କରୋନାରେ ତାମିଲ ନାଡ଼ୁରେ ପ୍ରଥମ ମୃତ୍ୟୁ ହେଲା; ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ି ୧୧ ହେଲା; ୫୬୨ ଆକ୍ରାନ୍ତ

ଚେନ୍ନାଇ/ନୂଆ ଦିଲ୍ଲୀ: ତାମିଲ ନାଡ଼ୁରେ କରୋନା ଭାଇରସରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହା ତାମିଲ ନାଡ଼ୁରେ ଏହି ମହାମାରୀ ଯୋଗୁଁ ରେକର୍ଡ ହୋଇଥିବା ପ୍ରଥମ ମୃତ୍ୟୁ । ମୃତ ୫୪ ବର୍ଷୀୟ ବ୍ୟକ୍ତିଙ୍କର କୌଣସି ଯାତ୍ରା ଇତିହାସ ନ ଥିଲା । ବୁଧବାର ସକାଳେ ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସି. ବିଜୟଭାସ୍କର କହିଛନ୍ତି । ଏହି ମୃତ୍ୟୁ ସହ ଭାରତରେ କରୋନା ଭାଇରସ୍‌ (କୋଭିଡ-୧୯) କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ୧୧କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ମୃତକଙ୍କର ଦୀର୍ଘ ଦିନ ଧରି ଅନିୟନ୍ତ୍ରିତ ମଧୁମେହ ରୋଗର ଚିକିତ୍ସା ହୋଇଆସୁଥିଲା । ‘‘ଆମର ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ MDU, ରଜାଜୀ ହସ୍ପିଟାଲରେ ଥିବା ଏହି COVID-19 ପଜିଟିଭ୍ ରୋଗୀଙ୍କର ଦେହାନ୍ତ ହୋଇଗଲା । ସେ ଷ୍ଟେରଏଡ୍ ଉପରେ ନିର୍ଭରଶୀଳ COPD (କ୍ରୋନିକ୍ ଅବଷ୍ଟ୍ରକ୍ଟିଭ ପଲମନାରୀ ଡିଜିଜ୍‌) ଓ ଉଚ୍ଚ ରକ୍ତଚାପ ସହିତ ଅନିୟନ୍ତ୍ରିତ ମଧୁମେହରେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଆସୁଥିଲେ ଓ ଚିକିତ୍ସିତ ହେଉଥିଲେ,’’ ଟୁଇଟ୍ କରି କହିଛନ୍ତି ବିଜୟ ଭାସ୍କର ।

ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ଏହି ୫୪ ବର୍ଷିୟ ରୋଗୀଙ୍କର ବିଦେଶ ଭ୍ରମଣ କରିବାର କୌଣସି ଇତିହାସ ନ ଥିଲା । ଏଥିରୁ ସମୁଦାୟ ପ୍ରସାରଣ (community transmission) ର ଆଶଙ୍କା କରାଯାଉଛି । ତାମିଲ ନାଡୁରେ ଧାରା ୧୪୪ ଲାଗୁ କରିବା ପଛରେ ଏହି ଆଶଙ୍କା ଅନ୍ୟତମ କାରଣ ବୋଲି ସେ କହିଛନ୍ତି ।

“କରୋନା ଭାଇରସ୍ ଦେଶରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ତାମିଲ ନାଡୁରେ ସାମୁଦାୟିକ ପ୍ରସାରଣକୁ ରୋକିବା ପାଇଁ ଧାରା ୧୪୪ ଲଗାଯାଇଛି । ବଜ୍ର ବେଗରେ କରୋନାଭାଇରସ୍ ବିସ୍ତାର କରୁଛି । ବିଦେଶରୁ ଆସିଥିବା ଲୋକେ ବାଧ୍ୟତାମୂଳକ ଭାବେ ୨୮ ଦିନ ପାଇଁ ନିଜକୁ କ୍ୱାରେଣ୍ଟାଇନରେ ରଖିବା ଉଚିତ୍,’’ କହିଛନ୍ତି ବିଜୟ ଭାସ୍କର ।

ମଙ୍ଗଳବାର ଦିନ ତାମିଲ ନାଡ଼ୁରେ ତିନି ଜଣ ମହିଳାଙ୍କ ସମେତ ଛଅ ଜଣ ଲୋକ କରୋନା ଭାଇରସ୍ ପାଇଁ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ COVID-୧୯ର ମାମଲା ୧୮କୁ ବୃଦ୍ଧି ପାଇଛି ।

ଇତି ମଧ୍ୟରେ ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬୨କୁ ବୃଦ୍ଧି ପାଇଛି । ଏହି ୫୬୨ ଜଣ ରୋଗୀଙ୍କ ମଧ୍ୟରେ ୫୧୯ ଭାରତୀୟ ଓ ୪୩ ବିଦେଶୀ ଅଛନ୍ତି । ବିଭିନ୍ନ ହସ୍ପିଟାଲରେ ୫୧୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିଲ୍ଲୀରେ ଦ୍ବିତୀୟ ମୃତ ଘୋଷିତ ବ୍ୟକ୍ତି କରୋନା ନେଗେଟିଭ ଥିବା ସୂଚନା ମିଳିଛି ।

ବିଭିନ୍ନ ରାଜ୍ୟର କରୋନା ଭାଇରସ୍‌ ଆକ୍ରାନ୍ତ (ପଜିଟିଭ୍‌) ବ୍ୟକ୍ତିଙ୍କ ସଂଖ୍ୟା ଏମିତି: ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ୯, ବିହାର ୩, ଛତିଶଗଡ଼ ୧, ଦିଲ୍ଲୀ ୩୧, ଗୁଜରାଟ ୩୩, ହରିଆଣା ୨୮, ହିମାଚଳ ପ୍ରଦେଶ ୩, କର୍ଣ୍ଣାଟକ ୪୧, କେରଳ ୧୦୯, ମହାରାଷ୍ଟ୍ର ୧୦୧, ତେଲଙ୍ଗାନା ୩୫, ଉତ୍ତର ପ୍ରଦେଶ ୩୫, ରାଜସ୍ଥାନ ୩୨, ପଞ୍ଜାବ ୨୯, ତାମିଲ ନାଡ଼ୁ ୧୮, ଲଦାଖ ୧୩, ମଧ୍ୟ ପ୍ରଦେଶ ୯, ପଶ୍ଚିମ ବଙ୍ଗ ୯, ଚଣ୍ଡିଗଡ଼ ୭, ଜାମ୍ମୁ ଓ କାଶ୍ମୀର ୭, ଉତ୍ତରାଖଣ୍ଡ ୪, ଓଡ଼ିଶା ୨, ମଣିପୁର ୧, ମିଜୋରାମ ୧ ଓ ପୁଡୁଚେରୀ ୧ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>