ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ। ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି। ତେବେ ଦେଶରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବା ପରେ ବି ରାଜଧାନୀ କଲମ୍ବୋରେ ବିକ୍ଷୋଭ ପ୍ରଦର୍ଶନ ଥମିନି। ବିକ୍ଷୋଭକାରୀମାନେ ରାନିଲ ବିକ୍ରମସିଙ୍ଘେଙ୍କୁ ବିରୋଧ କରୁଛନ୍ତି। ସେପଟେ ଶପଥ ପାଠ ପରେ ଦେଶ କଠିନ ପରିସ୍ଥିତିକୁ ସାମ୍ନା କରୁଛି । ବିଗିଡ଼ିଥିବା ଅର୍ଥନୀତିରେ ସୁଧାରକୁ ପ୍ରଥମ ପ୍ରାଥମିକତା ଦେବି ବୋଲି ରାନିଲ କହିଛନ୍ତି।

ରାନିଲ ବିକ୍ରମସିଂଘେ ଜଣେ ଆଇନଜୀବୀ ଏବଂ ସେ ରେକର୍ଡ ୬ଥର ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରହିଛନ୍ତି । ବିକ୍ରମସିଂଘେଙ୍କ ପ୍ରାର୍ଥିତ୍ୱକୁ ଜନସାଧାରଣ ବିରୋଧ କରିଥିଲେ ସୁଦ୍ଧା ରାନିଲ ଗତକାଲି ସଂସଦୀୟ ଭୋଟ୍‌ରେ ଜିତିଛନ୍ତି। ୨୨୫ ସଦସ୍ୟତା ବିଶିଷ୍ଠ ସଂସଦର ୧୩୪ ସାଂସଦ ରାନିଲ ବିକ୍ରମସିଂଘେଙ୍କ ସପକ୍ଷରେ ଭୋଟ୍‌ ଦେଇଥିଲେ। ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦୁଲ୍ଲାସ ଆହ୍ଲାପେରୁମାଙ୍କୁ ୮୨ଟି ଭୋଟ୍‌ ମିଳିଥିଲା। ରାଷ୍ଟ୍ରପତି ନିର୍ବାଚନ ହେବା ପରେ ରାନିଲ ବିକ୍ରମ ସଙ୍ଘେ ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିଥିବାରୁ ପାର୍ଲାମେଣ୍ଟକୁ ଧନ୍ୟବାଦ ଜଣାଇଥିଲେ।

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏଥିପାଇଁ ଦେଶବାସୀ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷଙ୍କୁ ଦାୟୀ କରି ଜୋରଦାର ବିରୋଧ କରିଥିଲେ। ଏପରିକି ବିକ୍ଷୋଭକାରୀମାନେ ରାଷ୍ଟପତି ଭବନରେ ଧସେଇ ମଧ୍ୟ ପଶିଥିଲେ। ଏହାପରେ ଗୋଟାବାୟ ରାଜପକ୍ଷ ଦେଶ ଛାଡି ସିଙ୍ଗାପୁର ପଳାୟନ କରିଥିଲେ। ସେଠାରୁ ସେ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଏହାପରେ ରାଷ୍ଟ୍ରପତି ନିର୍ବାଚନ ହୋଇଛି। ଏବେ ଗୋଟାବାୟଙ୍କ ଉତ୍ତରାଧିକାରୀ ଭାବେ ରାନିଲ ବିକ୍ରମସିଙ୍ଘେଙ୍କ କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ରହିବ। ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଦୂର କରିବାକୁ ରାନିଲଙ୍କୁ ବଡ ପଦକ୍ଷେପ ନେବାକୁ ପଡିବ।

Leave a Reply

Your email address will not be published. Required fields are marked *