ନୂଆପଡ଼ା ଲଖନା ଥାନା କୁରୁମପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୨ ମୃତ

ନୂଆପଡ଼ା/ବରଗଡ଼ : ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଗତକାଲି ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ଗାଁ ନିକଟରେ ଏକ ଟ୍ରାକ୍ଟରକୁ ସିମେଣ୍ଟ ବୋଝେଇ ଟ୍ରକ୍‌ଟିଏ ପଛପଟୁ ପିଟି ଦେଇଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ଅନ୍ୟ ଦୁର୍ଘଟଣାଟି ଘଟିଛି ବରଗଡ଼ ଜିଲ୍ଲାରେ। ଆଜି ସକାଳେ ବରପାଲିର ମେହେର ପଡ଼ା ନିକଟରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ନେଇଥିଲେ। ଆହତଙ୍କ ମଧ୍ୟରେ ବସ୍ ଓ ଟ୍ରକ୍‌ର ଡ୍ରାଇଭର ମଧ୍ୟ ଅଛନ୍ତି। ଉଭୟ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଅଛି।

Leave a Reply

Your email address will not be published. Required fields are marked *