ଓଡ଼ିଶାରେ ମାଙ୍କଡ଼ଙ୍କ ପାଇଁ ତିଆରି ହେଲା ‘କାନୋପି ବ୍ରିଜ୍’

କୋଇଡ଼ା : ଲୋକମାନଙ୍କ ଯାତାୟତ କରିବା ପାଇଁ ବ୍ରିଜ୍ ତିଆରି କରାଯାଇଥାଏ, ଆମେ ଜାଣିଛେ। ହେଲେ ମାଙ୍କଡ଼ମାନଙ୍କ ଯିବା ଆସିବା ପାଇଁ ବ୍ରିଜ୍ କରିବା କଥା କେବେ ଶୁଣିଛନ୍ତି? କଥାଟି ଶୁଣିବାକୁ କାନକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। ଆମ ଓଡ଼ିଶାରେ ମାଙ୍କଡ଼ଙ୍କ ଯାତାୟତ ପାଇଁ ବନ ବିଭାଗ ପକ୍ଷରୁ ପୋଲ ତିଆରି ହୋଇଛି। ଯେଉଁ ପୋଲରେ ମାଙ୍କଡ଼ଙ୍କ ସହ ଗୁଣ୍ଡୁଚି ମୂଷା ମଧ୍ୟ ନିରାପଦରେ ଯିବା ଆସିବା କରିପାରିବେ। ଏପରି ବ୍ରିଜଟି ତିଆରି ହୋଇଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକର ଟେନସା ବରସୁଆଁ ଘାଟି ରାସ୍ତାରେ। ଯାହାର ନାମ ରଖାଯାଇଛି ‘କାନୋପି ବ୍ରିଜ୍’ ବା ଚାନ୍ଦୁଆ ପୋଲ।

କୋଇଡ଼ା ବ୍ଲକରେ ଅନେକ ଖଣିଖାଦାନ ରହିଛି। ଏଥିପାଇଁ ପ୍ରତିଦିନ ଟେନସା ବରସୁଆଁ ଘାଟି ରାସ୍ତାରେ ଶହଶହ ଗାଡ଼ି ମଟର ଯିବା ଆସିବା କରିଥାଏ। ବରସୁଆଁ ଘାଟି ରାସ୍ତାରେ ଦୁଇ ପାର୍ଶ୍ୱରେ ଜଙ୍ଗଲ ରହିଛି। ଏହି ଜଙ୍ଗଲରେ ଶହଶହ ମାଙ୍କଡ଼ ରହିଥାନ୍ତି। ଏହି ରାସ୍ତା ଦେଇ ମାଙ୍କଡ଼, ଗୁଣ୍ଡୁଚି ମୂଷା ଓ ଅନେକ ସରୀସୃପ ଯିବାଆସିବା କରିଥାନ୍ତି। ଗାଡ଼ିମଟର ଧକ୍କାରେ ଏମାନଙ୍କ ଜୀବନ ଯାଇଥାଏ।

ଏହାକୁ ନଜରରେ ରଖି ବନ ବିଭାଗ ରାଷ୍ଟ୍ରୀୟ ଖଣି କମ୍ପାନୀ (ସେଲ୍) ସହାୟତାରେ ଟେନସା ବରସୁଆଁ ଘାଟି ରାସ୍ତାରେ ଦୁଇଟି ବ୍ରିଜ୍ ତିଆରି କରିଥିଲା। ଏହି ବ୍ରିଜଟି ରାସ୍ତାର ଗୋଟିଏ ପାର୍ଶ୍ୱ ଗଛରୁ ରାସ୍ତାର ଅନ୍ୟ ପାର୍ଶ୍ୱ ଗଛକୁ ସଂଯୋଗ କରୁଛି। ବ୍ରିଜ୍‌ଟି ତାର ଓ ଜାଲରେ ତିଆରି ହୋଇଛି। ଦୂରରୁ ଏହା ଝୁଲା ପୋଲ ପରି ଦିଶୁଛି। ଏହି ବ୍ରିଜକୁ ଦେଖିବା ପାଇଁ ଅନେକ ଲୋକ ଆସୁଛନ୍ତି। ଓଡ଼ିଶାର ପ୍ରଥମ ଥର ପାଇଁ ମାଙ୍କଡ଼ ଓ ଅନ୍ୟ ସରୀସୃପଙ୍କ ପାଇଁ ଏହି ବ୍ରିଜଟି ତିଆରି ହୋଇଛି।

ପରିବେଶବିତ୍ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି, ଟେନସା ବରସୁଆଁ ଘାଟି ରାସ୍ତାରେ ଶହଶହ ଗାଡ଼ିମଟର ଯିବା ଆସିବା କରୁଛି। ଏହି ବାଟ ଦେଇ ମଧ୍ୟ ଜୀବଜନ୍ତୁ ଯିବା ଆସିବା କରିଥାନ୍ତି। ଗାଡ଼ି ଚକା ତଳେ କେତେକ ଜୀବଜନ୍ତୁଙ୍କ ଜୀବନ ଯାଇଥାଏ। ଏପରି ବ୍ରିଜ ତିଆରି କରିବା ଦ୍ୱାରା ଆଉ ଜୀବଜନ୍ତୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବନାହିଁ।

ରାଉରକେଲା ଆରସିସିଏଫ୍ ଡକ୍ଟର ଅରୁଣ କୁମାର ମିଶ୍ର କହିଛନ୍ତି, ଅନେକ ଜୀବଜନ୍ତୁଙ୍କର ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିଲା। କିପରି ଜୀବଜନ୍ତୁମାନେ ଏଥିରୁ ରକ୍ଷା ପାଇବେ ଆମେ ଚିନ୍ତା କରିଥିଲୁ। ପରେ ଆମେ ‘କାନୋପି ବ୍ରିଜ୍’ ତିଆରି କରିଥିଲୁ। ବ୍ରିଜ ତିଆରି ହେବାପରେ ମାଙ୍କଡ଼ମାନେ ଏହି ବ୍ରିଜ ଦେଇ ଯିବାଆସିବା କରିଥିଲେ।

Leave a Reply

Your email address will not be published. Required fields are marked *