ସୋନାଲିଙ୍କୁ ଗିରଫ କରି ସୌମ୍ୟାଙ୍କ ନ୍ୟାୟ ଦେବା ଦାବିରେ ଧାରଣା ଦେଲେ ପରିବାର

ଭୁବନେଶ୍ୱର : ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୨୨ ଦିନ ବିତି ଗଲାଣି। ହେଲେ ଏବେ ବି ପୁଲିସ୍‌ ହାତ ଖାଲି। ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ପୁଲିସ ତାଙ୍କୁ ଜେରା କରି ନାହିଁ। ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋନାଲିଙ୍କୁ ଗିରଫ କରିବା ଦାବିରେ ଆଜି ସେମାନେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସୋନାଲିଙ୍କୁ ଗିରଫ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ସୌମ୍ୟଙ୍କ ପରିବାର ଲୋକେ ଚେତାବନୀ ଦେଇଛନ୍ତି।

ସୌମ୍ୟ ମା’ କହିଛନ୍ତି, ଆମେ ଦୁଇ ଥର ଇନଫୋସିଟ୍ ଥାନାକୁ ଯାଇଛୁ। ସେଠି ଏଫ୍‌ଆଇଆର ମଧ୍ୟ ଦେଇଛୁ। ଡିସିପି ଅଫିସରେ ମଧ୍ୟ ଏଫ୍‌ଆଇଆର ଦେଇଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ମୋ ପୁଅକୁ ନ୍ୟାୟ ଦେବା ପାଇଁ ଆମେ ଧାରଣାରେ ବସିଛୁ।

ସେ ଆହୁରି କହିଛନ୍ତି, ମୋ ପୁଅ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲା। ସେଥିରେ ସେ ତା’ର ମୃତ୍ୟୁ ପାଇଁ ସୋନାଲି ଦାୟୀ ବୋଲି ଲେଖିଥିଲା। ସୋନାଲି ଓ ତାର ଝଗଡ଼ା ବିଷୟରେ ତା’ ମା’ (ସୋନାଲିର ମା’)କୁ କହିଥିଲା ଓ ଆତ୍ମହତ୍ୟା କରିବ ବୋଲି ବି ଜଣାଇଥିଲା। ସୋନାଲିର ମା’ ମୋତେ ଏନେଇ କିଛି ଜଣାଇ ନଥିଲେ। ଯଦି ସେ ମୋତେ ଜଣାଇଥା’ନ୍ତେ ମୁଁ ପୁଅକୁ ଜଗିବାକୁ ଯାଇଥା’ନ୍ତି ଓ ସେ ବଞ୍ଚି ଯାଇଥା’ନ୍ତା। ସେ ମା’ ଓ ଝିଅଙ୍କ ପାଇଁ ମୁଁ ମୋ ପୁଅକୁ ହରାଇଛି। ପୁଲିସ୍ ସେମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ।

ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୁମ୍ୱାଇରେ ମଡେଲିଂ କରୁଥିଲେ। ମାତ୍ର କରୋନା ବେଳେ ଘରକୁ ଫେରି ଆସିଥିଲେ। ସେ ଭୁବନେଶ୍ୱରର ନନ୍ଦନ ବିହାରରେ ରହୁଥିଲେ। ଏହି ସମୟରେ ସେ ସୋନାଲିଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଦୁହେଁ ପ୍ରେମରେ ପଡ଼ିଥିଲେ। କଥା ବାହାଘର ପର୍ଯ୍ୟନ୍ତ ବି ଯାଇ ସାରିଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି।

Leave a Reply

Your email address will not be published. Required fields are marked *