ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ : ଜାଣନ୍ତୁ କଣ ରହିଛି ବିଶେଷତ୍ବ ଓ ପର୍ବ ପର୍ବାଣୀ

କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି । ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଓ ପରବର୍ତ୍ତୀ ମାସ ମାର୍ଗଶୀର । ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।

ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ମହାତ୍ମ୍ୟ ବୁଝାଇ କହୁଛନ୍ତି – ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ I ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ I

“ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ

ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ I ”

ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ I କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ ।

କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପର୍ବ ପର୍ବାଣୀ ଗୁଡିକ ହେଲା:

କୃଷ୍ଣ ଚତୁର୍ଥୀ: କରୱ।ଚୌଥ

କୃଷ୍ଣ ଦ୍ୱାଦଶୀ: ଗୋବତ୍ସା ଦ୍ୱାଦଶୀ

କୃଷ୍ଣ ତ୍ରୟୋଦଶୀ: ଧନ ତ୍ରୟୋଦଶୀ/ ଧନତେରାସ/ ଧନ୍ୱନ୍ତରୀ ଜୟନ୍ତୀ

କୃଷ୍ଣ ଚତୁର୍ଦ୍ଦଶୀ: ନରକ ଚତୁର୍ଦ୍ଦଶୀ

ଅମାବାସ୍ୟା: କାଳୀ ପୂଜା, ଦୀପାବଳୀ ଓ ପୟାଶ୍ରାଦ୍ଧ

ଶୁକ୍ଳ ଦ୍ୱିତୀୟା: ଯମଦ୍ୱିତୀୟା

ଶୁକ୍ଳ ଚତୁର୍ଥୀ: ନାଗ ଚତୁର୍ଥୀ

ଶୁକ୍ଳ ପଞ୍ଚମୀ: ଲାଭ ପଞ୍ଚମୀ

ଶୁକ୍ଳ ଷଷ୍ଠୀ: ଛଠ ପୂଜା

ଶୁକ୍ଳାଷ୍ଟମୀ: ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ: ଗୋସେବା ଉତ୍ସବ ।

ଶୁକ୍ଳ ନବମୀ: ଅଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ

ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ: ଭୀଷ୍ମ ପଞ୍ଚକ

ଶୁକ୍ଳ ଏକାଦଶୀ: ଦେବଉତ୍‌ଥାପନ ଏକାଦଶୀ/ ପ୍ରବୋଧିନୀ ଏକାଦଶୀ,

ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ

ଶୁକ୍ଳ ଦ୍ୱାଦଶୀ: ଗରୁଡ଼ ଦ୍ୱାଦଶୀ,

ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ

ତ୍ରୟୋଦଶୀ: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ

ଶୁକ୍ଳ ଚତୁର୍ଦ୍ଦଶୀ: ବୈକୁଣ୍ଠ ଚତୁର୍ଦ୍ଦଶୀ,

ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ

ମଳତିଥିରେ: ନାଗାର୍ଜୁନ ବେଶ

କାର୍ତ୍ତିକ ପୂର୍ଣ୍ଣିମା: ରାସ ପୂର୍ଣ୍ଣିମା,

ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବା ସୁନାବେଶ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>