ଓଡ଼ିଶାରେ କରୋନା ପଜିଟିଭ୍ ସେହି ୨ରେ ସ୍ଥିର, ହେଲେ ଆକ୍ରାନ୍ତ ରାଜ୍ୟରୁ ଆସିଛନ୍ତି ୭୮,୨୩୩ ଲୋକ

ଭୁବନେଶ୍ୱର: ରାଜ୍ୟରେ ଆଜି ପର୍ଯ୍ୟନ୍ତ ପୂର୍ବରୁ କରୋନା ଭାଇରସ୍‌ (COVID-19) ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ଛାଡ଼ିଦେଲେ ଆଉ କେହି ପିଜିଟିଭ୍ ବାହାରି ନାହାନ୍ତି ବୋଲି କହିଛନ୍ତି ଆଇ.ଇ.ସି. ମୁଖ୍ୟ ସୁବ୍ରତ ବାଗଚୀ । ତେବେ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଓ ସମ୍ଭାବନାକୁ ନେଇ ଉପୁଜିଥିବା ସ୍ଥିତିର ସମୀକ୍ଷା କରିଛନ୍ତି ସରକାର ଓ ଲକଡାଉନକୁ ମାନିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ଆଜି (ବୁଧବାର) ଓଡ଼ିଶାରୁ ୧୩୩ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତାହା ଭିତରୁ ୧୨୯ଟି ନମୁନା ନେଗେଟିଭ୍ ଆସିଛି ଓ ବାକି ୪ଟିର ରିପୋର୍ଟ ଆସିବାକୁ ଅଛି । ପୂର୍ବ ଦୁଇ ପଜିଟିଭ୍ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ବାଗଚୀ ।

‘‘ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ସେହି ମାତ୍ର ଦୁଇରେ ସ୍ଥିର ଥିବା ଯୋଗୁଁ ଆମେ ଆରାମ କରିବା ଉଚିତ ନୁହେଁ । ଉଦବେଗର କଥା ହେଲା ଏହା ଯେ ଏଇ କିଛି ଦିନ ଭିତରେ ବିଭିନ୍ନ କରୋନା ଆକ୍ରାନ୍ତ ରାଜ୍ୟରୁ ୭୮ ହଜାର ୨୩୩ ଜଣ ଲୋକ ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କ ଭିତରେ ଅନେକ କୋରୋନା ସଂକ୍ରମିତ ହୋଇଥିବା ଆଶଙ୍କା ରହିଛି । ତେଣୁ ବାହାରୁ ଫେରିଥିବା ଲୋକେ କୋରୋନାକୁ ଏଡ଼ାଇବା ପାଇଁ ହେଲେ ୧୪ ଦିନ ଧରି ସଂଗରୋଗ ବା କ୍ବାରେଣ୍ଟାଇନରେ ରହିବା ନିହାତି ଜରୁରୀ,’’ କହିଛନ୍ତି ବାଗଚୀ ।

ଭୁବନେଶ୍ୱରରେ ଲକଡାଉନ୍‌ ନିୟମ ଭାଙ୍ଗି ବାହାରେ ବୁଲୁଥିବା ଜଣେ ଯୁବକକୁ ପୋଲିସ ଦଣ୍ଡ ଦେଉଛି ।
ଓଡ଼ିଶାକୁ ଏ ପର୍ଯ୍ୟନ୍ତ ବିଦେଶରୁ ଫେରିଥିବା ୪,୦୧୫ ଜଣ ଲୋକଙ୍କୁ ପଞ୍ଜୀକରଣ କରିଛନ୍ତି । ୩୬ ଜଣ ବ୍ୟକ୍ତି ହସ୍ପିଟାଲରେ ଆଇସୋଲେସନରେ ରହିଛନ୍ତି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ଜୀବନ’ କାର୍ଯ୍ୟକ୍ରମରେ ପ୍ରେରିତ ହୋଇ କରୋନାରୁ ବର୍ତ୍ତିବା ପାଇଁ ୧ ଲକ୍ଷରୁ ଅଧିକ ଲୋକ ଶପଥ ନେଇଥିବା କହିଛନ୍ତି ବାଗଚୀ ।

ଏବେ କରୋନା ମୁକାବିଲା କ୍ଷେତ୍ରରେ ସ୍ବାସ୍ଥ୍ୟ ସେବା ସବୁ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପାଲଟିଥିବାରୁ ଚିକିତ୍ସା ସାମଗ୍ରୀ ଯୋଗାଉଥିବା ଓଡ଼ିଶା ଔଷଧ ନିଗମର ବିତରକଙ୍କୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>