ପାରମ୍ପରିକ ଚିତ୍ରକଳା ସହ ସମସାମୟିକ ଚିନ୍ତାଧାରାର ସମିଶ୍ରଣରେ ହିଁ ସୃଜନାତ୍ମକ ସୃଷ୍ଟିର ସମ୍ଭବ : ଶିଳ୍ପୀ ସୁସ୍ମିତା ସାହୁ

ନିଜ କଳା ଶିକ୍ଷକଙ୍କ ଚିତ୍ରକଳା ତାଙ୍କୁ ପ୍ରେରଣା ଦେଇଥିଲା ଜଣେ ଚିତ୍ରଶିଳ୍ପୀ ହେବାର । ନିଜର ସୃଜନାତ୍ମକ ପ୍ରତିଭା ବଳରେ ଆଜି ସେ ଓଡ଼ିଶା ବାହାରେ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । ସେହି ଯୁବା ଶିଳ୍ପୀ ଜଣକ ହେଉଛନ୍ତି ସୁସ୍ମିତା ସାହୁ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ନିଜର କଳା ଶିକ୍ଷକଙ୍କ ଏକ ପେଣ୍ଟିଙ୍ଗ୍ ତାଙ୍କୁ ଖୁବ୍ ଆକୃଷ୍ଟ କରିଥିଲା ଯାହା ଫଳରେ ସୁସ୍ମିତା ହାତରେ ରଙ୍ଗତୁଳୀ ଓ କାଗଜ ଧରିବାକୁ ମନସ୍ଥ କଲେ । ଫଳସ୍ୱରୂପ କର୍ଣ୍ଣାଟକ ରାଜ୍ୟର ଗୁଲବର୍ଗା ବିଶ୍ୱବିଦ୍ୟାଳୟରୁ ଫାଇନ୍ ଆର୍ଟ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ସୁସ୍ମିତା । ଅନ୍ୟପକ୍ଷରେ ଗ୍ରାଫିକ୍ସ ଆର୍ଟ୍ସରେ ଗୁରୁ ପ୍ରମୋଦ ବୋରୁଙ୍କୁ ନିଜର ଆଦର୍ଶ ମାନନ୍ତି ସୁସ୍ମିତା ।
ତେବେ ଏହି ଯୁବାଶିଳ୍ପୀଙ୍କ ଚିତ୍ରକଳାର ମୁଖ୍ୟ ଆକର୍ଷଣ ହେଉଛି ଚିରାଚରିତ ଚିତ୍ରକଳା ପରମ୍ପରାରୁ ଟିକେ ନିଆରା କରିବା । ପୂର୍ବରୁ କେବଳ ଧଳା ଓ କଳା ରଙ୍ଗର ପ୍ରୟୋଗକୁ ବାଦ୍ ଦେଇ ନିଜ ଚିତ୍ରକଳାରେ  ନାନା ରଙ୍ଗର ସମାହାରକୁ ପ୍ରୟୋଗ କରିବା । ଯହିଁରେ ଥାଏ ଏକ ନାରୀର ସୌନ୍ଦର୍ଯ୍ୟ ରୂପର ବର୍ଣ୍ଣନା।
ବାଙ୍ଗାଲୋରରେ ଅଧ୍ୟୟନ କରି ସାରିବା ପରେ ନିଜର ୬ଜଣ ସହଯୋଗୀଙ୍କୁ ନେଇ ଆର୍ଟ ପଏଣ୍ଟ ନାମକ ଏକ ସଂଗଠନ ଗଢ଼ିଥିଲେ ସୁସ୍ମିତା । ବର୍ତ୍ତମାନ ଲଳିତକଳା ଏକାଡେମୀରେ କାର୍ଯ୍ୟରତ ଅଛନ୍ତି ସୁସ୍ମିତା।
ତେବେ ଓଡ଼ିଶାରେ ଚିତ୍ରକଳା ଶିଳ୍ପରେ ଦେଖା ଯାଉଥିବା ସମସ୍ୟା ଉପରେ ଖୁବ୍ ଦୁଃଖିତ ଅଟନ୍ତି ସୁସ୍ମିତା । ଓଡ଼ିଶାର ଚିତ୍ରକଳା ଶିଳ୍ପରେ ଛାତ୍ର ଓ କ୍ଷୁଦ୍ର ଶିଳ୍ପୀଙ୍କୁ ଅଣଦେଖା,କୁଶଳୀ କାରିଗରୀ ବିଦ୍ୟାର ଅଭାବ,ଉପଯୁକ୍ତ ପ୍ରଚାର ପ୍ରସାରର ଅଭାବ,ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଦର୍ଶନୀର ଆୟୋଜନରେ ବୈମାତୃକ ମନୋଭାବ ଭଳି ସମସ୍ୟା ଉପରେ ନିଜର ମତ ରଖିଛନ୍ତି ଏହି ଯୁବାଶିଳ୍ପୀ ଜଣକ । ତେବେ ରାଜ୍ୟସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ସୁସ୍ମିତା।

ଶିଳ୍ପୀ ସୁସ୍ମିତାଙ୍କ କିଛି କୃତି,କର୍ମଶାଳା ଓ ପ୍ରଦର୍ଶନୀ ବିଷୟରେ ପଦେ-
ସର୍ବଭାରତୀୟ ମହିଳା କଳାକୃତି ଶିବିର-୨୦୧୩
ପଟଚିତ୍ର କର୍ମଶାଳା-ଗଞ୍ଜାମ
୧୨ତମ ଚିତ୍ରାସଂଥେ-ବାଙ୍ଗାଲୋର
ଚିତ୍ରକଳା ଶିବିର-ଲଳିତକଳା ଏକାଡେମୀ ଆଂଚଳିକ କେନ୍ଦ୍ର, ଭୁବନେଶ୍ୱର।

ଗୋଷ୍ଠୀ ପ୍ରଦର୍ଶନୀ,ଆର୍ଟ ପଏଣ୍ଟ-ଗୁଲବର୍ଗା ଆର୍ଟ ଗ୍ୟାଲେରୀ, ବାଙ୍ଗାଲୋର।
ବିଶ୍ୱ କଳା ପ୍ରଦର୍ଶନୀ-(ନଭସଞ୍ଚାର)୨୦୨୧
ତୃତୀୟ ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀ-ନିରନ୍ତର ୨୦୨୧

ପ୍ରମାଣପତ୍ର-
ବିଶ୍ୱ କଳା ପ୍ରଦର୍ଶନୀ,ଡବ୍ଲୁ ଲକ୍,ମ୍ୟୁଜିୟମ ଆର୍ଟ ଗ୍ୟାଲେରୀ-ମୁମ୍ବାଇ ଇତ୍ୟାଦି।

ରାଜ୍ୟରେ ଚିତ୍ରଶିଳ୍ପୀଙ୍କ ପାଇଁ ଶିକ୍ଷକତା ବୃତ୍ତି ଏକମାତ୍ର ପନ୍ଥା ସାଜିଥିବାରୁ ସମସ୍ତେ ଏହି ବୃତ୍ତିରେ ସନ୍ତୁଷ୍ଟ ହେଉନାହାନ୍ତି, ତେଣୁ ସୁଲଭ ମୂଲ୍ୟରେ ଚିତ୍ରଶିଳ୍ପୀମାନଙ୍କୁ ପ୍ରଦର୍ଶନୀରେ ଷ୍ଟଲ୍ ଯୋଗାଇଲେ ଶିଳ୍ପୀମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବା ସହିତ ଜନସାଧାରଣ ରାଜ୍ୟର ଚିତ୍ରକଳା ଉପରେ ଜ୍ଞାନ ପାଇବେ । ଯାହାଦ୍ଵାରା ରାଜ୍ୟରେ ଅବହେଳିତ ହେଉଥିବା ଶିଳ୍ପୀମାନେ ରୋଜଗାର ପାଇଁ ବାହାରକୁ ନ ଯାଇ ନିଜ ରାଜ୍ୟରେ ରହି କାର୍ଯ୍ୟ କରିପାରିବେ । ତେବେ ନିଜର ବୃତ୍ତିଗତ ଜୀବନରେ ପରିବାରର ଅନେକ ସହଯୋଗ ରହିଛି ବୋଲି କହିଛନ୍ତି ସୁସ୍ମିତା । ଭବିଷ୍ୟତରେ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ଯୁବା ଚିତ୍ରଶିଳ୍ପୀ ଜଣକ।

Leave a Reply

Your email address will not be published. Required fields are marked *