ଆଜି ପବିତ୍ର ବାହୁଡ଼ାଯାତ୍ରା; ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମାହାପ୍ରଭୁ ଶ୍ରୀ ଜଗନ୍ନାଥ ରତ୍ନବେଦୀକୁ ବାହୁଡ଼ିବେ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଭକ୍ତାରଣ୍ୟ ହୋଇଛି ଶରଧାବାଲି । ଶ୍ରୀକ୍ଷେତ୍ରରେ ସକାଳୁ ସକାଳୁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ସୁରକ୍ଷା ଓ ମହାପ୍ରଭୁଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଯେପରି ଭକ୍ତ ମାନଙ୍କ କୌଣସି ଅଘଟଣ ନଘଟେ ସେଥିପାଇଁ ବ୍ୟାପକ ପଦକ୍ଷେପ ନେଇଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସହ ପୁଲିସ ମୁତୟନ ହୋଇଛନ୍ତି । ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ଭୋର୍‌ ୪ଟାରୁ ମାହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ ବୋଲି ସୂଚନା ରହିଛି । ଦିନ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଶରଧାବାଲିରେ ଶ୍ରୀଜୀଉଙ୍କୁ ତିନିରଥ ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ରଥ ଅପେକ୍ଷା କରିଥିବା ବେଳେ ପ୍ରଥମେ ପହଣ୍ଡିରେ ରଥରେ ବିଜେ କରିବେ ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ​‌ହେବ । ପରେ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ଟାହିଆ ଲଗାଇ ଝୁଲିଝୁଲି ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ । ରଥରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବେ । ଛେରା ପହଁରା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହେବ । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି କୁହାଯାଇଛି ।

କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନ ଏକାଠି ହୋଇଥିଲେ । ପରେ ଶରଧାବାଲିରୁ ଆଡ଼ପମଣ୍ଡପକୁ ବାଜେ କରିଥି​‌ଲେ ମହାପ୍ରଭୁ । ଆଡ଼ପମଣ୍ଡପକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେ ସମୟରେ ଶରଧାବାଲିରେ କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ନନ୍ଦିଘୋଷ ରଥ ଚତୁପାର୍ଶ୍ବରେ ବର୍ଷା ହେଉଥିବା ବେଳେ ଜଗନ୍ନାଥଙ୍କ ରଥରେ ବୁନ୍ଦାଏ ପାଣି ବି ପଡ଼ୁନଥିଲା । ଯାହାକୁ ନେଇ ଭକ୍ତମାନେ ଭାବବିହ୍ୱଳ ହୋଇଥିଲେ ।

Leave a Reply

Your email address will not be published. Required fields are marked *