କଶ୍ମୀର ପ୍ରସଙ୍ଗରେ ବିବାଦୀୟ ବୟାନ ପରେ ଭାରତ ଆସୁଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

ନୂଆଦିଲ୍ଲୀ : ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆଜି ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିବେ। ସେ ଦିଲ୍ଲୀରେ ଆସନ୍ତାକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ଦୁଇ ବର୍ଷ ପରେ ଚାଇନାର କୌଣସି ଉଚ୍ଚ ପଦରେ ଥିବା ମନ୍ତ୍ରୀ କିମ୍ବା ଅଧିକାରୀ ଭାରତ ଗସ୍ତରେ ଆସୁଛନ୍ତି। ନିକଟରେ ୱାଙ୍ଗ ୟି ପାକିସ୍ତାନରେ ଆୟୋଜିତ କାର୍ଯ୍ୟକ୍ରମରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ତାଙ୍କର ଏପରି ବୟାନକୁ ଭାରତ ଦିନକ ତଳେ ନାପସନ୍ଦ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। ଭାରତର କଡ଼ା ପ୍ରତିବାଦର ଦିନକ ପରେ ହିଁ ୱାଙ୍ଗ ନୂଆଦିଲ୍ଲୀ ଆସୁଛନ୍ତି।

ୱାଙ୍ଗ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟପାତ୍ର ଅରିନ୍ଦମ ବାଗଚି କହିଥିଲେ, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ସହ ଜଡ଼ିତ ସମସ୍ତ ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏହି ପ୍ରସଙ୍ଗର କମେଣ୍ଟ କରିବାର ଅଧିକାର ଚାଇନା ସମେତ ଅନ୍ୟ କୌଣସି ଦେଶର ନାହିଁ। ଭାରତ ସବୁବେଳେ ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରୁ ଦୂରେଇ ରହିଥାଏ ବୋଲି ସେମାନେ ମନେ ରଖିବା ଦରକାର। କଶ୍ମୀର ଭାରତର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଶ୍ରୀ ବାଗଚି କହିଥିଲେ।

ସୂଚନାଯୋଗ୍ୟ, ଓଆଇସି ସମ୍ମିଳନୀର ପ୍ରାରମ୍ଭିକ ଭାଷଣରେ ୱାଙ୍ଗ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “କଶ୍ମୀର ପ୍ରସଙ୍ଗରେ ଆମେ ଏବେ ବି ଅନେକ ଇସଲାମିକ ବନ୍ଧୁଙ୍କ ସ୍ୱର ଶୁଣୁଛୁ। ଚାଇନା ମଧ୍ୟ କଶ୍ମୀର ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ରଖୁଛି।” ୱାଙ୍ଗ ୟିଙ୍କ ପୂର୍ବରୁ ଓଆଇସି ଦେଶଗୁଡ଼ିକ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏଥିରେ ଚାଇନା ମଧ୍ୟ ଏକମତ ହୋଇଥିବାରୁ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *