ସରକାରୀ ହସ୍ପିଟାଲରେ ଜନ୍ମହେଲା ବଡ଼ବାବୁଙ୍କ ପିଲା : ଜନସଚେତନତା ଓ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ବିଶ୍ୱାସ ବଢ଼ାଇବାକୁ ମାଲକାନଗିରି ଜିଲ୍ଲାପାଳଙ୍କ ଉଦ୍ୟମ

ମାଲକାନଗିରି: ସରକାରୀ ହସ୍ପିଟାଲରେ ଜନ୍ମନେଲା ବଡ଼ବାବୁଙ୍କ ପିଲା । ସନ୍ତାନ ପ୍ରସବ ପାଇଁ ସରକାରୀ ଡାକ୍ତରଖାନାକୁ ବାଛିଲେ ମାଲକାନଗିରି ଜିଲ୍ଲାପାଳ । ଆଜିକାଲି ଲୋକେ ପାଣି ପରି ଟଙ୍କା ଖର୍ଚ୍ଚ କରି ବେସରକାରୀ ମେଡ଼ିକାଲକୁ ଧାଉଁଛନ୍ତି । ସମସ୍ତଙ୍କ ମନରେ ଧାରଣା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତମ ଚିକିତ୍ସା ସୁବିଧା ମିଳୁଛି । ଆଉ ଏହାର ଫାଇଦା ଉଠାଉଛନ୍ତି ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ । ଚିକିତ୍ସା ଆଳରେ ରୋଗୀ ତଥା ରୋଗୀଙ୍କ ପରିବାରକୁ ହଇରାଣରେ ପକାଉଛନ୍ତି । ରୋଗୀଙ୍କୁ ଶୋଷଣ କରୁଛନ୍ତି । ଗୋଟିଏ ପଟେ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଜିଲ୍ଲାପାଳଙ୍କ ଏହି ନିଆରା ଉଦ୍ୟମ ଉଦାହରଣ ସୃଷ୍ଟି କରିଛି । ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଜନ୍ମାଇବା ପାଇ ମାଲକାନଗିରି ଜିଲ୍ଲାପାଳଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ।ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ସେ ଚାହିଁଥିଲେ ଅଧିକ ଟଙ୍କା ଖର୍ଚ୍ଚ କରି ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀଙ୍କ ପ୍ରସବ କରାଇପାରିଥାନ୍ତେ । କିନ୍ତୁ ସେପରି ନକରି  ସରକାରୀ ଡାକ୍ତରଖାନାରେ ନିଜ ସନ୍ତାନର ପ୍ରସବ କରାଇ ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବାକୁ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସୋନମ ଅଗ୍ରୱାଲ । ଗର୍ଭାବସ୍ଥା ଆରମ୍ଭ ଠାରୁ ପ୍ରସବ ଯାଏଁ, ପୁରା ପ୍ରକ୍ରିୟା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଇଥିଲେ ଅଗ୍ରଓାଲ ଦମ୍ପତି ।ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଯୋଗୁ ମାଲକାନଗିରି ଡାକ୍ତରଖାନାରେ ପତ୍ନୀଙ୍କୁ ଭର୍ତ୍ତି କରାଇଥିଲେ । ସାମାନ୍ୟ ପ୍ରସବରେ କିଛିଟା ସମସ୍ୟା ଥିବାରୁ ତୁରନ୍ତ ଅସ୍ତ୍ରପୋଚାର ଲାଗି ପରାମର୍ଶ ଦେଇଥିଲେ ଡାକ୍ତର । ଏବଂ ତୁରନ୍ତ ଅସ୍ତ୍ରପୋଚାର କରି ରଥଯାତ୍ରା ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ କରାଇଥିଲେ ଡାକ୍ତରୀ ଦଳ । ଅସ୍ତ୍ରପୋଚାର ପରେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ସୁବିଧା ଉପଲବ୍ଧ । ତେଣୁ ସେଠାରେ ଚିକିତ୍ସା କରାବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ମନିଷ ଅଗ୍ରୱାଲ ।କେବଳ ଗରିବଗୁରୁବା ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରୁଥିବାବେଳେ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆସ୍ଥା ପ୍ରକଟ କରିବାକୁ ଅନ୍ୟମାନଙ୍କୁ ଭରଷା ଦେବ ବୋଲି ଆଶା କରାଯାଉଛି । କିଛି ଦିନ ତଳେ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସଙ୍କ ଟିକଟିକ୍ ଭିଡିଓ ଚର୍ଚ୍ଚାରେ ରହିଥିଲା । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କର୍ମଚାରୀଙ୍କ ଏହି ବ୍ୟବହାର ଏକ ନକରାତ୍ମକ ଛବି ତିଆରି କରିଥିଲା । ହେଲେ ଜିଲ୍ଲାପାଳଙ୍କ ଭିନ୍ନ ପ୍ରୟାସ ଯୋଗୁଁ ନକରାତ୍ମକ ଛବିରେ ସୁଧାର ଆସିବା ସହ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ବିଶ୍ୱାସ ଆସିବ ବୋଲି ଆଶା କରାଯାଉଛି ।

 

Suraj Kumar Behera

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>