ଏପ୍ରିଲ ୨୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା ; ୧୦ ଦିନ ହେବ ମେଳା

ଭୁବନେଶ୍ୱର : ଚଳଚଞ୍ଚଳ ପ୍ରଦର୍ଶନୀ ପଡ଼ିଆ । ପୁଣି ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଆସନ୍ତା ୨୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ପାଇଁ ହେବାକୁ ଥିବା ଏହି ମେଳାରେ ଚଳିତ ବର୍ଷ ୧୦୦ ଷ୍ଟଲରେ ମିଳିବ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀ । ୮୦ ଷ୍ଟଲରେ ଦେଖିବାକୁ ମିଳିବ ଆବିବାସୀ ସଂସ୍କୃତିର ଝଲକ।

ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖରୁ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେଉଥିବାବେଳେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ତାହା ହୋଇପାରି ନଥିଲା । ତେଣୁ କଟକଣା ଉଠିବା ପରେ ଚଳିତମାସ ୨୩ ତାରିଖରୁ ଏହା ଆରମ୍ଭ ହେବ । ହେଲେ ଏ ବର୍ଷ ଆଦିବାସୀ ମେଳାରେ ପୂର୍ବଭଳି ଆଦିବାସୀଙ୍କ ପାରମ୍ପରିକ ଗୃହ ଆଦି ଦେଖିବାକୁ ମିଳିବନାହିଁ । ମେଳାରେ କିଣା ବିକା ପାଇଁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ ।

ଏଥିପାଇଁ ମୋଟ୍‍ ୧୦୦ଟି ଷ୍ଟଲ କରାଯାଇଥିବାବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ଯୋଗଦେବେ । ସେମାନଙ୍କ ଷ୍ଟଲରେ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ସେହିଭଳି ଏହି ୧୦ଦିନିଆ ମେଳାରେ ପୂର୍ବଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିବାକୁ ଥିବା ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ ।

“ଏଥର ୧୫ ଦିନ ବଦଳରେ ୧୦ ଆଦିବାସୀ ମେଳା ୧୦ଦିନ ପାଇଁ ଅନୁଷ୍ଠିତ ହେବ। ଯେଉଁଠି ଏଥର ଆଦିବାସୀ ଘର ଦେଖିବାକୁ ମିଳିବନି, ଫୁଡ଼ କୋର୍ଟ ନାହିଁ। ଷ୍ଟଲ ମଧ୍ୟ ସୀମିତ ରହିଛି। ଏଣୁ ଆଦିବାସୀ ମାନେ ନିଜ ବର୍ଷ ଯାକର ଆମଦାନୀକୁ ଲୋକଙ୍କ ପାଖରେ ବିକ୍ରି କରି ଦୁଇ ପଇସା ରୋଜଗାର କରିପାରିବେ ସେଥିପାଇଁ ଏ ମେଳା ହେଉଛି,”କହିଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଅଖିଳ ବିହାରୀ ଓତା। ସେହିଭଳି ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ ଏଠାରେ ସେମାନଙ୍କ କଳାନୈପୂଣ୍ୟ ପ୍ରଦଶର୍ନ ସହିତ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ । ଚଳିତବର୍ଷ ଅନୁଷ୍ଠିତ ଆଦିବାସୀ ମେଳାରେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମିଳିବନାହିଁ ।

Leave a Reply

Your email address will not be published. Required fields are marked *