଅଧିକାରୀଙ୍କୁ ଦେବାକୁ ଆରମ୍ଭ କରିଛନ୍ତି। ତଥ୍ୟ ପ୍ରଦାନ କରିବା ପୂର୍ବରୁ ସେମାନଙ୍କୁ ସ୍ବିଜରଲାଣ୍ଡ ପକ୍ଷରୁ ନୋଟିସ ଦେବା ଆରମ୍ଭ କରାଯାଇଛି। ଏମାନଙ୍କ ମଧ୍ୟରେ ଜମିଜମା, ଆର୍ଥିକ ସେବା,ପ୍ରଯୁକ୍ତିଗତ, ଟେଲିକମ୍‌,ପେଣ୍ଟ, ଘରୋଇ ସାଜସଜା, କପଡା, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ରନତ୍ ଆଭୂଷଣ କ୍ଷେତ୍ରରେ କାରବାର କରୁଥିବା ବ୍ୟକ୍ତିବିଶେଷ ଓ କମ୍ପାନୀ ରହିଛନ୍ତି। ଏମାନଙ୍କ ମଧ୍ୟରେ କିଛି ଡମି ବା ଭୂତ କମ୍ପାନୀ ମଧ୍ୟ ରହିଛନ୍ତି। କଳାଧନ ରଖିବାର ମୁଖ୍ୟ ପେଣ୍ଠସ୍ଥଳ ବୋଲି ରହିଥିବା ଛବିକୁ ବଦଳାଇବା ପାଇଁ ଏବେ ସ୍ବିଜରଲାଣ୍ଡ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଏହା ଏବେ ନିଜ ଦେଶର ଆଇନରେ ପରିବର୍ତ୍ତନ ଆଣିଛି ଓ ନିୟମରେ ସୁଧାର କରୁଛି। କଳାଧନ ସମ୍ପର୍କରେ ଚୁକ୍ତି ସ୍ବାକ୍ଷର ପରେ ଏହା ବିଭିନ୍ନ ଦେଶକୁ ସମ୍ପୃକ୍ତ ଦେଶର ଆକାଉଣ୍ଟଧାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଆରମ୍ଭ କରିଛି। ୫୦ ଭାରତୀୟଙ୍କୁ ନୋଟିସ ଜାରି କରି ସେମାନଙ୍କୁ ଅପିଲ କରିବାର ଶେଷ ସୁଯୋଗ ଦେଇଛି ସ୍ବିଜରଲାଣ୍ଡ। ପ୍ରକାଶ ପାଇଥିବା ଗେଜେଟ ଅନୁସାରେ କେବଳ ମେ ୨୧ରେ ୧୧ ଭାରତୀୟଙ୍କୁ ନୋଟିସ ଜାରି କରାଯାଇଥିଲା। ଯେଉଁଥିରେ ଦୁଇଜଣଙ୍କ ସମ୍ପୂର୍ଣ୍ଣ ନାମ ପ୍ରକାଶ କରାଯାଇଛି। ସେମାନେ ହେଲେ ୧୯୪୯ରେ କୃଷ୍ଣ ଭଗବାନ ରାମଚନ୍ଦ୍ର ଏବଂ ସେପ୍ଟେମ୍ବର ୧୯୭୨ରେ ଜନ୍ମିତ କଳ୍ପେଶ ହର୍ଷଦ କିନାରୀଓ୍ବାଲା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନାମର ଆଦ୍ୟ ଅକ୍ଷର ଦର୍ଶାଯାଇଛି। ସେମାନେ ହେଲେ ୨୪ ନଭେମ୍ବର, ୧୯୪୪ରେ ଜନ୍ମିତ ଏଏସ୍‌ବିକେ, ଜୁଲାଇ ୯, ୧୯୪୪ରେ ଜନ୍ମିତ ଏବିକେଆଇ, ୨ନଭେମ୍ବର, ୧୯୮୩ରେ ଜନ୍ମଲାଭ କରିଥିବା ପିଏଏସ୍‌, ୨୨ ନଭେମ୍ବର, ୧୯୭୩ରେ ଜନ୍ମ ନେଇଥିବା ଆର୍‌ଏଏସ୍‌, ୨୭ ନଭେମ୍ବର,୧୯୪୪ରେ ଜନ୍ମ ନେଇଥିବା ଏପିଏସ୍‌, ୧୪ ଅଗଷ୍ଟ, ୧୯୪୯ରେ ଜନ୍ମିତ ଏଡିଏସ୍‌, ୨୦ ମେ’, ୧୯୩୫ରେ ଜନ୍ମିତ ଏମଏଲ୍‌ଏ, ୨୧ ଫେବୃୟାରୀ, ୧୯୬୮ରେ ଜନ୍ମିତ ଏନ୍‌ଏମ୍‌ଏ ଓ ୨୭ ଜୁନ୍‌, ୧୯୭୩ରେ ଜନ୍ମିତ ଏମ୍‌ଏମ୍‌ଏ ସାମିଲ ହୋଇଛନ୍ତି। ୩୦ ଦିନ ଭିତରେ ବ୍ୟକ୍ତିଗତ ଭାବେ ଅଥବା ନିଜର ଅଧିକୃତ ବ୍ୟକ୍ତିଙ୍କ ଜରିଆରେ ହାଜର ହୋଇ ନୋଟିସର ଜବାବ ଦେବା ସହିତ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>