ଦନ୍ତା ଆକ୍ରମଣରେ ୫ ବର୍ଷୀୟ ଶିଶୁପୁତ୍ର ମୃତ୍ୟୁ

କାମାକ୍ଷାନଗର : ରାତିର ଅନ୍ଧାରରେ ଦନ୍ତା ମଚାଇଲା ତାଣ୍ଡବ । ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା । ଦନ୍ତା ଆକ୍ରମଣରେ ୫ ବର୍ଷୀୟ ଶିଶୁପୁତ୍ର ଘଟଣାସ୍ଥଳରେ ଆଖି ବୁଜିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ବାପା। ଏପରି ଛାତିଥରା ଘଟଣା ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହୁଲଡଗର ଗାଁରେ ଘଟିଛି । ମୃତକ ହେଲେ ରିଶି ଜେରେଇ । ତାଙ୍କ ବାପା ରସାନନ୍ଦ ଜେରେଇ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ଅନୁଯାୟୀ , ଗତକାଲି ରାତିରେ ରସାନନ୍ଦଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ସେ ନିଜ ୫ ବର୍ଷର ପୁଅ ସହ ଘର ବାରଣ୍ଡାରେ ଶୋଇଥିଲେ। ମାତ୍ର ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ତାଙ୍କ ଘର ଆଡ଼କୁ ମାଡ଼ି ଆସିଥିଲା। ହାତୀଟି ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା ଏବଂ ପରେ ୫ ବର୍ଷର ଶିଶୁପୁତ୍ରର ମୁଣ୍ଡରେ ଦଳି ଦେଇଥିଲା ।

ବାପପୁଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ବାପା ରସାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଦନ୍ତାକୁ ନେଇ ଗାଁରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *