ଯୋଗୀଙ୍କ ଶପଥପାଠ ଉତ୍ସବ ପାଇଁ ‘ଦି କଶ୍ମୀର ଫାଇଲ୍ସ’ ଟିମକୁ ନିମନ୍ତ୍ରଣ

ଲକ୍ଷ୍ନୌ : ଆସନ୍ତାକାଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜେପେୟୀ ଷ୍ଟାଡିୟମରେ ଏଥିପାଇଁ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଅପରାହ୍ନ ୪ଟାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଯୋଗୀଙ୍କ ଶପଥପାଠ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହ ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସର କଳାକାର ଓ ପୂରା ଟିମକୁ ମଧ୍ୟ ଯୋଗୀଙ୍କ ଶପଥ ପାଠ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇଛି। ଏହାବାଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ହାଇପ୍ରୋଫାଇଲ ବ୍ୟବସାୟୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୋଗୀଙ୍କ ଶପଥପାଠ ଉତ୍ସବକୁ ସ୍ମରଣୀୟ କରିବାକୁ ଦଳ ପୂରା ଯୋଜନା କରିଛି। କାରଣ ଯୋଗୀ ରେକର୍ଡ କ୍ରମାଗତ ଦ୍ୱିତୀୟଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିପାଇଁ ଯୋଗୀଙ୍କ ଶପଥ ପାଠ ଉତ୍ସବ ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର, କଙ୍ଗନା ରାଣାୱତ ଓ ବୋନି କପୁରଙ୍କ ଭଳି ସେଲିବ୍ରେଟିଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ଦଳ ପକ୍ଷରୁ ଦି କଶ୍ମୀର ଫାଇଲ୍ସର ପୂରା ଟିମ୍‌କୁ ଡକାଯାଇଛି। ଅଭିନେତା ଅନୁପମ ଖେର ଓ କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଷ୍ଟାଡିୟମରେ ପ୍ରସ୍ତୁତ ହୋଇଥିବା ମୁଖ୍ୟ ଷ୍ଟେଜରେ ବିରାଟ ପୋଷ୍ଟର ଲଗାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିଛି। ପଡ଼ିଆ ଭିତରେ ୨୦ ହଜାର ଚେୟାର ପଡ଼ିଛି। ସେହିପରି ଷ୍ଟାଡିୟମରେ ଥିବା ଗ୍ୟାଲେରୀଗୁଡ଼ିକରେ ମଧ୍ୟ ବିଜେପି ସମର୍ଥକମାନେ ବସିବେ। ୟୁପି ଓ ସମଗ୍ର ଭାରତରୁ ବିଜେପି କର୍ମୀମାନେ ଯୋଗୀଙ୍କ ଶପଥପାଠର ମୁକସାଖୀ ହେବାକୁ ଆସୁଥିବା କୁହାଯାଉଛି।

ଯୋଗୀଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନେତା ଓ ବିରୋଧୀ ଦଳର ପ୍ରମୁଖ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମକୁ ଗ୍ରାଣ୍ଡ ୱେରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଦଳ ପକ୍ଷରୁ ସରକାରୀ ଯୋଜନାର ଲାଭ ପାଉଥିବା ହିତାଧିକାରୀ ବା ଲାଭାର୍ଥୀଙ୍କୁ ନିମନ୍ତ୍ରଣ କରାଯିବ। ଏମାନେ ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଦଳ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଯୋଗୀଙ୍କ ଶପଥ ପାଠ ଉତ୍ସବକୁ ଡାକିବ ।

ଯୋଗୀ ଆଦିତ୍ୟନାଥ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଯିବ। ସେ ପ୍ରଥମ ରାଜନେତା ଯିଏ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ। ସେହିପରି ୧୫ ବର୍ଷ ମଧ୍ୟରେ ସେ ପ୍ରଥମ ବିଧାୟକ ଭାବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ। ୨୦୧୭ରେ ଯୋଗୀ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଲୋକସଭା ସଦସ୍ୟ ଥିଲେ। ଏହାପରେ ସେ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ। ଅର୍ଥାତ ସେ ବିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇ ନଥିଲେ।

Leave a Reply

Your email address will not be published. Required fields are marked *