ବାପା, ମା ନାହାନ୍ତି, ୫ଟି କଅଁଳ ପେଟ କଥା ବୁଝୁଛି ୧୨ ବର୍ଷର ଝିଅ : ପଢନ୍ତୁ ଓଦା ହୋଇଯିବ ଆପଣଙ୍କ ଆଖି ପତା…

ପାଞ୍ଚ ପାଞ୍ଚଟି ପେଟ, ସମସ୍ତଙ୍କ ପେଟରେ ପେଟେ ପେଟେ ଭୋକ ଆଉ ହାତ ପାଖରେ ଗୋଟିଏ ପଖାଳ କଂସା । ଜଣେ ହାତ ପୂରାଇଲେ ଆଉ ଜଣେ ଚାହୁଁଛି, ତା ପାଳିକୁ ଅପେକ୍ଷା କରୁଛି । ଏଇ ପଖାଳ କଂସେ ପାଇଁ ଏ କୁନି ଝିଅକୁ କେତେ କସରତ କରିବାକୁ ପଡେ ହୁଏତ ତା କାହାଣୀ ଶୁଣିଲେ ଆପଣଙ୍କ ଆଖି ଓଦା ହୋଇଯିବ, ଛାତି ଭାରି ଭାରି ଲାଗିବ ।
କଂସାଏ ପଖାଳରେ କ’ଣ ୫ଟି ପେଟ ପୂରିବ? ନା ଭୋକ ମେଂଟିଯିବ? ତଥାପି ପଖାଳ କଂସେ ପାଇଁ ଏ କୁନି ଝିଅ ଅନେକ କସରତ କରେ । ତା କୁନି ପାଦରେ ଜଙ୍ଗଲକୁ ଯାଏ, କଅଁଳ ହାତରେ କାଠ ଗୋଟାଏ, ପର ଘରେ ପାଇଟି କରେ ଆଉ ଦି ପଇସା ମିଳିବା ପରେ ଭାଇଭଉଣୀଙ୍କ ମୁହଁରେ ଦାନା ଗଣ୍ଡେ ଦିଏ କେନ୍ଦୁଝର ମୁଣ୍ଡାସାହିର କୁନିଝିଅ ଗୁରୁବାରୀ ମୁଣ୍ଡା ।
୧୨ ବର୍ଷର କୁନି ଝିଅ ଗୁରୁବାରୀ ମୁଣ୍ଡା ସକାଳରୁ ସଞ୍ଜ ଘର କାମ କରୁଥାଏ । ଭାଇଭଉଣୀଙ୍କ ଅଳି ଅର୍ଦ୍ଦଳି ବୁଝୁବୁଝୁ ତା ତାଳୁ ଝାଳ ତଳିପାରେ ମରେ । ବୟସ କମ୍ ହେଲେ ବୋଝ ଅଧିକ । ସେ ଖାଏ କମ୍ ଖୁଆଏ ଅଧିକ । ଯେଉଁ ବୟସରେ ଖେଳକୁଦ କରି ଗାଁ ସ୍କୁଲରେ ପାଠ ପଢିବା କଥା ସେହି ବୟସରେ ସେ ପୂରା ପରିବାର କଥା ଭାବୁଛି । ତେବେ ଗୁରୁବାରୀକୁ ଯେଉଁଦିନ ମୂଳ ନମିଳେ ସେଦିନ ପେଟରେ ଓଦା କନା ଦେଇ ଶୋଇଯାଆନ୍ତି ସବୁ ଭାଇଭଉଣୀ ।

gurubari
ମାଆ ଆରପାରିକୁ ଚାଲିଯିବା ପରେ ୫ ପିଲାଙ୍କ ହାତ ଛାଡି ହଠାତ୍ କୁଆଡେ ଚାଲିଗଲେ ବାପା ଚୈତନ୍ୟ ମୁଣ୍ଡା । ଆଉ ବାପା ବେସାହାରା କରିଯିବା ପରେ ଏବେ ୧୨ ବର୍ଷର ବଡ ଭଉଣୀ ମୁଣ୍ଡରେ ସଂସାରର ବୋଝ । ତେବେ ୫ ବର୍ଷ ଧରି ଦୁଃଖରେ ଦିନ କାଟୁଥିବା ଏ ପିଲାଙ୍କ କଥା କାହାକୁ ଦିଶୁନି କେମିତି ? ଭୋକରେ ଛାଟିପିଟି ହେଉଥିବା କୁନିପିଲାଙ୍କ କରୁଣ ଚିକ୍ରାର କାହା କାନରେ ପଡୁନି କେମିତି ? ଗୁରୁବାରୀର ଘର ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଜିଲ୍ଲାପାଳଙ୍କ ଅଫିସ । ଏତେ ପାଖରେ ଥାଇ ବି ତାଙ୍କ ପାଖରେ କିଛି ଖବର ନାହିଁ । ଏହା ଠାରୁ ବଡ ବିଡମ୍ବନା ଆଉ କଣ ହୋଇପାରେ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>