ରାଷ୍ଟ୍ରପତି ହେବା ପରେ ଆଜି ଦେଶକୁ ପ୍ରଥମଥର ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆ ଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଭାବେ ଏହା ଦେଶ ପାଇଁ ତାଙ୍କର ପ୍ରଥମ ସମ୍ବୋଧନ ହେବ। ରାଷ୍ଟ୍ରୀୟ ଭବନ ଶନିବାର ଏକ ବିବୃତ୍ତିରେଏହି ସୂଚନା ଦେଇଛି।

ରାଷ୍ଟ୍ରପତିଙ୍କ ସମ୍ବୋଧନ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ଦେଶର ଲୋକମାନେ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ଦେଖିପାରିବେ। ରାଷ୍ଟ୍ରପତି ମୁର୍ମୁ ସନ୍ଧ୍ୟା ୭ ଟାରୁ ସମ୍ବୋଧନ କରିବେ। ଏହା ପ୍ରଥମେ ହିନ୍ଦୀରେ ଓ ପରେ ଇଂରାଜୀରେ ପ୍ରସାରିତ ହେବ।

ଦୂରଦର୍ଶନରେ ହିନ୍ଦୀ ଓ ଇଂରାଜୀରେ ଟେଲିକାଷ୍ଟ ପରେ ଏହା ଆଞ୍ଚଳିକ ଚ୍ୟାନେଲ ଦ୍ୱାରା ସମ୍ପୃକ୍ତ ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଅଲ ଇଣ୍ଡିଆ ରେଡିଓ ଏହାକୁ ନିଜ ଆଞ୍ଚଳିକ ନେଟୱାର୍କରେ ରାତି ୯.୩୦ ରେ ଆଞ୍ଚଳିକ ଭାଷାରେ ପ୍ରସାରଣ କରିବ।

୨୫ ଜୁଲାଇରେ ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ସେ ହେଉଛନ୍ତି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ସର୍ବକନିଷ୍ଠ ତଥା ପ୍ରଥମ ଆଦିବାସୀ। ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏ ଦେଶର ସ୍ୱାଧୀନତା ପରେ ଜନ୍ମ ହୋଇଛନ୍ତି।

Leave a Reply

Your email address will not be published. Required fields are marked *