ପୁନେର ଖଡ୍କୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ

ପୁନେ : ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ପୁନେସ୍ଥିତ ଖଡ୍କୀ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଖୁବ୍ ଆନନ୍ଦ ଓ ଉତ୍ସାହ ସହକାରେ ରଥ ଟାଣିବା ସହ ଏହି ଯାତ୍ରାରେ ଯୋଗଦେଇ କାଳିଆର ଶ୍ରୀଚରଣରେ ଭକ୍ତିପୁତ ଅର୍ଘ୍ୟ ଢାଳି ଭାବଡୋରିରେ ବାନ୍ଧି ହୋଇଯାଇଥିଲେ।

ରଥଯାତ୍ରା ଉତ୍ସବ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡିଶୀ ନୃତ୍ୟ ଓ ଭଜନ ସଂଧ୍ୟା ଥିଲା ମୁଖ୍ୟ ଆକର୍ଷଣର କେନ୍ଦବିନ୍ଦୁ ।ଏଠାରେ ମଧ୍ୟ ପ୍ରତିଦିନ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥାଏ ଯାହାକି ପରିବେଶକୁ ଭକ୍ତିମୟ କରିବା ସହିତ ଆମ ପରମ୍ପରା ଓ ସଂସ୍କୃତିକୁ ସ୍ଥାନୀୟ ଅଂଚଳରେ ଏକ ବଳିଷ୍ଠ ପରିଚୟ ପ୍ରଦାନ କରିଆସୁଅଛି |

ପୁନେର ଖଡ୍କୀସ୍ଥିତ ଏହି ଜଗନ୍ନାଥ ମନ୍ଦିରଟି ପ୍ରାୟ ସାତବର୍ଷ ତଳେ ନିର୍ମିତ ହୋଇଥିଲା। ଏହାର ସମସ୍ତ ପୂଜା, ନୀତିକାନ୍ତି ଓ ଭୋଗରାଗ ଆଦି ଶ୍ରୀଜଗନ୍ନାଥ ପରମ୍ପରା ଆନୁଯାୟୀ ଉପଯୁକ୍ତ ପ୍ରଥା ଅନୁସାରେ ସମାହିତ ହୋଇଥାଏ । ପ୍ରବାସୀ ଓଡ଼ିଆଙ୍କ ସମେତ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ବହୁସଂଖ୍ୟାରେ ଏଠାକୁ ଦର୍ଶନାର୍ଥେ ଆସିଥାନ୍ତି। ଏଠାରେ ଏକ ନୁତନ ମାଉସୀ ମା’ଙ୍କ ମନ୍ଦିରଟିଏ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସନ୍ନିକଟରେ ନିର୍ମାଣ କରାଯାଇଛି।

ଚଳିତ ବର୍ଷର ରଥଯାତ୍ରା ଏକ ଚମତ୍କାର ଓ ନିଆରା ଅବସର ଥିଲା ଯାହା ପୁନେରେ ଥିବା ପ୍ରତ୍ୟେକ ଓଡ଼ିଆ ମାନଙ୍କର ସାଂସ୍କୃତିକ ମୂଲ୍ୟବୋଧକୁ ପୁଣିଥରେ ଉଜ୍ଜୀବିତ କରି ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟ ହୋଇଛି | \

“ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବ ତୁମେ ” ।

Leave a Reply

Your email address will not be published. Required fields are marked *