ସେବାରେ ହିଁ ମିଳିଥାଏ ପ୍ରକୃତ ଶାନ୍ତି : ସୁରେଶ୍ୱରୀ ସାଗରିକା

ପିଲାଟି ଦିନରୁ ବଡ଼ଜେଜେ ବୈକୁଣ୍ଠନାଥ ଜେନାଙ୍କ ନିଃସ୍ୱାର୍ଥପର ସେବାକୁ ଦେଖି ସେ ଖୁବ୍ ଅନୁପ୍ରାଣୀତା ହୋଇଥିଲେ। ବଡ଼ଜେଜେ ଯିଏକି ସମାଜସେବା ପାଇଁ ନିଜର ଗୃହ ମଧ୍ୟ ତ୍ୟାଗ କରିଥିଲେ। ତେବେ ନିଜ ପରିବାରଠୁ ପ୍ରେରିତ ହୋଇ ଆଜି ସେ ସାହାଯ୍ୟ କରିଛନ୍ତି ଅନେକ ଅସହାୟ ବ୍ୟକ୍ତିଙ୍କୁ ଓ ମହିଳାଙ୍କୁ କରୁଛନ୍ତି ଆର୍ଥିକ ସହାୟତା।ତେବେ ସେ ହେଉଛନ୍ତି ସୁରେଶ୍ୱରୀ ସାଗରିକା ଜେନା। କେଉଁଝର ଜିଲ୍ଲା ହାଟଡ଼ିହିରେ ଜନ୍ମିତା ସୁରେଶ୍ୱରୀ ପିଲାଟି ଦିନରୁ ସମାଜସେବା କରିବା ପାଇଁ ମନୋବୃତ୍ତି ରଖିଥିଲେ।ସ୍ନାତକ ଓ ଡିଏମ୍ଏଲ୍ଟି ପରେ ପ୍ରଥମେ ବିଭିନ୍ନ ସାମାଜିକ ସଂସ୍ଥା ଜରିଆରେ ନିଜର ସମାଜସେବା କାର୍ଯ୍ୟ କରୁଥିଲେ ମାତ୍ର ଅନ୍ୟ ସଂସ୍ଥାରେ ଉଚ୍ଚ ପଦବୀରେ ନିଯୁକ୍ତ ହୋଇ କାର୍ଯ୍ୟ କରିବା ଅପେକ୍ଷା ନିଜେ ଏକ ସଂସ୍ଥା ଗଢି ସେବା କାର୍ଯ୍ୟ କରିବାକୁ ମନସ୍ଥ କଲେ ସୁରେଶ୍ୱରୀ।ଯାହା ଫଳରେ ୨୦୧୭ରେ ଗଢି ଉଠିଥିଲା “ଜୟଦୁର୍ଗା ଫାଉଣ୍ଡେସନ୍  ଟ୍ରଷ୍ଟ”।ସୁରେଶ୍ୱରୀଙ୍କ ମତରେ “ସେବା କେବେ ଅର୍ଥ ଆବଶ୍ୟକ କରେନା ଏହା କେବଳ ଆବଶ୍ୟକ କରେ ନିର୍ମଳ ମନ।ଜଣେ ଗରିବ ଅସହାୟ ସେତେବେଳେ ଆବଶ୍ୟକ ସହଯୋଗ ପାଇ ପାରିବ,ଯେବେ ତାର ପଡୋଶୀ ତାକୁ ସାହାଯ୍ୟର ହାତ ବଢ଼ାଇବେ”।

“ଜୟଦୁର୍ଗା ଫାଉଣ୍ଡେସନ୍ ଟ୍ରଷ୍ଟ” ବିଷୟରେ କିଛି-

ସୁରେଶ୍ୱରୀଙ୍କ ଦ୍ୱାରା ଗଠିତ ଏହି ଜୟଦୁର୍ଗା ଫାଉଣ୍ଡେସନ୍ ଟ୍ରଷ୍ଟ ପ୍ରଥମେ ଆଦିବାସୀ ବହୁଳ ଜିଲ୍ଲା କେଉଁଝରରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା।ଏଥିରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ରାଜ୍ୟର ବିଭିନ୍ନ ସ୍ଥାନରେ ସେବା ପ୍ରଦାନ କରିଥାନ୍ତି।ଏହା ଏକ ଅଣ ଲାଭକାରୀ ସଂସ୍ଥା ଯାହା ସମାଜର ଅବହେଳିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇବା ସହ ମହିଳାଙ୍କୁ ଆର୍ଥିକ ରୂପେ ସଶକ୍ତ କରିଥାଏ।ଯେମିତିକି ଆନନ୍ଦପୁରରେ ଆର୍ଥିକ ଅନଗ୍ରସର ଥିବା ମହିଳାଙ୍କୁ ସିଲେଇ ଶିକ୍ଷା ଦେବା ସହ ମେସିନ୍ ଯୋଗାଇବା, ଶିକ୍ଷାରୁ ଅବହେଳିତ ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ବିତରଣ କରିବା, ମହାମାରୀ ସମୟରେ ଅସହାୟଙ୍କୁ ରାସନ୍ ବଣ୍ଟନ କରିବା ଭଳି ମହତ୍ କାର୍ଯ୍ୟ ଏହି ଟ୍ରଷ୍ଟର ସ୍ବେଚ୍ଛାସେବୀଙ୍କ ଦ୍ଵାରା ହୋଇଥାଏ। ନିଜର ଏହିଭଳି ନିଃସ୍ୱାର୍ଥପର ସେବା ପାଇଁ ଫାଉଣ୍ଡେସନ୍ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ବିଭିନ୍ନ ରାଜ୍ୟ ଏବଂ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି।ରୟାଲ୍ ବିଶ୍ୱବିଦ୍ୟାଳୟରୁ ସମାଜସେବା ପାଇଁ ସମ୍ମାନଜନକ ପିଏଚ୍ଡି ଉପାଧି ପାଇଥିବା ବେଳେ ଡେରାଡୁନ୍,ଦିଲ୍ଲୀରୁ ସରକାରୀ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି।ଆଗାମୀ ଦିନରେ ନିଜର ସେବା କାର୍ଯ୍ୟ ଦ୍ୱାରା ମହିଳାଙ୍କୁ ଆତ୍ମସ୍ୱାବଲମ୍ବୀ କରିବା ସହିତ ଗରିବ ଅସହାୟଙ୍କୁ ନ୍ୟାୟ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଏହି  ସୁରେଶ୍ୱରୀ।
ପ୍ରସ୍ତୁତି : ଦେବୀପ୍ରସାଦ ରଥ

Leave a Reply

Your email address will not be published. Required fields are marked *