ପୋଷାକରେ ସଂସ୍କୃତିର ଛିଟା ହିଁ ଶାଶ୍ଵତୀଙ୍କ ଡିଜାଇନକୁ କରିଛି ଅନନ୍ୟ ଓ ଆକର୍ଷଣୀୟ

ଆମ ରାଜ୍ୟ ଓଡିଶା ଉତ୍କର୍ଷ କଳାର ରାଜ୍ୟ । ଏଠାକାର କଳା,ସଂସ୍କୃତି,ଖାଦ୍ୟ,ବସ୍ତ୍ର, ଆଜି ବିଶ୍ୱ ଦରବାରରେ ପ୍ରସିଦ୍ଧ । ତେବେ “ଓଦେଶୀ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରାଇଭେଟ୍ ଲିମିଟେଡ୍”ମାଧ୍ୟମରେ  କପଡା ଜରିଆରେ ଖଦି ଓ ହସ୍ତତନ୍ତରେ ସେ ପ୍ରସ୍ତୁତ କରୁଛନ୍ତି ସୁଲଭ ମୂଲ୍ୟରେ ପୁରୁଷଙ୍କ ପାଇଁ ପୋଷାକ।ଯାହା ଖୁବ୍ ଆକର୍ଷଣୀୟ ଏବଂ ଆରାମଦାୟକ ।
ହସ୍ତତନ୍ତ କପଡାକୁ ଖଦିରେ ସଂଯୋଗ କରି ବିଶେଷତଃ ପୁରୁଷଙ୍କ ପାଇଁ ପୋଷାକ କରିବାର ଇଚ୍ଛା ପୋଷଣ କରିଥିଲେ ଓଦେଶୀ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରାଇଭେଟ୍ ଲିମିଟେଡ଼ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଶାଶ୍ୱତୀ ଚୌଧୁରୀ।ରେଶମ ସହର ବ୍ରହ୍ମପୁରରେ ଜନ୍ମିତା ଶାଶ୍ୱତୀ ନିଜର ଯୁବାବସ୍ଥାରୁ ହିଁ ବୟନ ଶିଳ୍ପ ପ୍ରତି ଖୁବ୍ ଆଗ୍ରହ ରଖୁଥିଲେ।ଫଳରେ ପ୍ରଥମେ ୨୦୦୯-୧୦ ମସିହାରୁ ଘରୁ କାମ କରି ବିଭିନ୍ନ ବୁଟିକ୍ କୁ ଯୋଗାଣ କରୁଥିଲେ । ପରବର୍ତ୍ତୀ ସମୟରେ କିଛି ସାଙ୍ଗ ମାନଙ୍କ ସହାୟତାରେ ୨୦୧୫ରୁ ଅନଲାଇନ୍ ଯୋଗେ ନିଜର କପଡା ବ୍ୟବସାୟ କରିବାକୁ ଚେଷ୍ଟା କଲେ ମାତ୍ର ଆଶାତୀତ ସଫଳ ହୋଇ ପାରିଲେ ନାହିଁ।
କିନ୍ତୁ କଥାରେ ଅଛି “ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ”।
ନିଜର ଇଚ୍ଛା ଶକ୍ତି ଓ ପରିଶ୍ରମରେ ୨୦୧୬ ଜୁଲାଇ ୨୩ରେ ସୃଷ୍ଟି କଲେ “ଓଦେଶୀ”କୁ।ତାଙ୍କର ଶିଳ୍ପରେ ପ୍ରଥମ ତିଆରି ପୋଷାକକୁ ଶିକ୍ଷକଙ୍କୁ ଉପହାର ରୂପେ ଦେଇ ନିଜର ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଶାଶ୍ୱତୀ।

“ଓଦେଶୀ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରାଇଭେଟ୍ ଲିମିଟେଡ୍” ବିଷୟରେ କିଛି-
୨୦୧୬ରେ ପ୍ରତିଷ୍ଠିତ ଓଦେଶୀ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ବାପୁଜୀ ନଗରରେ ପ୍ରତିଷ୍ଠା ହୋଇଥିବା ବେଳେ ଶ୍ରୀମତୀ ଚୌଧୁରୀ ଏବଂ ତାଙ୍କ ପରିବାର ସହଯୋଗରେ ଗଢ଼ା ଏହି ପୋଷାକ ଶିଳ୍ପ ଆମ ରାଜ୍ୟର କୋଟପାଡ଼,ବରଗଡ଼ ଆଦିର ସଂସ୍କୃତିକୁ ବହନ କରେ।କେବଳ ପୁରୁଷଙ୍କ ପାଇଁ ହସ୍ତତନ୍ତରେ ସାର୍ଟ ଏବଂ କୁର୍ତ୍ତା ବନେଇ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ବେଳେ ଏହାର ପ୍ରସ୍ତୁତି ସମୟରେ ଖଦିରେ ଅପମିଶ୍ରଣ ଠାରୁ ବହୁ ଦୂରରେ ଥାଏ । ମୁଖ୍ୟତଃ ଗୋଟିଏ ସାର୍ଟର ତିଆରି ସମୟରେ ରଙ୍ଗ,ହାଲୁକା ଓଜନ,ସୂତା କପଡାର ଚମକ ଓ ସୁନ୍ଦର ଫିନିସିଙ୍ଗ୍ ଉପରେ ବହୁତ ଧ୍ୟାନ ଦେଇଥାନ୍ତି କମ୍ପାନୀ ପ୍ରତିଷ୍ଠାତା । ଓଦେଶୀର ପୁରୁଷ ସାର୍ଟ ଖୁବ୍ ଚାହିଦା ଅଟେ । ଆଗାମୀ ଦିନରେ ଦୈନିକ ୨୦୦ ସାର୍ଟର ବିକ୍ରି ସହିତ ନିଜର ହସ୍ତତନ୍ତ କମ୍ପାନୀ ଜରିଆରେ ପୁଅମାନଙ୍କ ବିବାହ ପୋଷାକ ତଥା ଧୋତି,କୁର୍ତ୍ତା,ସେର୍ବାନୀର ତିଆରି ପାଇଁ ଯୋଜନା ମଧ୍ୟ ରଖିଛନ୍ତି।କେବଳ ସେତିକି ନୁହେଁ ପୋଷାକ ଜନିତ କିଛି ସମସ୍ୟା ହେଲେ ଲୋକଙ୍କ ପାଖରେ ପ୍ରତ୍ୟକ୍ଷ ରୂପରେ ପହଁଚିବାର ଆଶ୍ୱାସନା ଦେଇଛନ୍ତି ଶ୍ରୀମତୀ ଚୌଧୁରୀ ।

ସେ ଜଣେ ସ୍ୱାଭିମାନୀ ଓଡ଼ିଆଣୀ।ସୁରଟରୁ ଯେତେବେଳେ ତାଙ୍କୁ ବ୍ୟବସାୟ ପାଇଁ ପ୍ରଥମେ ସୁଯୋଗ ମିଳିଥିଲା ସେ ଏହା କହିଥିଲେ ଯେ “ମତେ ସୁରଟବାଲାଙ୍କୁ ମୋ ରାଜ୍ୟର ସଂସ୍କୃତିକୁ ଦେଖେଇବାର ଅଛି । “ତେଣୁ ସେହି ଅଭିଳାଷରେ ସେ ଓଡ଼ିଶାରେ ନିଜର ବ୍ୟବସାୟ ପ୍ରତିଷ୍ଠାନ ଜାରି ରଖିଛନ୍ତି । ଶାଶ୍ୱତୀଙ୍କ ମତରେ “ବର୍ତ୍ତମାନ ଭାରତରେ ବିଦେଶୀ କମ୍ପାନୀ ଆମ ଦେଶର ସମ୍ବଳକୁ ନେଇ ଆମକୁ ବିକ୍ରି କରୁଛନ୍ତି । ମାତ୍ର ଆମେ ନିଜ ଦେଶର ସମ୍ପଦକୁ ଅନାଦର କରୁଛୁ । ତେଣୁ ମୁଖ୍ୟତଃ ଖଦି ଶିଳ୍ପରେ ସୂତାରୁ ଯଦି ଆମେ ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ଲୋକଙ୍କୁ ପୋଷାକ ବିକ୍ରୟ କରି ପାରିବା, ତେବେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରେ ଦେଶର ଅର୍ଥନୀତି କିଛିକାଶଂରେ ଉପକୃତ ହେବ |

Leave a Reply

Your email address will not be published. Required fields are marked *