‘କେବିସି’ ନାଁରେ ଓଡିଶାରୁ ଲୁଟିନେଲେ ୨୫ ଲକ୍ଷରୁ ଉର୍ଧ୍ଵ ଟଙ୍କା

ସମ୍ବଲପୁର: ନିଜକୁ ‘କେବିସି’ ବା କୌନ ବନେଗା କରୋଡ଼ପତି କର୍ମଚାରୀର ପରିଚୟ ଦେଇ ସମ୍ୱଲପୁରରୁ ଲୁଟିନେଲେ ୨୫ ଲକ୍ଷରୁ ଉର୍ଧ୍ଵ ଟଙ୍କା | ଏଭଳି ଏକ ସଙ୍ଗୀନ ଘଟଣା ଏବେ ସାମ୍ନାକୁ ଆସିଛି | ବଡ଼ କଥା ଟଙ୍କା ହରାଇଥିବା ୮ ଜଣ ଲୋକ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ଲୁଟ ଘଟଣା ବାବଦରେ ଜଣାପଡିଛି | ଅଭିଯୋଗ ପାଇବା ପରେ ଯେତେବେଳେ ତଦନ୍ତ କରାଯାଇଥିଲା ଫୋନ କଲଗୁଡିକ ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ଜଣାପଡିଛି | ନିଜକୁ ‘କେବିସି’ କର୍ମଚାରୀ ଭାବେ ପରିଚୟ ଦେଇ ୩୦ଟି ଫୋନ ନମ୍ବରରୁ ହୀରାକୁଦ ଓ ଅଇଁଠାପାଲି ଅଞ୍ଚଳର କିଛି ଲୋକଙ୍କୁ ୬ ମାସ ଧରି ଫୋନ କଲ ଆସିଥିଲା | ପ୍ରଥମେ ୧ ଲକ୍ଷ ବା ୨ ଲକ୍ଷ ଟଙ୍କା ଜମା କଲେ ‘କେବିସି’ ଖେଳିପାରିବେ ଭଳି ସର୍ତ୍ତ ଥିଲା | ଏଥିସହ ଏହି ଟଙ୍କା ଜମା କଲେ ଫ୍ଲାଟ ଓ କାର ମଧ୍ୟ ମିଳିପାରିବ ବୋଲି କୁହାଯାଇଥିଲା | ତେବେ ୧୧ ଜଣ ଲୋକ ଏହି ଫୋନ କଲ ପାଇବା ପରେ ପୁଲିସକୁ ନ ଜଣାଇ ପ୍ରଥମେ ପଞ୍ଜିକରଣ ଅର୍ଥ ହିସାବରେ ୧୮ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ | ଏହାପରେ ପୁଣି ଫୋନ କଲ ଆସିଥିଲା | ଏଥରକ ୫୦ ହଜାର ଟଙ୍କା ଲେଖାଏଁ ଜମା କରିବାକୁ କୁହାଯାଇଥିଲା | ଏହାପରେ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ୩ଟି ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଲେଖାଏଁ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଜମା କରିଥିଲେ | ତେବେ କୁହାଯାଇଥିବା କାର ଓ ଫ୍ଲାଟ ନ ମିଳିବାରୁ କଲ ଆସିଥିବା ନମ୍ବରକୁ କଲ କରିଥିଲେ | କିନ୍ତୁ ସେତେବେଳେ ଏହିସବୁ ନମ୍ବର ବୈଧ ନଥିବା ଜଣାପଡିଥିଲା | ଏହାପରେ ସେମାନେ ସାଇବର ଥାନାରେ ଅଭିଯୋଗ କରିଛନ୍ତି | ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି |

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>