ନାରୀର ସାମାଜିକ ଶ୍ରେଷ୍ଠତ୍ଵ ତାର ଚିନ୍ତାଧାରାରେ ହିଁ ନିହିତ, ନିଷ୍ଠା ସହକାରେ ନିଜ ଲକ୍ଷ୍ୟ ପଥରେ ଆଗେଇଲେ ସଫଳତା ସ୍ୱାଗତ କରିବ ; ରେଣୁକା ମିଶ୍ର

ଖେଳ କସରତ ବୟସରେ ସେ ଲୁଚି ଲୁଚି କବିତା ଓ ଗଳ୍ପ ରଚନା କରୁଥିଲେ। ପିଲାଟି ଦିନରୁ ଲେଖାଲେଖି ପ୍ରତି ନିଜ ମନ ଭିତରେ ଥିଲା ଅହେତୁକ ମମତା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୁଣ୍ଡ ଉପରେ ଅନେକ ବୋଝକୁ ମୁଣ୍ଡାଇ କେବେ ବି ସେ ସାହିତ୍ୟ ସାଧନାରୁ ନିଜକୁ ବିଚ୍ୟୁତ କରିନଥିଲେ। ଅନେକ ଘାତ ପ୍ରତିଘାତ ପ୍ରତିବନ୍ଧକ କୁ ଡେଇଁ ତାଙ୍କ ହୃଦୟ ମନ୍ଦିରରେ ଜଳୁଥିବା ସାହିତ୍ୟ ସୃଜନାର ଦୀପଶିଖା ସତେ ଯେପରି ଆହୁରି ଉଜ୍ଵଳ ଆଲୋକରେ ଆଲୋକିତ ହୋଇଥିଲା । ଜୀବନର କଷଟି ପଥରେ ଯାହା ଅନୁଭୂତି ସାଉଁଟି ଥାନ୍ତି ତାହା ରୂପ ଦେଇଥାନ୍ତି ତାଙ୍କ ସୃଷ୍ଟି ସମ୍ପଦରେ। ସେ ହେଉଛନ୍ତି ରେଣୁକା ମିଶ୍ର | ଏକାଧାରରେ ସୁ ସାହିତ୍ୟିକା, ସୁ ଗାଳ୍ପିକା, ଶିକ୍ଷୟିତ୍ରୀ, ସମାଜ ସେବୀ,କଳିଙ୍ଗ ପୁସ୍ତକ ମେଳାର ମୁଖ୍ୟ ଉଦ୍ୟକ୍ତା ଭାବରେ ଦୀର୍ଘ ବର୍ଷ ଧରି କଳିଙ୍ଗ ପୁସ୍ତକ ମେଳାକୁ ଆୟୋଜନ କରି ସଫଳତା ପୂର୍ବକ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ରେଣୁକା ମିଶ୍ର । ସାରା ଭାରତରେ ଏକମାତ୍ର ପୁସ୍ତକ ମେଳା ଯାହା କେବଳ ମହିଳା ମାନଙ୍କ ଦ୍ୱାରା ଆୟୋଜିତ ହୋଇଆସୁଅଛି |


ରେଣୁକା ମିଶ୍ର କେବଳ ଜଣେ ଲେଖିକା ନୁହନ୍ତି ବାସ୍ତବ ଜୀବନରେ ଖୁବ ସୁନ୍ଦର ମଣିଷ ମଧ୍ୟ। ଜୀବନର ଶୈଶବ କାଳରୁ ଲେଖିକା ରେଣୁକା ମିଶ୍ରଙ୍କ ମନରେ ସାହିତ୍ୟର ସ୍ପୁରଣ ହୋଇଥିଲା । ଯେତେବେଳେ ସେ ଜାମସେଦପୁର ପାଟନା ବୋର୍ଡ ବିଦ୍ୟାଳୟରେ ପାଠ ପଢୁଥିଲେ ସେତେବେଳେ ଏକ ପତ୍ରିକା ପ୍ରକାଶନ ହୋଇଥିଲା। ସେହି ପତ୍ରିକାରେ ତାଙ୍କର ଏକ ଗଳ୍ପ ସ୍ଥାନ ପାଇଥଲା ଯାହା ଥିଲା “ଲଣ୍ଡା ବରଗଛ” ର କାହାଣୀ। ବିଷୟ ବସ୍ତୁଟି ଏକ ନିରିହ ସରଳ ଝିଅଟିଏ ଉପରେ ଥିଲା ଯିଏ ମାଟ୍ରିକ ଫେଲ ହେବା ଫଳରେ ସେହି ବରଗଛରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା। ସେହି ଘଟଣା ରେଣୁକା ମିଶ୍ରଙ୍କ ହୃଦୟକୁ ଖୁବ ଆନ୍ଦୋଳିତ କରିଥିଲା ଓ କାହିଁକି କେଜାଣି ସେ ଝିଅଟିର ଜୀବନକୁ ନେଇ ଗଳ୍ପ “ଲଣ୍ଡା ବରଗଛ” ସ୍ୱତସ୍ପୃତ ଭାବେ ତାଙ୍କ ମାନସ ପଟରୁ ଜନ୍ମ ନେଇଥିଲା। ଜୀବନର ଏହି ପ୍ରଥମ ଗଳ୍ପ ତାଙ୍କୁ ବେଶ ଆନନ୍ଦ ପ୍ରଦାନ କରିବା ସହିତ ଆହୁରି ଅଧିକରୁ ଅଧିକ ସାହିତ୍ୟ ସାଧନା କରିବାକୁ ତାଙ୍କୁ ପ୍ରେରଣା ଦେଇଥିଲା। ହେଲେ ପରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ଅନୁମାନ କରି ପରିବାର ଲୋକେ ସେହି ସମୟରେ ଗଳ୍ପ ଲେଖିବାକୁ ଓ ପଢିବାକୁ ବାରଣ କରିଥଲେ। ତାଙ୍କ ମା ସବୁବେଳେ କହୁଥିଲେ ସାହିତ୍ୟ ସାଧନା କରିବାକୁ ବହୁତ ସମୟ ଅଛି ଏବେ ପାଠ ପଢ଼ାରେ ଧ୍ୟାନ ଦିଅ। ହେଲେ କିନ୍ତୁ ସେ ଲୁଚି ଲୁଚି ଅନେକ ଥର ଗଳ୍ପ ପଢୁଥିଲେ ଓ ମା ଜାଣିପାରୁଥିଲେ ମାଡ଼ ମଧ୍ୟ ମାରୁଥିଲେ ଆଉ ପରିବାରର ସମସ୍ତ ବିରୋଧ ସତ୍ତ୍ୱେ ତାଙ୍କ ଭିତରେ ଏକ ସୃଜନଶିଳ ଭାବା ବେଗ ସବୁବେଳେ ଫୁଟି ଉଠୁଥିଲା। ସେଥିପାଇଁ ତ ସାହିତ୍ୟ ଠାରୁ ନିଜକୁ ଦୂରେଇ ନପାରି ବଂର ଲେଖି ଚାଲିଥିଲେ ଅନେକ ଗଳ୍ପ,କବିତା, ସେ ଲେଖିଥିବା ଅନେକ ଗଳ୍ପ କବିତା ମଧ୍ୟରେ ଅର୍ଦ୍ଧକେ ମାନବୀ ତୁମେ ଅର୍ଦ୍ଧକେ କଳ୍ପନା,ପୁଣ୍ନେନ୍ଦୁ ମିଶ୍ରଙ୍କ ଶବ ବ୍ୟବଚ୍ଛେଦ, ସୂର୍ଯ୍ୟାସ୍ତ ପରେ, ଅନୁବାଦ- ପ୍ରେମର ରଙ୍ଗ ଗାଢ଼। ଏମିତି ତାଙ୍କ ଲେଖନୀର ମୁନ ଆଗକୁ ଆଗକୁ ବଢିଚାଲିଛି।


ରେଣୁକା ମେଧାବୀ ଛାତ୍ରୀ ଥିବାରୁ ତାଙ୍କ ବାପା ସବୁବେଳେ ଚାହୁଁଥିଲେ ସେ ଡାକ୍ତର ହୁଅନ୍ତୁ ହେଲେ କିନ୍ତୁ ବିଡମ୍ବନା ବଶତଃ ସେ ସଫଳ ହୋଇପାରିନଥିଲେ। ପରବର୍ତ୍ତୀ ସମୟରେ ସେ ବିରମିତ୍ରପୁର ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ହେଲେ ବିଭାଘର ପରେ ଶାଶୂଘର ଘର ଠାରୁ କର୍ମ କ୍ଷେତ୍ର ଅନେକ ଦୂର ଥିବାରୁ ପରିବାର ଲୋକେ ବାରଣ କରିଥିଲେ କର୍ମକ୍ଷେତ୍ରକୁ ଯିବାକୁ। ଏପରି କି ତାଙ୍କ ଅଜାଣତରେ ତାଙ୍କ ସ୍ୱାମୀ ତାଙ୍କ ଠାରୁ ଏକ ସାଧା କାଗଜରେ ଦସ୍ତଖତ କରାଇ ନେଇ ଚାକିରୀରୁ ସ୍ୱଚ୍ଛୟାକୃତ ଅବସର କରାଇଥିଲେ ହେଲେ ଯେତେବେଳେ ଏହି ଘଟଣା ସେ ଜାଣିବାକୁ ପାଇଥିଲେ ତାଙ୍କ ହୃଦୟକୁ ଏହା ଗଭୀର ଆଘାତ ଦେଇଥିଲା।ପରବର୍ତ୍ତୀ ସମୟରେ ସେ ଭାଙ୍ଗି ନପଡ଼ି ପୁଣିଥରେ କର୍ମ କ୍ଷେତ୍ରକୁ ଫେରିବାକୁ ନିଜ ଶାଶୂଘର ଲୋକଙ୍କୁ ବୁଝାଇଥିଲେ ଓ ପରେ ନିଜ ଶାଶୂଘର ନିକଟ ଭୁବନେଶ୍ୱର ରେ ଥିବା ଏକ ହିନ୍ଦୀ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ହେଲେ ଦୁଇ ବର୍ଷ ପରେ ପରିବାରର କିଛି ସମସ୍ୟାକୁ ନେଇ ତାଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା। ପରେ ନିଜ ସ୍ୱାମୀଙ୍କ ସହଯୋଗରେ ଏକ ପ୍ଲେ ସ୍କୁଲ କରି ଦୀର୍ଘ ୨୦ ବର୍ଷ କାଳ ତାକୁ ସୂଚାର ରୂପେ ତୁଲାଇ ଥିଲେ।
ଅନେକ ଦୁଃଖ ଅନେକ ଝଡ଼ ଝଞ୍ଜାକୁ ସାମ୍ନାକରି କେବେ ହେଲେ ମଧ୍ୟ ସେ ସାହିତ୍ୟକୁ ନିଜ ଠାରୁ ଦୂରେଇ ଦେଇ ନାହାଁନ୍ତି। ସବୁ କିଛିକୁ ସାମ୍ନା କରି ଦୀର୍ଘ 24 ବର୍ଷ ଧରି ନିଜ କାନ୍ଧରେ ବୋହି ଚାଲିଛନ୍ତି କଳିଙ୍ଗ ପୁସ୍ତକ ମେଳାର ଦାୟିତ୍ବ।
ସାରା ଭାରତରେ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି ହେଲେ କୌଣସି ମହିଳାଙ୍କ ଦ୍ଵାରା ପୁସ୍ତକ ମେଳା କେଉଁଠାରେ ହୋଇନାହିଁ। କଳିଙ୍ଗ ପୁସ୍ତକ ମେଳା ହେଉଛି ପ୍ରଥମ ଯାହା କିଛି ମହିଳାଙ୍କୁ ନେଇ ରେଣୁକା ମିଶ୍ର ସୂଚାର ରୂପେ ଦୀର୍ଘ ୨୪ ବର୍ଷ ଧରି ତୁଲାଇ ଆସୁଛନ୍ତି । ତେବେ କଳିଙ୍ଗ ପୁସ୍ତକ ମେଳାକୁ ସାରା ଭାରତରୁ ଯେପରିକି ଦିଲ୍ଲୀ,କଲିକତା, ହାଇଦ୍ରାବାଦ, ଓଡିଶା ଏପରି ଅନେକ ସ୍ଥାନରୁ ପବ୍ଲିସର,ବୁକ ସେଲର ଆସିଥାନ୍ତି। ଏବଂ ପ୍ରତିବର୍ଷ କଳିଙ୍ଗ ପୁସ୍ତକ ମେଳାରେ ସାହିତ୍ୟିକ ମାନଙ୍କୁ ବିଭିନ୍ନ ବିଭାଗରେ ପୁରସ୍କୃତ କରିଥାନ୍ତି। ଏବଂ ତା ସହିତ ଶିଶୁ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଶିଶୁ ମାନଙ୍କ ପ୍ରତିଭାକୁ ମଧ୍ୟ ଲୋକ ଲୋଚନକୁ ଆଣିଥାନ୍ତି।
କଳିଙ୍ଗ ପୁସ୍ତକ ମେଳାକୁ ପ୍ରଥମେ ରେଣୁକା ମିଶ୍ର ଙ୍କ ସ୍ୱାମୀ ସ୍ବର୍ଗତ ପୁର୍ଣ୍ଣେନ୍ଦୁ ମିଶ୍ର ଆରମ୍ଭ କରିଥିଲେ ହେଲେ ତାଙ୍କର ଦୁଇ ବର୍ଷ ମୃତ୍ୟୁ ଘଟିଥିଲା ଓ ତା ପରଠୁ ଏହାକୁ ରେଣୁକା ମିଶ୍ର ତୁଲାଉଛନ୍ତି । କୋଳରେ ଏକମାତ୍ର ଶିଶୁପୁତ୍ରକୁ ଧରି ସେବେଠାରୁ ଆଗେଇ ଚାଲିଥିବା ରେଣୁକା ଆଉ କେବେ ପଛକୁ ଫେରି ଚାହିନାହାନ୍ତି | କଳିଙ୍ଗ ପୁସ୍ତକ ମେଳା 1997 ମସିହାରେ ଆରମ୍ଭ ହୋଇଥିଲା ଶିଶୁ ମହୋତ୍ସବ ନାମରେ ଓ ପରବର୍ତ୍ତୀ ସମୟରେ 2003 ମସିହାରେ ତାହା କଳିଙ୍ଗ ପୁସ୍ତକ ମେଳା ନାମରେ ନାମିତ କରାଯାଇଥିଲା। ଏହା କେବଳ ଏକ ପୁସ୍ତକ ମେଳା ନୁହେ ଏହା ହେଉଛି ତାଙ୍କ ସ୍ବର୍ଗତ ସ୍ୱାମୀଙ୍କ ସନ୍ତକ ଓ ସାହିତ୍ୟ କୁ ଉଚ୍ଚରୁ ଉଚ୍ଚତର ସେପାନ କୁ ନେବାର ଇଚ୍ଛା ଟିଏ ମଧ୍ୟ | ପିଲା ମାନଙ୍କ ମଧ୍ୟରେ ପଠନ ପ୍ରତି ଆଗ୍ରହ ବୃଦ୍ଧି କରିବା ଏହାର ଅନ୍ୟତମ ଲକ୍ଷ୍ୟ |
ତେବେ ରେଣୁକାଙ୍କ ମନରେ ଏକ ଦୁଃଖ ରହିଛି ଭୁବନେଶ୍ୱର ରେ ଶିଶୁ ମାନଙ୍କ ପାଇଁ ଏକ ଶିଶୁ ପାଠଗାର, ଯାହା ଆଜିବି ସାକାର ହୋଇପାରିନାହିଁ | ସରକାରଙ୍କ ସହଭାଗିତାରେ ନିର୍ମାଣ କରିବାକୁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ତେଣୁ ତାଙ୍କର ଦାବି ରହିଛି ଭୁବନେଶ୍ୱର ଭଳି ଏକ ବଡ଼ ସହର ଯେଉଁଠି ପ୍ରତ୍ୟକ ଦିନ ଶିକ୍ଷାନୁଷ୍ଠାନ ଗଢି ଉଠିଛି ସେଇଠି ଶିଶୁ ପାଠାଗାର ସରକାର ନିର୍ମାଣ କରନ୍ତୁ।
ରେଣୁକା ମିଶ୍ର କେବେ ହେଲେ ପୁରସ୍କାର ପଛରେ ଧାଆଁନ୍ତି ନାହିଁ ସେ କୁହନ୍ତି ଲେଖକ ପ୍ରଶଂସାକୁ ଗୁରୁତ୍ୱ ଦିଅନ୍ତି ନାହିଁ ତେଣୁ ପୁରସ୍କାର ପଛରେ ନ ଧାଇଁ କଲମ ମୁନକୁ ଆଗେଇ ନେବାକୁ ସେ ପରାମର୍ଶ ଦିଅନ୍ତି। କର୍ତ୍ତବ୍ୟ ଓ ସାଧନା ଫଳରେ ଜଣେ ସାହିତ୍ୟିକ ସଫଳତାର ଶୀର୍ଷରେ ପହଞ୍ଚି ପାରେ ବୋଲି ସେ ଆଶା ବ୍ୟକ୍ତ କରନ୍ତି।
ନିଜର ସାଧନା ବଳରେ ସେ ମଧ୍ୟ ଅନେକ ପୁରସ୍କାର ଲାଭ କରିଛନ୍ତି। ଯେମିତି କି, ସୂର୍ଯ୍ୟକ୍ଷେତ୍ର ସମ୍ମାନ, ଶ୍ରୀକ୍ଷେତ୍ର ସାହିତ୍ୟ ସମ୍ମାନ ଭଳି ମର୍ଯ୍ୟାଦା ଜନକ ପୁରସ୍କାର | ତା ସହ ରୋଟାରି ଅନୁଷ୍ଠାନ ସହ ଜଡିତ ହୋଇ ଅନେକ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି | ରେଣୁକା ମିଶ୍ରଙ୍କ ତତ୍ୱାବଧାନରେ ପରିଚାଳିତ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି | ଯାହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି | ବର୍ତମାନ ସମୟରେ ଯେଉଁ ମହିଳା ମାନେ ସାହିତ୍ୟ କିମ୍ବା ସମାଜସେବା କ୍ଷେତ୍ରକୁ ଆସୁଛନ୍ତି ରେଣୁକା ସେମାନଙ୍କୁ ଏତିକି କୁହନ୍ତି ଯେ, ନାରୀ ହେଉଛି ଭଗବାନଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ଯାହାକୁ ଆମେ ପ୍ରମାଣ କରିବାର ସୁଯୋଗ ସୃଷ୍ଟି କରିବା ଦରକାର | କେବଳ ପ୍ରଚାର ପ୍ରସାର ପଛରେ ନପଡ଼ି ନିଷ୍ଠା ସହକାରେ ନିଜ ଲକ୍ଷ୍ୟ ପଥରେ ଆଗେଇ ଗଲେ ସଫଳତା ତୁମର ସ୍ୱାଗତ କରିବ |

Leave a Reply

Your email address will not be published. Required fields are marked *