ରାଜଧାନୀରେ ମେ ୨୧ରୁ ସାଧାରଣ ଦର୍ଶକଙ୍କ ପାଇଁ ଖୋଲିବ ‘ଫାୟାର ପାର୍କ’; ବିପଦର ମୁକାବିଲା ପାଇଁ ସଚେତନ ହେବେ ଲୋକ

ଭୁବନେଶ୍ୱର: ମେ ୨୧ ତାରିଖରୁ ପ୍ରତି ଶନିବାର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ‘ଫାୟାର ପାର୍କ’ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହିବ। ଲୋକମାନେ ସପରିବାର ଏହି ପାର୍କକୁ ଆସି ଫାୟାର ଫାଇଟିଂ ଟିମ୍‌ର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ଦେଖିପାରିବେ। କୌଣସି ବିପତ୍ତି ସମୟରେ ତୁରନ୍ତ କ’ଣ କରିବାକୁ ହେବ ଏନେଇ ସାଧାରଣ ଲୋକଙ୍କୁ ସଚେତନତା କରିବା ପାଇଁ ଏହି ପାର୍କରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ସୂଚନା ଅନୁସାରେ, ୨୦୨୧ ମସିହା ଜାନୁୟାରୀ ମାସରୁ ବରମୁଣ୍ଡାସ୍ଥିତ ଓଏଫଡ଼ିଆରଏ କାର୍ଯ୍ୟାଳୟରେ ଏହି ଫାୟାର ପାର୍କ ଆରମ୍ଭ ହୋଇଛି । ତେବେ କୋଭିଡ଼ କାରଣରୁ ଏହାକୁ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବନ୍ଦ ରଖାଯାଇଥିଲା । କୋଭିଡ଼ ସଂକ୍ରମଣ କମିବା ପରେ ଆସନ୍ତା ୨୧ ତାରିଖରୁ ଏହା ନିୟମିତ ଭାବେ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ପ୍ରତି ଶନିବାର ଅପରାହ୍ନ ସାଢେ ୩ଟାରୁ ୫ଟା ପର୍ଯ୍ୟନ୍ତ ଦର୍ଶକ ଏହାକୁ ବୁଲି ଦେଖି ପାରିବେ ।

ବିଶେଷ କରି ମହିଳାଙ୍କ ପାଇଁ ନିତିଦିନିଆ ଜୀବନରେ ଏହାର ଆଵଶ୍ୟକତା ରହିଛି। କାରଣ ଅନେକ ସମୟରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥାଏ। ଅଧିକାଂଶ ମହିଳା ମାନେ ସଚେତନତା ଅଭାବରୁ ନିଆଁକୁ କେମିତି ନିୟନ୍ତ୍ରଣ କରାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ; ବରଂ ନିଜ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବାହାରକୁ ଦୌଡ଼ି ପଳାନ୍ତି। ଏହା ଦ୍ୱାରା ଧନ ଓ ଜୀବନ ଅଧିଜ ମାତ୍ରାରେ ପ୍ରଭାବିତ ହୋଇ ଥାଏ। ଏଭଳି ସମୟରେ ମହିଳା ମାନେ ଟିକେ ସାହସୀ ହେବା ଉଚିତ। ନିଆଁକୁ ନିୟନ୍ତ୍ରଣ କରିବାକୁ ଆଖ ଆଖ ପାଖରେ ଥିବା କମ୍ବଳ କିମ୍ବା ସେଭଳି କିଛି ସାମଗ୍ରୀକୁ ଓଦା କରି ଗ୍ୟାସ ଟାଙ୍କି ଉପରେ ଘୋଡାଇଦେଲେ ନିଆଁ ଲିଭିଯିବ। ଏସବୁ ବିଷୟରେ ଲୋକଙ୍କୁ ଏହି ପାର୍କରେ ସଚେତନ କରାଯିବ।

ଏସବୁ ସହିତ ଏହି ପାର୍କରେ ନିଆଁ ଲାଗିବା ସମୟରେ ସତର୍କତା ସହିତ ପାଣିରେ ବୁଡ଼ିଯିବା ସମୟରେ ଉଦ୍ଧାର କାର୍ଯ୍ୟ ତଥା ଗ୍ୟାସ ସିଲିଣ୍ଡରରେ ଅଗ୍ନିକାଣ୍ଡ ଘଟିଲେ କିଭଳି ସତର୍କତା ଅବଲମ୍ବନ କରାଯିବ ତାହା ଉପରେ ଲୋକମାନଙ୍କୁ ସଚେତନତା କରାଯିବ । ଏଣିକି ନିୟମିତ ଭାବରେ ଏହି କାର୍ଯ୍ୟକ୍ରମ ଜନ ସଚେତନତା ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଫାୟାର ଅଫିସର। ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ଫାୟାର ଅଫିସର ସ୍ପଷ୍ଟ କରିଛନ୍ତି

Leave a Reply

Your email address will not be published. Required fields are marked *